ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ବୈଠକ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ବାର୍ଷିକ ସଭା ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ କଲେଜ ଅଧ୍ୟକ୍ଷ ପ୍ରାଧ୍ୟାପକ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଉଦଘାଟନ କରିବା ସହ ଯୁବ ରେଡକ୍ରସର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ସଭାକୁ ଜିଲ୍ଲା ଯୁବ ରେଡକ୍ରସର ଆବାହକ ସମ୍ପାଦକ ତଥା ବରିଷ୍ଠ ଅଧ୍ୟାପକ ଅଶୋକ କୁମାର ଦାସ ପରିଚାଳନା କରିଥିଲେ । କଲେଜ ଉପାଧ୍ୟକ୍ଷ ପ୍ରାଧ୍ୟାପକ ଗୋପାଳ ଚନ୍ଦ୍ର ବେହେରା ବର୍ତ୍ତମାନ ପରିପ୍ରେକ୍ଷୀରେ ଯୁବ ରେଡକ୍ରସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସଭାରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟମାନଙ୍କର କାଉନସେଲରମାନେ ଯୋଗଦେଇ ସେମାନଙ୍କ ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ । ମହାକାଳପଡା ଡଙ୍ଗାବୁଡି ଓ ବିଗତ ବୁଲବୁଲ ବାତ୍ୟାରେ ବି.ଆର.ବିଜ୍ଞାନ ମହାବିଦ୍ୟାଳୟର କାଉନସେଲରଙ୍କ ଭୂମିକାକୁ ଭୂୟସି ପ୍ରଶଂସା କରାଯାଇଥିଲା । ଏହି ସଭାରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର କାଉନସେଲର ମନୋଜ କୁମାର ଜେନା ବିଭିନ୍ନ ସଚେତନତା ସଭା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇବା ପାଇଁ ମତ ରଖିଥିଲେ । ଶେଷରେ କାଉନସେଲର ଅଧ୍ୟାପକ ରତ୍ନାକର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।