ଜିଲ୍ଲା ସ୍ତରୀୟ ୱାକଥନ ଓ ପଥ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପ୍ରତ୍ୟେକ ଭୋଟ୍ ମୂଲ୍ୟବାନ । ତେଣୁ ଭୋଟର୍ ତାଲିକାରେ ରହିଯାଇଥିବା ତ୍ରୁଟିର ସଂଶୋଧନ ଏବଂ ନୂତନ ପଞ୍ଜିକରଣ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୱାକଥନ୍ ଓ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଉପରେ ସଚେତନତା ସୃଷ୍ଟି କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ରଙ୍ଗୋଲି ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ସକାଳ ୮ ଘଟିକା ସମୟରେ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ପୁରୁଣା ବସ୍‌ଷ୍ଟାଣ୍ଡ, ବଡ଼ହାଟ, କାକଟ, ନୂଆ ବସଷ୍ଟାଣ୍ଡ ଦେଇ ପୈାରସଂସ୍ଥା ଟାଉନହଲରେ ପହଂଚିଥିଲା । ବିଭିନ୍ନ ସ୍ଲୋଗାନ୍ ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଚାର କରାଯାଇଥିବା ବେଳେ ଘୋଡ଼ାନାଚ ଦ୍ୱାରା ବିମ୍ବାଧର ମୁଦୁଲି ଓ ତାଙ୍କ ସାଥିମାନେ ଭୋଟର ତାଲିକା ସଂଶୋଧନ ପାଇଁ ବାର୍ତ୍ତା ବାଣ୍ଟିଥିଲେ । ପୈାର ଟାଉନହଲରେ ପାୟଲ୍ ମ୍ୟୁଜିକ୍ ସ୍କୁଲ୍‌, ରୟାଲ୍ ଡ୍ୟାନ୍‌ସ ଏକାଡେମୀ ଓ ଗଡ୍‌ମେକର୍‌ର କଳାକାରମାନେ ନୃତ୍ୟ ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟିଥିବା ବେଳେ ମା’ ବୁଢ଼ୀ ଜାଗୁଳାଇ ପାଲାସଂଘ ପାଲା ମାଧ୍ୟମରେ ଭୋଟର୍ ତାଲିକାର ତ୍ରୁଟି ସଂଶୋଧନ ପାଇଁ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ସଞ୍ଜୟ ମଥାନ ଓ ସାଥିମାନେ ଆକର୍ଷଣୀୟ ଯୋଗକଳା ପ୍ରଦର୍ଶନ କରି ସଚେତନ କରାଇଥିଲେ । ସୂଚନାଯୋଗ୍ୟ ଯେ ଏହି ସଂଶୋଧନ ପ୍ରକ୍ରିୟା ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଅନ୍‌ଲାଇନ୍ ଯୋଗେ ଫର୍ମ ୬ରେ ନୂତନ ନାମ ପଞ୍ଜିକରଣ ପାଇଁ ବ୍ୟବସ୍ଥା ଥିବା ବେଳେ ଫର୍ମ ୭ରେ ତାଲିକାରେ ଥିବା ନାମ ବାଦ୍ ପାଇଁ ଓ ଫର୍ମ ୮ରେ ନାମ/ତଥ୍ୟ/ଫଟୋ/ଠିକଣା ସଂଶୋଧନ ପାଇଁ ଆବେଦନ କରିହେବ । ସ୍ୱତନ୍ତ୍ର ପ୍ରଚାର ଦିବସରେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ନିକଟରେ ନଭେମ୍ବର ମାସର ୫, ୧୧,୧୯,୨୫ ତାରିଖରେ ମଧ୍ୟ ଆବେଦନ କରିହେବ । ପୈାର ଟାଉନହଲ୍‌ରେ ଅନୁଷ୍ଠିତ ପଥ ଉତ୍ସବରେ ଯୋଗଦେଇ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ କହିଥିଲେ ଯେ ସଚେତନ ନାଗରିକମାନେ ହିଁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିପାରିବେ । ତେଣୁ ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲାର ସମସ୍ତ ଭୋଟଦାତାଙ୍କୁ ଏବଂ ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ୧୮ବର୍ଷ ପୁରୁଥିବା ନୂତନ ଭୋଟର୍‌ମାନଙ୍କୁ ଆଗେଇ ଆସି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ପୀତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଉପ ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି ନିର୍ବାଚନ ଅଧିକାରୀ ଶିବାଶିଷ ପରିଡ଼ା, ପୈାରନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଶିକ୍ଷାବିତ୍ ନନ୍ଦ କିଶୋର ପରିଡ଼ା, ଶ୍ରୀମା’ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ, ନାଟ୍ୟକାର ହରପ୍ରିୟା ଓଝା, ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସତ୍ୟଭାମା ସେଠୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ