ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସମିତି ବୈଠକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସମିତି ବୈଠକ ମଙ୍ଗଳବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚିହ୍ନଟ ହୋଇଥିବା କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଓ ଦୈତାରୀ – ପାରାଦୀପ ୫ନମ୍ବର (କ) ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଥିବା ବ୍ଲାକ ସ୍ପଟ ସମ୍ପର୍କରେ ଆଲୋଚନା କରାଯାଇ ରାଜ୍ୟ ରାଜପଥର କୁଶୁନପୁର,ଚଣ୍ଡିବଜାର ଛକ, ଆଳିର ସିଙ୍ଗିରିଛକରେ ରାଜ୍ୟ ରାଜପଥ କତ୍ତୃପକ୍ଷଙ୍କ ଦ୍ୱାରା ହମ୍ପସ ନିର୍ମାଣ କରାଯିବା ପାଇଁ ନିର୍ଦେଶ ଦିଆଯାଇଥିବା ବେଳେ ୫ନମ୍ବର (କ) ଜାତୀୟ ରାଜପଥର ଖମରପଡା ଛକ,ଛଗରିଆ ଛକ,ମାର୍ଶାଘାଇଛକ ଓ ହଳଦିଆଗଡା ଛକରେ ହମ୍ପସ ନିର୍ମାଣ କରିବାକୁ ଜାତୀୟ ରାଜପଥ କତ୍ତୃପକ୍ଷଙ୍କୁ ନିର୍ଦେଶ ପ୍ରଦାନ କରାଯାଇଥିଲା । ଯଦି ଏହି ଦୁଇଟି ରାସ୍ତାର ଅନ୍ୟ କୈାଣସି ସ୍ଥାନରେ ବ୍ଲାକ ସ୍ପଟ ଥାଏ ତେବେ ସେ ସମ୍ପର୍କରେ ଆସନ୍ତା ବୈଠକରେ ଜଣାଇବାକୁ ସଭ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଦୁହୁରିଆ ଓଭରବ୍ରିଜ ଠାରୁ ଏନ.ଏଚ.୫୩ ପର୍ଯ୍ୟନ୍ତ ରାସ୍ତା, ବଳଭଦ୍ରପୁର ପେଟ୍ରୋଲପମ୍ପ ଠାରୁ କେନ୍ଦ୍ରାପଡା ଏବଂ ଗୋପଛକ ପୂର୍ବରୁ ଜାତୀୟ ରାଜପଥକୁ ମରାମତି କରାଯିବାକୁ ସଂପୃକ୍ତ ବିଭାଗୀୟ କତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଗଲା । ଏନ.ଏଚ.-୫୩ରେ ସ୍ପିଡଲିମିଟ ସୂଚନା ଫଳକ ବୋର୍ଡ ଲଗାଯିବା,ସଡକ ସୁରକ୍ଷା ସମ୍ପର୍କୀତ ପୋଲିସ ଓ ଆଂଚଳିକ ପରିବହନ ବିଭାଗର ମିଳିତ ଯାଂଚ କରାଯିବା,ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଆର.ଟି.ଓ.ଙ୍କ ମିଳିତ ସଂଯୋଜନାରେ ସଡକ ସୁରକ୍ଷା ସମ୍ପର୍କରେ ବିଭିନ୍ନ ସ୍କୁଲରେ ସଚେତନତା କ୍ୟାମ୍ପେନ କରାଯିବା,ବାରମ୍ବାର ଆଲୋଚନା ପରେବି ପୋଲିସ କିମ୍ବା ଡାକ୍ତରଖାନା କତ୍ତୃପକ୍ଷ ଦୂର୍ଘଟଣାଗ୍ରସ୍ତଲୋକଙ୍କୁ ଡାକ୍ତରଖାନାରେ ପହଁଚାଉଥିବା ବ୍ୟକ୍ତିଙ୍କୁ ୨ହଜାରଟଙ୍କାର ପୁରସ୍କାର ପାଇଁ ନାମ ସୁପାରିଶ କରାନଯିବା,ରାସ୍ତାରେ ଗାଈ,ଗୋରୁ,ଛେଳି,ମେଣ୍ଢା,ଷଣ୍ଢ ପ୍ରଭୃତିଙ୍କୁ ଅନ୍ୟ ରାସ୍ତା ସମେତ ବିଶେଷତଃ ୯ନମ୍ବର ରାଜ୍ୟ ରାଜପଥର ଆଳିର ସିଙ୍ଗିରିଛକ,ବ୍ଲକଛକ,ସାନବଡ ଗୋପାଳପୁର ଛକ,ରାଜନଗର,ପତ୍ରପୁର ବ୍ରିଜରୁ ବିଲେଇକଣା ଛକରେ ଦୂର୍ଘଟଣାକୁ ଏଡାଇଯିବା ନିମନ୍ତେ ବାରଣ କରାଯିବା,ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ତିନିମୁହାଣିଛକରେ ଟ୍ରାଫିକ ପୋଷ୍ଟ କ୍ୟାବିନ ନିର୍ମାଣ ପ୍ରଭୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗାଗାରିନ ମହାନ୍ତି,କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଏଡିଏମଓ(ପିଏଚ)ଡା.ମିର୍ଜାବାବର ବେଗ,ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପୀତବାସ ପଣ୍ଡା,ପୂର୍ତ୍ତ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ବିଜୟାନନ୍ଦ ଦାଶ, ଭାରପ୍ରାପ୍ତ ଆରଟିଓ ନିଖିଳ କୁମାର ପଟ୍ଟନାୟକ,ଅତିରିକ୍ତ ଆରଟିଓ ପ୍ରିୟବ୍ରତ ମହାନ୍ତି,ସ୍ୱେଛାସେବୀ ସଂଗଠନ ପ୍ରତିନିଧି ବିଧୁଭୂଷଣ ମହାପାତ୍ର,ପ୍ରଫୁଲ୍ଲ ସାମନ୍ତରାୟ,ସାମ୍ବାଦିକ ଭୈରବ ବ୍ରହ୍ମା,ପ୍ରଭାତ ପରିଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ