ଜୀବନର ଗୋଟେ ପୃଷ୍ଠା
ରଦ୍ଦି କହି ଆମ ଘରୁ ଘରେ ବାହାରୁଥିବା ଅଳିଆକୁ ସବୁଦିନ ଆସି ନେଇଯାଏ ରସିଦ ମିଆଁ .ଦିନେ ନଆସିଲେ କୁଢ଼ କୁଢ଼ ଅଳିଆ ଜମା ହୋଇଯାଏ ଆଉ ସେ ଏବେ ପନ୍ଦର ଦିନ ହେବ ଆସୁନି ତ ରଦ୍ଦି ପାହାଡ଼ ଗଦା ଘରେ ଘରେ ସାଇ ଓ ପଡ଼ାରେ. କାହାର ସିନା କାଉ କା କା ରବିଲେ ନିଦ ଭାଙ୍ଗେ ହେଲେ ଅଶୋକଙ୍କର ରସିଦ ମିଆଁଙ୍କ ଅଳିଆବୁହା ଠେଲା ଗାଡିର ଧକଡ଼ କଚଡ଼ରୁ ଉତ୍ପନ୍ନ ଶବ୍ଦରେ ନିଦ ଭାଙ୍ଗେ. ଟାଉନସିପି ଗୁଡିକରେ କବାଟ ବାଡେଇବା ବା କଲିଙ୍ଗ ବେଲ ବଜାଇବା କାମ କରୁନଥିବା ରସିଦ ମିଆଁ ବୁଢ଼ାର ସେଇ ଠେଲା ଗାଡି ଶବ୍ଦରେ ଘରୁ ଅଳିଆ ନେଇ ବାହାରି ଆସନ୍ତି ଅଶୋକ ବାବୁଙ୍କ ସହ ମିଷ୍ଟର ମହାନ୍ତି, ମିଷ୍ଟର ଦାସ ଓ ଅନେକ ପଡାବାସୀ. ପର୍ବପର୍ବାଣୀମାନଙ୍କରେ ରସିଦ ମିଆଁ ପାଇଁ ଥାଏ ପିଠାପଣା. ମକର ସଂକ୍ରାନ୍ତିରେ ମକର ଚାଉଳ ଓ ପଣାସଂକ୍ରାନ୍ତିରେ ପଣା ଥୁଆହୋଇଥାଏ ଭାଇଜାନଙ୍କ ପାଇଁ. ଘୃଣା ନାହିଁ, ଦ୍ଵିଧା ନାହିଁ କି ନାହିଁ ଅହଂଭାବ. ଅହଂକାର ଶୁନ୍ୟ ସେଇ ମଣିଷଟା ଆଜକୁ ପନ୍ଦର ଦିନ ଉପରେ ଆସୁନି ତ ସମସ୍ତଙ୍କ ଘର କବାଡିଖାନାରେ ପରିଣତ ହେଲାଣି. ଉଠିଲେ ଅଶୋକ ବାବୁ କୋଉଦିନ ଖୋଜିନଥିବା ମଣିଷର ଠିକଣା ପଚାରି ପଚାରି ଯୋଉଠି ପହଁଚିଲେ ସେଠି ଘର ସିମେଣ୍ଟ କି ଚାଳ କି କଂକ୍ରିଟର ନୁହେଁ ବରଂ ଅଳିଆରୁ ବୋହି ଆଣୁଥିବା କାଗଜପେଟି ସବୁରେ ତିଆରି ପରିସ୍କାର କୁଡ଼ିଆଟିଏ. ଖାଲି ସେତିକି ନୁହେଁ ରଦ୍ଦି ଜିନିଷରୁ ସଂଗୃହିତ ଅନେକ ପଦାର୍ଥକୁ ଫେଭିକଲରେ ଯୋଡି ଅନେକ ଦରକାରୀ ବସ୍ତୁ ସବୁ ତାଙ୍କ ଚିଡ଼ିଆ ଘରେ.କଣ ଭାଇ ଆଉ କୋଉ ପଡା ଦାଇତ୍ୱ ବହନ କଲେକି? ନୂଆ କେହି ଲୋକ ନିଯୁକ୍ତି ହୋଇନି କି ଏଯାଏଁ ଯାଇନି ଆମ ପଡାକୁ. ପଣା ସଂକ୍ରାନ୍ତି ଛତୁଆ,ଶୀତଳଷଷ୍ଠୀ ଭୋଗ, ରାମାନବମୀ ପ୍ରସାଦ,ସୁଦୁସାବ୍ରତ ମଣ୍ଡା ସବୁ ରଖି ରଖି ଚାହିଁଛୁ ପଡାବାସୀ, ଦେଖାନାହିଁ ରସିଦ ମିଆଁଙ୍କର ତ ଚାଲିଆସିଲି କହି ଅଶୋକ ବାବୁ ଦମ ନେଲାବେଳକୁ ରସିଦଙ୍କ ସ୍ତ୍ରୀ ଗୋଟେ ପ୍ଳାଷ୍ଟିକ ପ୍ଲେଟରେ ପାଚିଲା କଟା ଆମ୍ବ ନେଇ ଆସିଥିଲେ. ମନା କରିପାରିଲେନି ଅଶୋକ. କି ମିଠା ଆଉ ବାସ୍ନା ସେ ଆମ୍ବରେ! ସତରେ କଣ ଆମ୍ବ ଏତେ ମିଠା ନା ରସିଦ ଭାଇ ଓ ଭାଵୀଙ୍କର ଆତ୍ମିୟତା!
ରସିଦ ଭାଇ ଏ ଭିତରେ କହି ସାରିଥାଆନ୍ତି ତାଙ୍କ ଅନୁପସ୍ଥିତିର କାରଣ ଜ୍ୱର. ଅଦିନ ଖରାର ତାତି, ଶୀତର ପ୍ରକୋପ ଓ ବର୍ଷାର ଗର୍ଜ୍ଜନରେ ଏଇ ଘରେ ରହିଲେ ଦେହ ତ ଖରାପ ହେବ ନା? ହଁ ବାବୁ ଦେହ ଖରାପ ହେବ ସତ ହେଲେ ନିଜ ହାତ ଗଢ଼ା ଏ ଚିଡ଼ିଆଖାନାକୁ ଛାଡ଼ି କୁଆଡେ ଯିବାକୁ ଇଛା ନାହିଁ. ସର୍ବୋପରି ଆମ୍ବଗଛର ଛାଇରେ ମଣିଷ ହୋଇଛି ଆଲ୍ହାଙ୍କ କୃପାରୁ. କେତେ ଖରା ବର୍ଷା ଶୀତ ଏଇ ଆମ୍ବଗଛ ତଳେ କଟାଇଛି, ତା ସ୍ୱାଦିଷ୍ଟ ଫଳ ଖାଇ ଜୀବନ ସରସ ସୁନ୍ଦର କରିଛି. ଆଜି ସେ ବୁଢା ହୋଇଗଲା ବୋଲି ତାକୁ ଛାଡ଼ି କେମିତି ଯାଇପାରିବି ବାବୁ? ଆଲ୍ହାଙ୍କ ଦୟାରେ ସେଇ ଗଛ ପାଇଁ ଆଜି ମୋ ଜୀବନ ଡ଼ଙ୍ଗା ବାହିଚାଲିଛି. ସେଇ ଯୁବକ ବେଳର କଥା କେମିତି ଭୁଲିବି? ଅଶୋକ କହିଲେ କୁହନ୍ତୁନା ସେଇ କଥା. ତ ରସିଦ ମିଆଁ କହିଚାଲିଲେ. ସେଦିନ ଅଳିଆ ଗାଡି ଭିଡି ଆଣି ଏଇଠି ଢାଳୁ ଢାଳୁ ଦେଖିଲି ବୃଦ୍ଧ ଲୋକ ଜଣେ କୁନି ଆମ୍ବ ଚରାଟିଏ ପାଖେ ଶୋଇଯାଇଛନ୍ତି. ମଣିଷଟାର ଦୟନୀୟ ଅବସ୍ଥା କଥା କେବଳ ସେହି ଦୟନୀୟ ଲୋକ ହିଁ ବୁଝିପାରେ ନା ବାବୁ? ପାଖକୁ ଯାଇ ଦେଖିଲି ବଞ୍ଚିଥିଲା ମଣିଷଟା. କହିଲେ ଟୋପାଏ ପାଣି ଦେଇପାରିବୁ ପୁଅ. ପାଖରେ ଥିବା ପାଣି ବୋତଲ ବଢ଼େଇ ଦେଲି ତ ଆଗ ସେ ସେଇ ଆମ୍ବ ଗଛରେ ପାଣି ଢାଳିବା ପରେ ଢୋକେ ଦି ଢ଼ୋକ ପିଇ ସେଇଠି ଟଳି ପଡିବା ପୂର୍ବରୁ କହିଥିଲେ ଅଳିଆ ଭିତରେ ଦୁର୍ମୁଲ୍ୟ ବସ୍ତୁ ଥାଏ. ସେହି ଦୁର୍ମୁଲ୍ୟ ଟାକୁଆରୁ ଏ ଗଛ ତତେ ଲାଗିଲା. ସେ ଆଉ କେହି ନୁହଁନ୍ତି ବାବୁ ନିଶ୍ଚୟ ଆଲ୍ହା. ତା ପରଠୁ ଅଳିଆରୁ ଗୋଟେଇ ଚାଲିଲି ଦୁର୍ମୁଲ୍ୟ ପଦାର୍ଥର ଅନ୍ୱେଷଣ. କଲି ଘର ଓ ଯୋଡିଯାଡି କିଛି ଆସବାସ ପତ୍ର ଓ ଯତ୍ନ ନେଲି ସେଇ ଗଛର. ସେଇ ଆମ୍ବ ଗଛ ସବୁ ଋତୁରେ ମତେ ସାହାରା ହୋଇଆସୁଛି ଏଯାଏଁ. ପୁଅ ଘର କରିଛି, ବିବାହ ସରିଛି କିନ୍ତୁ ଆମ୍ବ ଗଛକୁ ଛାଡ଼ି ଯିବାକୁ ମନ ବଳିନି.ଅଶୋକ ବାବୁଙ୍କ ଆଖିରେ ଲୁହ ଆସିଯାଇଥିଲା.ଫେରିଯିବା ପୂର୍ବରୁ ରସିଦ ମିଆଁଙ୍କ ବୁଢ଼ୀ ଭାବୀ ପଲିଥିନରେ ଧରେଇ ଦେଇଥିଲେ ପାଚିଲା ମିଠା ଆମ୍ବ କିଛି. ରସିଦ ଭାଇଜାନ କହୁଥିଲେ ଏଣିକି ମୋ ବଦଳେ ପୁଅ ଯିବ ପଡାକୁ ବାବୁ.ବ୍ୟସ୍ତ ହେବେନି.
ଏଣିକି ରସିଦ ମିଆଁ ଭାଇଜାନ ବଦଳରେ ତାଙ୍କ ପୁଅ କରିମ ମିଆଁ ଆସୁଥିଲା ପଡାର ଅଳିଆ ନେବାକୁ. ତା ବାପାଙ୍କୁ ଯେମିତି ସମସ୍ତେ ଭଲ ପାଉଥିଲେ ପୁଅକୁ ମଧ୍ୟ ସେହିପରି ସ୍ନେହ ଆଦର କରୁଥିଲେ ସମସ୍ତେ କିନ୍ତୁ ଦିନେ ମିଷ୍ଟର ଦାସଙ୍କ ବାଇକ ଡ଼ିକି ଭିତରେ ଥିବା ଏକଲକ୍ଷ ଟଙ୍କା ଚୋରୀ ହୋଇଗଲା. ପୋଲିସ ଓ ସାଇଣ୍ଟିଫିକ ଟିମର ଇନକ୍ଵାରି ସତ୍ୱେ କିଛି ବି ସୁରାକ ମିଳିଲାନି ତ ସମସ୍ତେ କରିମ ମିଆଁ ଉପରେ ସନ୍ଦେହ କଲେ. ଅଶୋକ ବାବୁ ଯେତେ ମନା କଲେ ମଧ୍ୟ ତାଙ୍କ କଥା କେହି ଶୁଣିଲେ ନାହିଁ. ତଥାପି ଅଶୋକ ବାବୁଙ୍କ କଥା ରଖି ପ୍ରଥମେ କରିମ ଉପରେ ନଜର ରଖିବାକୁ ସ୍ଥିର କଲେ. ଦାରିଦ୍ର୍ୟର କସାଘାତରେ ଥିବା କରିମ ମିଆଁ ପରିବାର ଉପରେ ରାତିରେ ନଜର ରଖୁଥିବା ବେଳେ ଜଣା ପଡିଲା ତା ପୁଅ ବହୁତ ଭଲ ପଢୁଥିଲେ ମଧ୍ୟ ପଇସା ଅଭାବରୁ କୋଚିଂ ନେବାକୁ ପଇସା ନଥିବାରୁ ଡାକ୍ତରୀ କୋଚିଂ ନେଇପାରୁ ନଥିଲା. ଝିଅର ବିବାହ ବୟସ ହୋଇଥିଲେ ମଧ୍ୟ ଟଙ୍କା ଅଭାବରୁ ତାର ବାହାଘର ହୋଇପାରୁନଥିଲା କାରଣ ବର ଘର ତିରିଶ ହଜାର ଡିମାଣ୍ଡ କରୁଥିଲେ. ଏସବୁ କଥା ଦେଖି ଶୁଣି ପଡାବାସୀ ଫେରିଆସିବା ପରେ ଅଶୋକ ବାବୁ କହିଥିଲେ ଯାହାର ପିତା ଯେପରି ତାହାର ପୁଅ ନିଶ୍ଚୟ ସେହିପରି କିନ୍ତୁ ତାର ଦିନେ ଦୁଇଦିନ ପରେ କରିମ ମିଆଁ ଲକ୍ଷେ ଟଙ୍କିଆ ବିଡା ନେଇ ନିଜକୁ ଦାସ ବାବୁଙ୍କ ପାଖରେ ଆତ୍ମସମର୍ପଣ କରିବା ସହିତ ପୋଲିସରେ ଧରାଇ ଦେବାକୁ ନେହୁରା ହୋଇଥିଲା. ପଡ଼ାର ବୟସ୍କ ବ୍ୟକ୍ତି ହିସାବରେ ଓ କରିମ ମିଆଁକୁ ସବୁବେଳେ ତା ବାପା ରସିଦ ମିଆଁ ଭଳି ସେ ଜଣେ ସଚୋଟ ବ୍ୟକ୍ତି ବୋଲି କହୁଥିବା ଅଶୋକ ବାବୁଙ୍କୁ କରିମର କାରନାମା ବିଷୟରେ ପ୍ରଥମେ ଜଣାଇ ଯାହା କରିବା ବୋଲି ଭାବି ସମସ୍ତ ପଡାବାସୀ ଅଶୋକ ବାବୁଙ୍କ ପାଖକୁ ଗଲେ ଓ ସବୁକଥା କହି କରିମ ମିଆଁକୁ ପୋଲିସରେ ଦେବା କଥା କହିଥିଲେ.
ଅଶୋକ ବାବୁ ପ୍ରଥମେ ଟଙ୍କା ବିଡା ଉପରେ ମାଟି ଲାଗିଥିବା ଓ ସେହି ମାଟିରୁ ଝରା ଆମ୍ବ ବଉଳର ବାସ୍ନା ଆସୁଥିବା ଦେଖି କହିଲେ ଚାଲ ଥରେ ରସିଦ ମିଆଁ ସାଙ୍ଗରେ ଏ ବିଷୟରେ କଥାବାର୍ତ୍ତା କରି ଫେରିବା ପରେ ଯାହା ନିଷ୍ପତ୍ତି ନେବା. ସମସ୍ତେ ମିଶି ରସିଦ ମିଆଁ ଘରେ ପହଞ୍ଚି ଦୁଇଜଣ ଅପରିଚିତ ବ୍ୟକ୍ତି ଆମ୍ବ ଗଛରେ ବନ୍ଧା ହୋଇଥିବା ଦେଖି ଯେତିକି ଆଶ୍ଚର୍ଯ୍ୟ ହେଲେ ସେ ଦୁହେଁ ପଡ଼ାରେ କାଠ ବ୍ୟବସାୟ କରୁଥିବା ଜାଣି ଏବଂ ଏଠାରେ ଏପରି ବନ୍ଧା ହୋଇଥିବା ଦେଖି ସେତିକି ବିସ୍ମୟ ପ୍ରକାଶ କଲେ. ରସିଦ ମିଆଁ ସେ ଦୁହିଁଙ୍କୁ ଏହି ଗଛ ମୂଳେ ଟଙ୍କା ପୋତୁଥିବା ଦେଖି ତାଙ୍କୁ କାବୁ କରି ଗଛରେ ବାନ୍ଧି କରିମଙ୍କୁ ଜଣେଇବା ପରେ ସେ ନିଜ ଉପରକୁ ଦୋଷ ମୁଣ୍ଡେଇ ଟଙ୍କା ଫେରେଇବାକୁ ଯାଇଥିଲେ ବୋଲି ଶୁଣି ସମସ୍ତେ କରିମ ମିଆଁଙ୍କୁ ତାଙ୍କ ସଚୋଟତା ସହ ଅନ୍ୟ ପାଇଁ ନିଜକୁ ଦୋଷୀ କରିବାକୁ ଯାଉଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ. ରସିଦ କହିଥିଲେ ଆପଣମାନେ ଜାଣନ୍ତି ଏଇ ଆମ୍ବଗଛ ହିଁ ଆମର ଆଲ୍ହା. ତାଙ୍କ ଦୟାରୁ ଏଠି ମୋର ଶେଷ ଜୀବନ ବିତୁଛି. ଏହି କାଠ ବେପାରୀ ଦ୍ବୟ ଏ ଗଛ ମୂଳେ ଟଙ୍କା ରଖି ଖୋଜିବା ବେଳେ ବାହାନା କରି ଆମ୍ବଗଛ ହାଣିବାକୁ ମଧ୍ୟ ଯୋଜନା କରିଥିଲେ. ଆଲ୍ହାଙ୍କ କୃପା କରୁଣାରୁ ଭଗବାନ ଆମକୁ ସହାୟ ହେଲେ ଆପଣମାନଙ୍କ କଣ୍ଠରେ ବସିଲେ. ଆମ୍ବଗଛ ରକ୍ଷା ପାଇବା ସହ କରିମ ନିର୍ଦୋଷ ପ୍ରମାଣିତ ହେଲା.
ମିଷ୍ଟର ଦାସ ଥିଲେ ଯୀଶୁ ଭକ୍ତ ଖ୍ରୀଷ୍ଟିଆନ. ସେ କହିଲେ ଏ ଲକ୍ଷେ ଟଙ୍କାରୁ ପଚାଶ ହଜାର କରିମ ମିଆଁର ପୁଅର କୋଚିଂ ଓ ଝିଅ ବାହାଘର ପାଇଁ ଦେଉଛି. ତା ସହିତ ଏ ବର୍ଷ ଆମ୍ବ ପାଚିଲେ ଆମ ସମସ୍ତଙ୍କୁ ଦେବାକୁ ପଡିବ କହି ଫେରିଆସିଥିଲେ ପଡାବାସୀ.ଦୁଇ ଚୋରଙ୍କୁ ମଧ୍ୟ କ୍ଷମା କରିଦେଇ ଭଲମଣିଷ ହେବାକୁ ସୁଯୋଗ ଦେଇଥିଲେ ସଭିଏଁ. ବାଲ୍ମୀକି ଯଦି ମରା ମରା କହୁ କହୁ ରାମ କହି ଚୋରରୁ ଋଷି ହୋଇ ପାରିଥିଲେ ତୁମେ ଦୁହେଁ କାହିଁକି ନୁହଁ!ଏଣିକି ସେହି ଆମ୍ବ ଗଛ ପାଖେ ଆଜବେଷ୍ଟସ ଘର ଦି ବଖରା ତୋଳି ରସିଦ ମିଆଁଙ୍କ ଋଣ ଶୁଝିବାକୁ ଯୋଜନା କରି କାମ ଆରମ୍ଭ କରିଦେଲେ. ନୂଆ ଘର ଦେଖି ଆଲ୍ହାଙ୍କ ମେହରବାନି କହୁଥାନ୍ତି ରସିଦ ଭାଇଜାନ.ଘର ତୋଳାର ଦାଇତ୍ୱ ନେଇଥାନ୍ତି ସେଇ ଦୁଇ କାଠ ବେପାରୀ. ଯୋଉଦିନ ଘର ସମ୍ପୂର୍ଣ୍ଣ ହୋଇଗଲା ସେଦିନ କି ହିନ୍ଦୁ, ମୁସଲମାନ, ଜୈନ, ବୌଦ୍ଧ ଇତ୍ୟାଦି ସବୁ ସମ୍ପ୍ରଦାୟର ଲୋକମାନେ ଏକତ୍ର ମିଶି ଭୋଜନ କଲାବେଳେ କଳାକୋଇଲିର ମନମତାଣିଆ ସଂଗୀତ ଆମ୍ବଗଛରୁ ଭାଷି ଆସୁଥାଏ.ଠିକ ଏତିକି ବେଳେ ରସିଦ ଭାଇଜାନ ସ୍ତ୍ରୀଙ୍କ ବିଳାପ ଶୁଭିଲା. ରସିଦ ଭୁଲିଯାଇଛନ୍ତି ନିଶ୍ୱାସ ନେବାକୁ କହି ସ୍ତ୍ରୀ କାନ୍ଦୁଥିଲା ବେଳେ କିଏ କହୁଥିଲା ହରି ନାମ ସତ୍ୟ ହେ ତ କିଏ କହୁଥିଲା ହେ ଆଲ୍ହା ତ କିଏ କହୁଥିଲା ଧନ୍ୟ ଯୀଶୁ.ଆମ୍ବ ଗଛ ପତ୍ର ଗହଳ ଭିତରୁ ଦୂରରୁ ଶୁଭୁଥିବା କଳାକୋଇଲିର ମଧୁର କଣ୍ଠ ସଂଗୀତ ମଧ୍ୟ ବନ୍ଦ ହୋଇଯାଇଥିଲା.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ