ଜିଲ୍ଲା ସ୍ତରୀୟ ବିତର୍କ ପ୍ରତିଯୋଗିତା ବରିଷ୍ଠରେ ସତ୍ୟରମଣ ଓ କନିଷ୍ଠରେ ତନ୍ମୟ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦ୍ୱିତୀୟ ସ୍ୱନକ୍ଷେତ୍ର ଦିବସ ଅବସରରେ ଏକ ଜିଲ୍ଲା ସ୍ତରୀୟ ବିତର୍କ ପ୍ରତିଯୋଗିତା ସ୍ଥାନୀୟ ଗୋପସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ ୩୫ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କନିଷ୍ଠ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ‘ଓଡିଆଙ୍କ ଚଳଣିରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା’ ଏବଂ ବରିଷ୍ଠ ବର୍ଗଙ୍କ ପାଇଁ ‘ଶ୍ରୀଜଗନ୍ନାଥ ତତ୍ୱରେ ଆଧୁନିକ ଦୃଷ୍ଟିକୋଣ’ ବିଷୟ ବସ୍ତୁ ରହିଥିଲା । ଜଗନ୍ନାଥଙ୍କୁ ସାରା ବିଶ୍ୱ ଆଜି ପୂଜା କରୁଛି । ଯୁବପିଢୀଙ୍କ ମଧ୍ୟରେ ଜଗନ୍ନାଥ ଭାବନା ସୃଷ୍ଟି କରିବା ଭଳି ମହାନ କାର୍ଯ୍ୟ ଆଜି ଦୈନିକ ସକାଳ କରିପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ପ୍ରତିଯୋଗିତାର କନିଷ୍ଠ ବର୍ଗରେ ଡେରାବିଶ ଛତା ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ତନ୍ମୟ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଗୋପସ୍ଥିତ ଜାଭିୟର ହାଇସ୍କୁଲର ନାଜିଆ ଖାତୁନ ଓ ସେହି ସ୍କୁଲର ସୈାମ୍ୟା ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିଲେ । ବରିଷ୍ଠ ବର୍ଗରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସତ୍ୟରମଣ ତ୍ରିପାଠୀ ପ୍ରଥମ, ମାର୍ଶାଘାଇ କଲେଜର ଛାତ୍ରୀ ପ୍ରଜ୍ଞା ମହାନ୍ତି ଦ୍ୱିତୀୟ ଓ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସୁହାନି ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା ଯୋଗଦେଇ ସକାଳର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଆଜିର ଦିନଟି ଦୈନିକ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଆୟୋଜିତ ପ୍ରତିଯୋଗିତାର ବିଷୟ ବସ୍ତୁ ଜଗନ୍ନାଥମୟ ପରିବେଶ ସୃଷ୍ଟି କରିଛି ବୋଲି କହିଥିଲେ । ମୁଖ୍ୟ ଅତିଥି ପ୍ରତିଯୋଗୀମାନଙ୍କ ବକ୍ତୃତା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମାର୍ଶାଘାଇ କଲେଜର ଓଡିଆ ବିଭାଗ ମୁଖ୍ୟ ସୁକାନ୍ତ କୁମାର ପ୍ରଧାନ ଭୂୟସୀ ପ୍ରଶଂସା କରିଥିଲେ । ବିଚାରକ ମଣ୍ଡଳୀରେ ନିଶୁଳ୍କ ଶିକ୍ଷାଦାନ କରି ଚର୍ଚ୍ଚାରେ ଥିବା ସମାଜସେବୀ ସାଗର କୁମାର ଜେନା, ଲୋକନାଥ ମହାବିଦ୍ୟାଳୟର ରାଜନୈତିକ ବିଜ୍ଞାନ ମୁଖ୍ୟ ସୁସାନ୍ତ କୁମାର ପରିଡା, ମାର୍ଶାଘାଇ ଜୟଚନ୍ଦ୍ରପୁର ମା ତାରିଣୀ କଲେଜର ଓଡିଆ ଅଧ୍ୟାପକ ସମୀର କୁମାର ରାଉତ, ଜାଭିୟର ହାଇସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ବେହେରା, ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପିକା ପ୍ରତିଜ୍ଞା ସାମଲ ପ୍ରମୁଖ ଯୋଗଦେଇଥିଲେ । ସକାଳର ଜିଲ୍ଲା ପ୍ରତିନିଧି ଦେବଦତ୍ତ ଦାଶ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ