ଜିଲ୍ଲା ସ୍ତରୀୟ ସୂଚନା ଅଧିନିୟମ ସମ୍ପର୍କିତ କର୍ମଶାଳା
କେନ୍ଦ୍ରାପଡା : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ସୂଚନା ଅଧକାର ଆଇନ -୨୦୦୫ ସମ୍ପର୍କିତ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କର୍ମଶାଳାକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନକରି ସୂଚନା ଅଧିକାର ଆଇନ ସମ୍ପର୍କିତ ଦାଇତ୍ୱ ସରକାରୀ କାର୍ଯ୍ୟାଳୟର ଜନସୂଚନା ଅଧିକାରୀମାନେ ସଠିକ ଭାବରେ ସମ୍ପନ୍ନ କରିବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ‘୫-ଟି କାର୍ଯ୍ୟକ୍ରମ’ ସହ ‘ମୋ ସରକାର’ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସୂଚନା ଅଧିକାର ଆଇନ ବଳରେ କିପରି ସ୍ୱଛତା ଆସିଛି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଲୁମିନସ ଇନଫୋସିସର ରିସୋର୍ସ ପରସନ ହର୍ସ ପରିଛା ଯୋଗଦେଇ ସୂଚନା ଅଧିକାର ଆଇନ ସମ୍ପର୍କରେ ବୁଝାଇବା ସହ ଅନଲାଇନରେ ସୂଚନା ପ୍ରଦାନ ପ୍ରତି ଗୁରୁତ୍ୱାରୋପ କରିଥିଲେ । ସ୍ୱେଛାକୃତ ସୂଚନାରେ ନାଗରିକ ସନ୍ତୁଷ୍ଟ ନହେଲେ ୱେବ ସାଇଟ ମାଧ୍ୟମରେ ଅନଲାଇନରେ ସୂଚନା ମାଗି ପାରିବେ । ସୂଚନା ମାଗି ଯଦି ନପାଇଲେ ତେବେ ସେହି କାର୍ଯ୍ୟାଳୟର ପ୍ରଥମ ଅପିଲ କତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିପାରିବେ କିମ୍ବା ସୂଚନା କମିଶନଙ୍କ ନିକଟରେ ଅପିଲ କରିପାରିବେ । ଯଦି ସୂଚନା ଅଧିକାରୀ ଭୁଲ ତଥ୍ୟ ପ୍ରଦାନ କରନ୍ତି କିମ୍ବା ସୂଚନା ନଦିଅନ୍ତି ତେବେ ସୂଚନା କମିଶନ ତାଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିପାରିବେ ଓ ତାଙ୍କ ବିରୋଧରେ ଶୃଙ୍ଖଲାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସରକାରଙ୍କୁ ସୁପାରିଶ କରିପାରିବେ । ଏଥିପାଇଁ ଦିନକୁ ୨୫୦ଟଙ୍କା କରି ସର୍ବାଧିକ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଖିଲାପକାରୀ ଅଧିକାରୀଙ୍କ ଠାରୁ ଆଦାୟ କରାଯିବାର ବ୍ୟବସ୍ଥା ରହିଛି । ସୂଚନା ପାଇବା ପାଇଁ ଦରଖାସ୍ତ ବ୍ୟକ୍ତିଗତ ଭାବେ, ଡାକଯୋଗେ ବା ଅନଲାଇନ ମାଧ୍ୟମରେ କରାଯାଇପାରିବ । ବିପିଏଲ କାର୍ଡଧାରୀମାନଙ୍କୁ ଏଥିନିମନ୍ତେ କୈାଣସି ଫିସ ଦେବାକୁ ପଡିବ ନାହିଁ । ସୂଚନା ପଯୁକ୍ତି(ଆଇଟି) ମାଧ୍ୟମରେ ସୂଚନା ଅଧିକାର ଆଇନ – ୨୦୦୫କୁ ସାରା ରାଜ୍ୟରେ କାର୍ଯ୍ୟକାରି କରିବା ପାଇଁ ପଦକ୍ଷେପ ନିଆଯାଉଛି । ପ୍ରତ୍ୟେକ ସରକାରୀ କତ୍ତୃପକ୍ଷ ଧାରା ୪(୧ବି) ଅନୁଯାଇ ୧୨ ପ୍ରକାର ସ୍ୱେଛାକୃତ ସୂଚନା ପ୍ରଦାନ କରିବେ । ଏହି କର୍ମଶାଳାକୁ ସୂଚନା ଓ ଲୋକସମ୍ପର୍କ ବିବାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ ପରିଚାଳନା କରିଥିବା ବେଳେ ଡିଏସପି ଶୁଭେନ୍ଦୁ ସିଂ,ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା,ବାସୁଦେବ ଦାସ,ଜିଲ୍ଲା କାର୍ଯ୍ୟାଳୟରଜନ ସୂଚନା ଅଧିକାରୀ ସବିତା ସାହୁ ପ୍ରମୁଖ ମଂଚାସୀନ ଥିଲେ । ଏହି କର୍ମଶାଳାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଜନସୂଚନା ଅଧିକାରୀ, ସହକାରୀ ଜନ ସୂଚନା ଅଧିକାରୀ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।


