ଜିଲ୍ଲା ସ୍ତରୀୟ ୮୭ ତମ ଓଡିଶା ଦିବସ ମହୋତ୍ସବ ମହାସମାରୋହରେ ପାଳିତ 

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ୮୭ତମ ଓଡିଶା ଦିବସ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପୂର୍ବାହ୍ନ ଘ.୦୫.୦୦ମି. ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ବାରା ଡାକବାଜି ଯନ୍ତ୍ର ଯୋଗେ ବନ୍ଦେ ଉତ୍କଳ ଜନନୀ ଗାନପୂର୍ବକ ସହର ପରିକ୍ରମା କରାଯାଇଥିଲା । ପୂର୍ବାହ୍ନ ଘ.୦୮.୦୦ମି.. ସମୟରେ ସହରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ଦ୍ବାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପୂର୍ବାହ୍ନ ଘ. ୧୦. ୦୦ ମି. ସମୟରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଏହି ଉପଲକ୍ଷେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ବରପୁତ୍ର ମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ପ୍ରଦୀପ ପ୍ରଜ୍ଜଳନ ପରେ ଆର୍ମି ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବନ୍ଦେ ଉତ୍କଳ ଜନନୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଭାଷାଭିତ୍ତିକ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଉତ୍କଳ ସମ୍ମିଳନୀର ବିଶେଷ ଅବଦାନ ରହିଛି ଏବଂ ଏହାର ମୂଳଦୁଆ ଗଞ୍ଜାମ ଜିଲ୍ଲାରେ ପଡିଛି ବୋଲି ସଂପାଦକ ଉତ୍କଳ ଆଶ୍ରମ ତଥା ଓଡିଆ ବିଭାଗୀୟ ମୁଖ୍ୟ ଡଃ ସିଦ୍ଧାର୍ଥ ଶଙ୍କର ଷଡଙ୍ଗୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସଭାପତି ଭାବେ ଯୋଗ ଦେଇ କହିଥିଲେଯେ, ଆଜିର ଏହି ସ୍ମରଣୀୟ ଦିବସରେ ଓଡିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସମସ୍ତ ଓଡିଶାବାସୀ ଧ୍ୟାନ ଦେବା ଉଚିତ୍ । ଆମେ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ ଜଣାଇଲେ ଆମେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସମ୍ମାନୀତ ହେବା ଏଥିରେ ସନ୍ଦେହର ଅବକାଶ ନାହିଁ । ଯେଉଁ ବରପୁତ୍ର ମାନେ ଖଣ୍ଡ ବିଖଣ୍ଡିତ ଓଡିଶାକୁ ଏକତ୍ରୀକରଣ କରିଥିଲେ ସେମାନଙ୍କୁ ଆଜିର ଦିନରେ ଭକ୍ତିଭରା ହୃଦୟରେ ପ୍ରଣତି ଜଣାଇ ସେମାନଙ୍କୁ ସ୍ମରଣ କରିବା । ମାନ୍ୟବର ଅଧ୍ୟକ୍ଷା ଜିଲ୍ଲା ପରିଷଦ ଗଞ୍ଜାମ ଶ୍ରୀମତୀ ଅଞ୍ଜଳୀ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେଯେ, ବହୁ ବରେଣ୍ୟ ବ୍ୟକ୍ତି ବିଶେଷଙ୍କର ଦୀର୍ଘ ଦିନର ସାଧନା ଓ ସଂକଳ୍ପର ଫଳ ସ୍ବରୂପ ୧୯୩୬ ମସିହା ଅପ୍ରେଲ ୧ ତାରିଖ ଦିନ ବ୍ରିଟିଶ୍ ଶାସନ ସମୟରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଆତ୍ମ ପ୍ରକାଶ କଲା । ଭାଷା ଭିତ୍ତିରେ ପ୍ରଦେଶ ଗଠନର ସ୍ବର ପ୍ରଥମେ ମଧୁବାବୁ ହିଁ ଉଠାଇ ଥିଲେ । ଛତ୍ରପୁର ମାନ୍ୟବର ବିଧାୟକ ସୁବାଷ ଚନ୍ଦ୍ର ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କହିଥିଲେଯେ, ଉତ୍କଳ ସମ୍ମିଳନୀ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଅଭିଯାନ ଆରମ୍ଭ କରିଥିଲା । ଓଡିଶାର ଓ ଓଡିଆ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ଥିଲା ତାର ଲକ୍ଷ୍ୟ । ଓଡିଶାର ଆର୍ଥିକ ବିକାଶ ସହ ଉତ୍କଳ ସନ୍ତାନ ଭାବେ ସ୍ବତନ୍ତ୍ର ପରିଚୟ ବହନ କରୁଥିବା ସମସ୍ତ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଭାଇଚାରା ଓ ସଦ୍ଭାବ ପ୍ରତିଷ୍ଠା ଥିଲା ଏହାର ଅନ୍ୟତମ ଲକ୍ଷ୍ୟ । ଏଥିପାଇଁ ଆମେ ଆଜିର ଦିନରେ ସେହି ବରେଣ୍ୟ ବରପୁତ୍ର ମାନଙ୍କୁ ଭକ୍ତପୂତ ସମ୍ମାନ ଜଣାଉଛୁ, ଯାହାଙ୍କର ଅହରହ ପ୍ରଚେଷ୍ଟା ଫଳରେ ଓଡିଆ ଜାତି ତାର ଏକ ସ୍ୱତନ୍ତ୍ର ସ୍ଥିତି ଓ ପରିଚୟ ସୃଷ୍ଟି କରିପାରିଛି । ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ମାନ୍ୟବର ଅଧ୍ୟକ୍ଷା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା । ପରେପରେ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ ପରିଡା କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଆର୍ମି ପବ୍ଲିକ ସ୍କୁଲ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ