ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ସଂଗ୍ରାମୀ ଭବାନୀଙ୍କ ବିୟୋଗରେ ସ୍ମୃତିସଭା
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସଙ୍ଘର ସଭାପତି,ପ୍ରାକ୍ତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନକୁଳ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ତାଙ୍କ ଗୁଲନଗରସ୍ଥିତ ବାସଭବନରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସଂଗ୍ରାମୀ ଭବାନୀବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପାର୍ଥନା କରାଯାଇଥିଲା । ସଭାପତି ନକୁଳବାବୁଙ୍କ ଅସୁସ୍ଥତା ଯୋଗୁଁ ସମିତିର ମୁଖ୍ୟ ଉପଦେଷ୍ଟା ତଥା ପ୍ରଫେସର ନନ୍ଦକିଶୋର ପରିଡା ସଭାକାର୍ଯ୍ୟ ପରିଚାଳନା କରି ରାଜ୍ୟ ଜଣେ ବିଶିଷ୍ଟ ଗାନ୍ଧୀବାଦୀ,ଦରଦୀ ମଣିଷ ତଥା ପ୍ରବୀଣ ରାଜନେତାଙ୍କୁ ହରାଇଲା ବୋଲି କହିଥିଲେ । ସଂସଦର ସମ୍ପାଦକ ଗୋପାଳକୃଷ୍ଣ ଜେନା ପଦ୍ମଶ୍ରୀ ଭବାନୀବାବୁଙ୍କ ଗୁଣାବଳିକୁ ସ୍ମୃତିଚାରଣ କରି ତାଙ୍କର ବିୟୋଗ ରାଜ୍ୟ ପାଇଁ ଏକ ଅପୁରଣନିୟ କ୍ଷତି ବୋଲି ବକ୍ତବ୍ୟ ରଖିଥିଲେ । ତାଙ୍କର ଶୂନ୍ୟସ୍ଥାନ ପୁରଣ କରିବା ସହଜ ନୁହେଁ ବୋଲି ସମିତିର ମୁଖ୍ୟ ସଂଗଠକ ବିଚିତ୍ରାନନ୍ଦ ନାୟକ ମତବ୍ୟକ୍ତ କରିଥିଲେ । ଏହି ସ୍ମୃତିସଭାରେ ଅନ୍ୟମାନଙ୍କ ମଧ୍ୟରେ ସଂଗ୍ରାମୀ ବିମ୍ବାଧର ମୁଦୁଲି,ଦାୟାଦ କୁଳମଣି ରାଉତ,ଅକ୍ଷୟ ରାଉତ, ଶଶିକାନ୍ତ ଦାସ,ମୀନତୀ ଦାସ,ରମେଶ ପ୍ରଧାନ,ପଦ୍ମଚରଣ ଦାସ,ତୁଷାର ଘୋଷ,କୈଳାସ ମହାନ୍ତି ପ୍ରମୁଖ ଯୋଗଦେଇ ସୂର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।