ଜୀବନସଂଗ୍ରାମ ସାରସ୍ୱତ ଟ୍ରଷ୍ଟର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପୁସ୍ତକ ଉନ୍ମୋଚନ ଓ ବନ୍ଧୁମିଳନ
ବାଲେଶ୍ୱର, (ସରୋଜ ପଣ୍ଡା):‘ଜୀବନ ସଂଗ୍ରାମ ସାରସ୍ୱତ ଟ୍ରଷ୍ଟ’ର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପ୍ରତିବର୍ଷ ଭଳି ଚଳିତ ବର୍ଷ ପାରଂପାରିକ ଭାବେ ଅନୁଷ୍ଠିତ ହୋଇଯାଇଛି । ‘ଓଡ଼େଶା ଭବନ’ରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଉତ୍ସବରେ ଅନ୍ୟତମ ଟ୍ରଷ୍ଟି କବି ବିଜୟ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଡ. ଭରତ ଚନ୍ଦ୍ର ପାତ୍ର ଯୋଗଦେଇ ମାନବ ସମାଜର ବିଭିନ୍ନ କ୍ଷେତ୍ରରେ ଜୀବନ ସଂଗ୍ରାମକୁ ଲିଖିତ ଭାବେ ଲୋକଲୋଚନକୁ ଆଣିବାରେ ଟ୍ରଷ୍ଟର ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ । ଚଳିତବର୍ଷ ‘ସାହିତ୍ୟରେ ସାମାଜିକ ଅଙ୍ଗୀକାର’ ଶୀର୍ଷକ ପୁସ୍ତକକୁ ଏହି ଅବସରରେ ଅତିଥିମାନେ ଉନ୍ମୋଚନ କରିଥିଲେ । ବିଜୟ ଉପାଧ୍ୟାୟଙ୍କ ଦ୍ୱାରା ଲିଖିତ ୨୬ଟି ପ୍ରବନ୍ଧ ଓ ଏକ ସାକ୍ଷାତକାର ଏହି ପୁସ୍ତକରେ ସଂକଳିତ କରାଯାଇଛି । ପୁସ୍ତକକୁ ସମୀକ୍ଷା କରି ଅନ୍ୟତମ ଅତିଥି ଡ. ଶାନ୍ତ୍ୱନା ହାଲଦାର ପୁସ୍ତକରେ ସନ୍ନିବେଶିତ ପ୍ରବନ୍ଧଗୁଡ଼ିକରେ ବହୁ ବିଶିଷ୍ଟ ସାହିତ୍ୟିକମାନଙ୍କ ସାହିତ୍ୟକୃତିରେ କିପରି ସେମାନଙ୍କର ସମାଜପ୍ରତି ଅଙ୍ଗୀକାରବଦ୍ଧତା ପ୍ରଦର୍ଶିତ ହୋଇଛି ତାହାର ଦୃଷ୍ଟାନ୍ତ ଦେଇଥିଲେ । ପୁସ୍ତକର ପ୍ରକାଶକ ତଥା ସୁବର୍ଣ୍ଣଶ୍ରୀ ପ୍ରକାଶନୀର ମୁଖ୍ୟ କବି ଡ. କାଳିପଦ ପଣ୍ଡା ପ୍ରକାଶିତ ପୁସ୍ତକ ସଂପର୍କରେ ପ୍ରାକ୍କଥନ ରଖିଥିଲେ । ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଯୋଗଦେଇ ଟ୍ରଷ୍ଟର କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିଥିଲେ ।ଟ୍ରଷ୍ଟର ପରିଚାଳନା ନିର୍ଦ୍ଦେଶକ ଇଂ. ଡ. ହୃଷିକେଶ ସାହୁଙ୍କ ଜନ୍ମଦିନ ଅବସରରେ ଅନୁଷ୍ଠିତ ଏହି ଉତ୍ସବରେ ଇଂ. ଡ. ସାହୁ ଟ୍ରଷ୍ଟର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଡ. ଅରୂପ ଅଭିଷେକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଟ୍ରଷ୍ଟର ଅନ୍ୟତମ ସଦସ୍ୟ ଗୌରାଙ୍ଗ ପାଣିଗ୍ରାହୀ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରି ସ୍ୱାଗତ ଅଭିଭାଷଣ ଦେଇଥିଲେ । ବିଭିନ୍ନ ସାମାଜିକ ଓ ଗଣସଂଗଠନମାନଙ୍କ ପକ୍ଷରୁ ଇଂ. ଡ. ସାହୁଙ୍କୁ ଜନ୍ମଦିନ ଅବସରରେ ପୁଷ୍ପଗୁଚ୍ଛ ପ୍ରଦାନ ସହ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା । କବି ଇଂ. କୁମାର କାର୍ତ୍ତିକ ଉପସ୍ଥିତମାନଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତି ଓ ବିଶିଷ୍ଟ କବି ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ବିୟୋଗରେ ଟ୍ରଷ୍ଟପକ୍ଷରୁ ଶୋକ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଉତ୍ସବରେ ବାଲେଶ୍ୱରର ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଯୋଗ ଦେଇଥିଲେ ।