ଜିଲ୍ଲା ସ୍ତରୀୟ ସୁକନ୍ୟା ସମୃଦ୍ଧି ମେଳା ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଭାରତ ସରକାରଙ୍କ ‘ବେଟି ବଚାଓ ଓ ବେଟି ପଢାଓ’ ସ୍ଳୋଗାନ ମାଧ୍ୟମରେ ଶିଶୁକନ୍ୟାଙ୍କ ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଜନସାଧାରଣଙ୍କୁ ପ୍ରଚାର ମାଧ୍ୟମରେ ସଚେତନ କରାଯାଉଛି । ଶିଶୁକନ୍ୟାମାନଙ୍କ ଅର୍ଥନୈତିକ ସୁରକ୍ଷା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଏକ ସମୟୋଚିତ ପଦକ୍ଷେପ ବୋଲି କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ସୁକନ୍ୟା ସମୃଦ୍ଧି ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଛନ୍ତି । କେନ୍ଦ୍ରାପଡା ମୁଖ୍ୟ ଡାକଘର ପରିସରରେ ଶନିବାର ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରାପଡା ଡାକ ମଣ୍ଡଳର ମିଳିତ ଆନୁକୂଲ୍ୟରେ ଡାକମଣ୍ଡଳର ଅଧିକ୍ଷକ ନିରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସୁକନ୍ୟା ସମୃଦ୍ଧି ମେଳା ଅନୁଷ୍ଠିତ ହୋଇଯାଇଛି । ଶିଶୁକନ୍ୟାକୁ ସ୍ନେହ ଆଦର ସହ ଅର୍ଥନୈତିକ ସୁରକ୍ଷା ଦେବା ପାଇଁ କେନ୍ଦ୍ରାପଡାର ପ୍ରତ୍ୟେକ ବାପାମାଆମାନେ ଏହି ଯୋଜନାରେ ସାମିଲ ହେବା ସହ ଯୋଜନାକୁ ଶତ ପ୍ରତିଶତ ସଫଳ କରିବା ନିମନ୍ତେ ମୁଖ୍ୟ ଅତିଥି ଆହ୍ୱାନ ଦେଇଥିଲେ । ସମନ୍ୱିତ ଶିଶୁ ବିକାଶ ଯୋଜନାରେ ପରିଦର୍ଶକ, ଅଙ୍ଗନୱାଡିକର୍ମୀ ଓ ପୋଷ୍ଟାଲ ଏଜେଣ୍ଟମାନେ ଏହି ଯୋଜନାକୁ ସଫଳ କରିବା ନିମନ୍ତେ ନେଇଥିବା କାର୍ଯ୍ୟଶୈଳିକୁ ମୁଖ୍ୟ ଅତିଥି ପ୍ରଶଂସା କରିଥିଲେ । ସୁକନ୍ୟା ଜମାଖାତା ସର୍ବନିମ୍ନ ୨୫୦ଟଙ୍କାରେ ଖୋଲାଯାଇପାରିବ । ଆକାଉଂଟ ଖୋଲିବା ତାରିଖ ଠାରୁ ୧୫ବର୍ଷ ପର୍ଯ୍ୟନ୍ତ ଅର୍ଥ ଜମା କରିବାକୁ ପଡିବ । ଏହାର ୬ବର୍ଷ ପରେ ଅର୍ଥାତ ୨୧ବର୍ଷରେ ଜମାରାଶି ସହ ସର୍ବାଧିକ ସୁଧରାଶି ଉଠାଣ ହୋଇପାରିବ । ଏହି ମେଳାରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ରାଜେନ୍ଦ୍ର ଆଚାର୍ଯ୍ୟ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ, ସମାଜ କଲ୍ୟାଣ ଉପ ବିଭାଗର ପ୍ରୋଗ୍ରାମ ସଂଯୋଜକ ମନୋରଞ୍ଜନ ଦାସ, ମୁଖ୍ୟ ଡାକପାଳ ଜ୍ଞାନଚାନ୍ଦ ପରିଡା ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀ, ପୋଷ୍ଟାଲ ଏଜେଣ୍ଟ ଓ ବୁଦ୍ଧିଜିବୀମାନେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ସୁକନ୍ୟା ସମୃଦ୍ଧି ଯୋଜନାରେ ସହରର ୧୨ଜଣଙ୍କୁ ଆକାଉଣ୍ଟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଡାକମଣ୍ଡଳ ଅଧିକ୍ଷକ ଶ୍ରୀ ମହାନ୍ତି ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ