ଜିଲ୍ଲା ସ୍ତରୀୟ ବିଶ୍ୱ କର୍କଟ ଦିବସ ପାଳିତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିଶ୍ୱ କର୍କଟ ଦିବସ ଅବସରରେ ଏକ ସଚେତନତା ବୈଠକ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମିର୍ଜା ବାବର ବେଗ ଏହି ଦିବସ ପାଳନର ଉଦେଶ୍ୟ ଓ ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା.ଶ୍ରୀକାନ୍ତ କୁମାର ସ୍ୱାଇଁ ପାୱାର ପଂଏଟ ସାହାଯ୍ୟରେ କର୍କଟ ରୋଗର ଭୟାବହତା ଓ କିଭଳି ରୋଗ ଆରମ୍ଭରୁ ସଚେତନ ହୋଇ ଆବଶ୍ୟକ ଚିକିତ୍ସା କରାଗଲେ ରୋଗର ନିରାକରଣ କରାଯାଇପାରିବ ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଚଳିତ ବର୍ଷ ପାଇଁ ବାର୍ତ୍ତା ହେଉଛି “ମୁଁ କର୍କଟ ରୋଗ ବିରୁଦ୍ଧରେ ଲଢୁଛି ଓ ଲଢିବି” ସେ ସମ୍ପର୍କରେ ମଧ୍ୟ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ପରିବାର କଲ୍ୟାଣ) ଡା.ସଚିଦାନନ୍ଦ ମିଶ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(କୁଷ୍ଠରୋଗ) ଡା. ପି.କେ.ଦାସ, ଜିଲ୍ଲା ସମାଜକଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ମହାମାରୀ ବିଶେଷଜ୍ଞ ସୁଶାନ୍ତ କୁମାର ପଟ୍ଟନାୟକ, ସମସ୍ତ ଆଇ.ସି.ଡି. ିଏସ.ର ସି.ଡି.ପି.ଓ ଏବଂ ସୁପରଭାଇଜର,ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ବି.ପି.ଏମ.ମାନେ ଯୋଗଦେଇଥିଲେ । ଶେଷରେ ଜନସ୍ୱାସ୍ଥ୍ୟ ସଂଯୋଜକ ଆଲୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


