ଜିଲ୍ଲା ସ୍ତରୀୟ ବିକାଶ ମେଳା ଓ ସାଂସ୍କୃତିକ ମହୋତ୍ସବକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସରକାରଙ୍କ ୧୦୦ଦିନ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ସେପ୍େଟମ୍ବର ୨୨ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆରେ ଏକ ଜିଲ୍ଲାସ୍ତରୀୟ ବିକାଶ ମେଳା ଏବଂ ସାଂସ୍କୃତିକ ମହୋତ୍ସବର ଆୟୋଜନ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ ଯେ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶାର ଅଭ୍ୟୁଦୟ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବ ଏବଂ ପ୍ରଗତିର ହେବ ନୂତନ ସୂର୍ଯ୍ୟୋଦୟ । ତେଣୁ ସରକାରଙ୍କ ୧୦୦ଦିନର ପୂର୍ତ୍ତି ଉପଲକ୍ଷେ ଆସନ୍ତା ୨୨ତାରିଖ ସକାଳ ୧୧ ଟାରେ ଏକ ଜିଲ୍ଲାସ୍ତରୀୟ ବିକାଶ ମେଳା ଏବଂ ସାଂସ୍କୃତିକ ମହୋତ୍ସବକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ବୈଜୟନ୍ତ ଜୟ ପଣ୍ଡା, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ମହାକାଳପଡ଼ା ବିଧାୟକ ଡ. ଦୂର୍ଗା ପ୍ରସନ୍ନ ନାୟକ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଓ ପୌରପରିଷଦର ଅଧ୍ୟକ୍ଷ/ଅଧ୍ୟକ୍ଷା ପ୍ରମୁଖ ଯୋଗ ଦେବେ । ଏହି ବିକାଶ ମେଳାରେ ୩୫ଟି ଷ୍ଟଲ ପ୍ରଦର୍ଶନ କରାଯିବା ସହ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଏହି ୩ ଦିନିଆ ବିକାଶ ମେଳାର ପ୍ରତି ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ମଞ୍ଚ ପରିଚାଳନା ଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ପର୍ଯ୍ୟନ୍ତ ୧୫ ଗୋଟି କମିଟି ଗଠନ କରାଯାଇଛି ଏବଂ ପ୍ରତ୍ୟେକ କମିଟିରେ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟ ଦାୟିତ୍ୱ ପ୍ରଦାନ କରାଯାଇଛି । କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଏବଂ ସାଂସ୍କୃତିକ ମହୋତ୍ସବ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପାଦିତ ହେବ । ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଦିଆଯାଇଥିବା ଦାୟିତ୍ୱକୁ ସଠିକ ଭାବେ ନିର୍ବାହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବିକାଶ ମେଳାରେ ବିଭିନ୍ନ ବିଭାଗ ଯଥା ପୋଲିସ, ଅଗ୍ନିଶମ, ଓରମାସ, ଜିଲ୍ଲାପରିଷଦ, ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା, ରାଜନଗର ବନଖଣ୍ଡ, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ପଶୁ ଚିକିତ୍ସା, ମିଶନ ଶକ୍ତି, ହସ୍ତଶିଳ୍ପ, ସମଗ୍ର ଶିକ୍ଷା, କୃଷି ବିଜ୍ଞାନକେନ୍ଦ୍ର, ମତ୍ସ୍ୟ, ବ୍ୟାଙ୍କ, ଓଡ଼ିଶା ଜୀବିକା ମିଶନ, ଜିଲ୍ଲା ଦକ୍ଷତା ବିକାଶ ଏବଂ ନେଚର୍ସ କ୍ଲବ ପ୍ରଭୃତିର ୩୫ ଗୋଟି ଷ୍ଟଲ ଖୋଲାଯିବ । କିଛି ଷ୍ଟଲରେ ସ୍ୱହସ୍ତ ନିର୍ମିତ ସାମଗ୍ରୀ ବିକ୍ରିବଟାର ବ୍ୟବସ୍ଥା ଥିବା ବେଳେ ୨ରୁ ୩ଟି ଫୁଡ ଷ୍ଟଲ ରହିବ । ପ୍ରଥମ ଷ୍ଟଲରେ ସୁଭଦ୍ରା ଯୋଜନା ପଞ୍ଜିକରଣ, ଆଧାର ଲିଙ୍କ କରାଯିବ । ଉଦ୍ଘାଟନୀ ଉତ୍ସବରେ ୧୧ଜଣ ସୁଭଦ୍ରା ହିତାଧିକାରୀ, ଜଣେ ଆଶା କର୍ମୀ, ଜଣେ କୃଷକ, ଜଣେ ଉଦ୍ୟାନ କୃଷକ, ଜଣେ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା, ଜଣେ ପରିବେଶ ଚମ୍ପିୟାନ, ଜଣେ କ୍ରୀଡାବିତଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ନିଲୁ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।