ଜୀବନର ରାହା ଦେଖାଇଛି ବିଜୁ ଦକ୍ଷତା ବିକାଶ କେନ୍ଦ୍ର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ବିଜୁ ଦକ୍ଷତା ବିକାଶ କେନ୍ଦ୍ରକୁ ମିଳିଛି ପୁଣି ଏକ ସଫଳତା । ଉପଯୁକ୍ତ ତାଲିମ୍ ପ୍ରାପ୍ତ ପରେ ୧୩ ନମ୍ବର ବ୍ୟାଚ୍ରେ ୨୦ ଜଣ ଯୁବକ ହାଇଦ୍ରାବାଦର ସ୍ନେଇଡର୍ ଇଲେଟ୍ରିକ୍ ସଂସ୍ଥାରେ ଚାକିରୀ ପାଇଛନ୍ତି । ସୂଚନାଯୋଗ୍ୟ ଯେ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏମାନେ କେନ୍ଦ୍ରାପଡ଼ା ବିଜୁ ଦକ୍ଷତା ବିକାଶ କେନ୍ଦ୍ରରୁ ଆସିଷ୍ଟାଂଟ୍ ଇଲେକ୍ଟ୍ରିସିଆନ୍ ଟ୍ରେଡ୍ରେ ତାଲିମ ପାଇଥିଲେ । ଆଜି ନିଯୁକ୍ତିପତ୍ର ପ୍ରଦାନ କରିବା ସହ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ସେମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ପ୍ରତିକ୍ରିୟାରେ ପିଲାମାନେ କହିଛନ୍ତି ବିଜୁ ଦକ୍ଷତା ବିକାଶ କେନ୍ଦ୍ର ପାଇଁ ସେମାନେ କେବଳ ଜୀବିକା ପାଇ ନାହାନ୍ତି ବରଂ ଜୀବନରେ ଉତ୍କର୍ଷ ହାସଲ କରିବାର ପ୍ରେରଣା ପାଇଛନ୍ତି । ଆଗ୍ରହୀ ଯୁବକ ଯୁବତୀମାନଙ୍କ ଦକ୍ଷତା ବୃଦ୍ଧିରେ କେନ୍ଦ୍ରାପଡ଼ା ବିଜୁ ଦକ୍ଷତା ବିକାଶ କେନ୍ଦ୍ର ସଦା ତତ୍ପର ବୋଲି ଏହି ଅବସରରେ କହିଛନ୍ତି ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ।