ଜିଲ୍ଲା ସ୍ତରୀୟ ମୋ ସ୍କୁଲ ଅଭିଯାନ
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳସ୍ଥିତ ଇଛାପୁର ହାଇସ୍କୁଲ ପରିସରରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁରାତନ ଛାତ୍ର ଭାବରେ ବିଦ୍ୟାଳୟ ପ୍ରତି ଥିବା ପ୍ରତିବଦ୍ଧତାକୁ ନଭୁଲି ବିଦ୍ୟାଳୟର ବିକାଶ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏଥିସହିତ ସ୍କୁଲଦିନର ପୁରୁଣାସ୍ମୃତିକୁ ରୋମନ୍ଥନ କରି ଅତୀତର ସେହି ଦିନ ଗୁଡିକ ଅଭୁଲା ସ୍ମୃତି ହୋଇରହିଥିବ ବୋଲି କହିଥିଲେ ଜିଲ୍ଲାପାଳ । ଆମ୍ଭମାନଙ୍କୁ ସମାଜରେ ପ୍ରତିଷ୍ଠା ଦେଇଥିବା ସେହି ସ୍କୁଲର ସର୍ବାଙ୍ଗିନ ବିକାଶ ପାଇଁ ସମ୍ମିଳିତ ଭାବେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ ଜିଲ୍ଲାପାଳ ଶ୍ରୀ ଋତୁରାଜ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ହାଇସ୍କୁଲର “ମୋ ସ୍କୁଲ ଅଭିଯାନ”ର ପୁରାତନ ଛାତ୍ରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ଧନ୍ୟବାଦ ପତ୍ର ମୁଖ୍ୟ ଅତିଥି ସେମାନଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲା ବିଜ୍ଞାନ ପରିଦର୍ଶକ ପୀତବାସ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ମୋ ସ୍କୁଲ ଅଭିଯାନର ସଂଯୋଜକ ନିଶିଥ କୁମାର ବାରିକ ମୋ ସ୍କୁଲ ଅଭିଯାନର ଲକ୍ଷ୍ୟ, ଉଦେଶ୍ୟ ଓ ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଇଛାପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।