ଜିଲ୍ଲା ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ସଦର ମହକୁମାଠାରେ ୭୫ ତମ ସାଧାରଣତନ୍ତ୍ର ଦିବସ -୨୦୨୪ ମହାସମାରୋହରେ ପାଳନ କରାଯିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ଘ. ୫.୩୦ ମି. ସମୟରେ ସଦଭାବନା ସଭା ଗୃହଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବାଲେଶ୍ବର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଦୁଲାଳସେନ ଜଗଦ୍ଦେବ, ଡି.ଏସ.ପି. ଡି.ଆଇ.ବି ଶ୍ରୀମତୀ ବ୍ରଜେଶ୍ବରୀ ବଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ମଞ୍ଚାସୀନ ଥିବା ବେଳେ ଜିଲ୍ଲାର ବିଭାଗୀୟ ଅଧିକାରୀ, ପୋଲିସ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ଅନ୍ୟାନ୍ୟ ସଦସ୍ୟଗଣ ଯୋଗ ଦେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ମାଧ୍ୟମରେ ଏବର୍ଷ ସାଧାରଣତନ୍ତ୍ର ଦିବସକୁ ଆଡ଼ମ୍ବରରେ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ। ଉକ୍ତ ବୈଠକରେ ସାଧାରଣତନ୍ତ୍ର ଦିବସ -୨୦୨୪ ପାଳନ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଆଲୋଚନା କରାଯିବା ସହ ଏହି ଜାତୀୟ ଉତ୍ସବକୁ ସମ୍ମାନ ଓ ମର୍ଯ୍ୟlଦାର ସହିତ ଜାତୀୟତାବୋଧ ବଜାୟ ରଖି ଜିଲ୍ଲାସ୍ତରୀୟ ଉତ୍ସବ ପାଳନରେ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ବିଭାଗ, ସ୍ଵେଚ୍ଛାସେବି ସଂଗଠନ, ଗଣମାଧ୍ୟମ ଏବଂ ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ Iବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ I ସବିଶେଷ ଆଲୋଚନା ପରେ, ପୂର୍ବବର୍ଷର ସମସ୍ତ କାର୍ଯ୍ୟ ବିବରଣୀ ଦ୍ୱାରା ଏ ବର୍ଷର କାର୍ଯ୍ୟକ୍ରମ ମାନ ସ୍ଥିରୀକୃତ ହୋଇ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା I ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ରାମଧୂନ, ପ୍ରଭାତଫେରୀ ଜାତୀୟ ପତାକା ଉତ୍ତୋଳନ ଓ ମୁଖ୍ୟ ଅତିଥିଙ୍କ ଅଭିବାଦନ ଗ୍ରହଣ, ଅନୁଷ୍ଠାନ ମାନଙ୍କରେ ଫଳ-ବିସ୍କୁଟ /ମିଷ୍ଠାନ୍ନ ବଣ୍ଟନ, ରକ୍ତଦାନ ଶିବିର, ପୁଷ୍ପପ୍ରଦର୍ଶନୀ, ପ୍ରତିମୂର୍ତ୍ତି ମାଲ୍ୟାର୍ପଣ, ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ, ଚିତ୍ରକଳା ପ୍ରଦର୍ଶନୀ, ପୁରସ୍କାର ବିତରଣୀ ଉତ୍ସବ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ବିଷୟରେ ଅତିରିକ୍ତ ଜିଲ୍ଲାପାଳ ଆଲୋଚନା କରି ସମସ୍ତ ବିଭାଗୀୟ କର୍ମଚାରୀଙ୍କୁ ଯଥାରୀତି ଦାୟିତ୍ୱ ନେବା ବିଷୟରେ ଅବଗତ କରାଇଥିଲେ I ସାଧାରଣ କ୍ରୀଡା, ସ୍କୁଲ ସ୍ତରୀୟ କ୍ରୀଡା ଆଦିରେ ବାଲେଶ୍ବର ପାଇଁ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯିବ। ସାମ୍ବାଦିକତା କ୍ଷେତ୍ରରେ ଉଭୟ ଛାପା ଏଵଂ ବୈଦ୍ୟୁତିକ ଗଣମାଧ୍ୟମରେ ବିଶେଷ ଅବଦାନ ରଖିଥିବା ସାମ୍ବାଦିକଙ୍କୁ ପୁରସ୍କୃତ କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ସର୍ବସମ୍ମତି ନାମ ସୁପାରିଶ କରିବା ପାଇଁ ପ୍ରେସ ସଂଘକୁ ଅନୁରୋଧ କରାଯିବ। ପ୍ୟାରେଡ ଅଭ୍ୟାସ ଆସନ୍ତା ଜାନୁଆରୀ ୨୨,୨୩ ଓ ୨୪ତାରିଖରେ କରାଯିବ। ସନ୍ଧ୍ୟାରେ ଗାନ୍ଧୀ ସ୍ମୃତି ଭବନଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ପୁରସ୍କାର ବିତରଣ କରାଯିବ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବୈଠକରେ ସଦସ୍ୟମାନେ ଉତ୍ସାହିତ ଭାବେ ଆଲୋଚନା କରି ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରିଥିଲେ। ପରିଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଅତିରିକ୍ତ ଜିଲ୍ଲାପାଳଙ୍କ ଅନୁମତି କ୍ରମେ ସଭା ସାଙ୍ଗ କରିବାକୁ ଘୋଷଣା କରିଥିଲେ I


