ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଟିଇ ଏବଂ ଏସସିଇଆରଟି ସହାୟତାରେ ଏକ ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ୍ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ଏମ୍ସର ସହକାରୀ ପ୍ରଫେସର ଡା. ବିଶ୍ୱରଞ୍ଜନ ମିଶ୍ର, ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ପରିଡା, ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ, ପ୍ରାକ୍ତନ ବିଜ୍ଞାନ ପରିଦର୍ଶକ ପୀତବାସ ପଣ୍ଡା ଓ ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ “କୃତ୍ରିମ ବୁଦ୍ଧିମତା”ଉପରେ ବିଭିନ୍ନ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାର ୯ଟି ବ୍ଲକରୁ ୯ଜଣ ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଶିଳିିପୁର ମଣିନାଗେଶ୍ୱରୀ ଉଚ୍ଚବିଦ୍ୟାଳୟର ରିୟା ରୋଶନ ମହାନ୍ତି ପ୍ରଥମ, କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଆଲେମା ଫିରଦୋଷ ଦ୍ୱିତୀୟ ଏବଂ ଆଳି ଉଚ୍ଚ ବିଦ୍ୟାଳୟର ମେଘା ଦାଶ ତୃତିୟ ସ୍ଥାନ ହାସଲ କରି ଅତିଥିମାନଙ୍କ ଠାରୁ ପ୍ରମାଣପତ୍ର ଓ କପ୍ ଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ବିଚାରକ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆଇ.ଆଇ.ଏମ. ବିଭାଗ ସହକାରୀ ପ୍ରଫେସର ମାନସ ପ୍ରସାଦ ରାଉତ ଓ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର କମ୍ପ୍ୟୁଟର ବିଭାଗ ଅଧ୍ୟାପକ ସୁବ୍ରତ କୁମାର ପାତ୍ର ଯୋଗଦେଇଥିଲେ । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ରିୟା ରୋଶନ ମହାନ୍ତି ରାଜ୍ୟ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବାକୁ ମନୋନିତ ହୋଇଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ମେହେନ୍ଦିପୁର ଲାଲବାହାଦୂର ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ, ବାଲିଆ ହାଇସ୍କୁଲର ଶିବନାରାୟଣ ମହାନ୍ତି, ଫକିରାବାଦ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ, ବୀରବର ସେନାପତି ଓ ଭାଗିରଥି ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ପ୍ରତିଯୋଗୀ ଓ ଗାଇଡମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ସହକାରୀ ଶିକ୍ଷୟିତ୍ରୀ ଶର୍ମିଳା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ