ଜୀବନ ଦର୍ଶନ
ବିବାହ ପୂର୍ବରୁ କାମ କରୁଥିଲି ବରଗଡ଼ ଡାକଘରେ,
ଅଳପ ଦରମା ନ ଅଣ୍ଟଇ ତାହା ଛାଡିଦେଲି ତତପରେ,
ବ୍ୟବସାୟ ଏକ କରିବା ପାଇଁକି ବଳାଇଲି ମୋର ମନ,
କେଉଁ ବ୍ୟବସାୟ କରିବି କିପରି ପାଖରେ ନ ଥିଲା ଧନ,
ଦୁଇଜଣ ପାଖେ କାମ କଲି ଯାଇ କିଛି ଶିକ୍ଷା କରିବାକୁ,
ତାଙ୍କଠାରୁ କିଛି ଶିକ୍ଷା ଲାଭ କରି ଚାଲିଲି ପୁଣି ଆଗକୁ,
ବାପାଭାଇଙ୍କର ଯାହା ରୋଜଗାର ଘର ଚଳାଇବା କଷ୍ଟ,
ସାତ ଆଠ ଭାଇ ଭଉଣୀ ମାନଙ୍କୁ ଯାହା ଆଣିଲେ ନିଅଣ୍ଟ,
ଭାଇବନ୍ଧୁ ଠାରୁ ଧାର କରଜରେ କଲି ଏକ ବ୍ୟବସାୟ,
ଛୋଟିଆ ହେଲେବି ନିଜ ବ୍ୟବସାୟେ ନ ଲାଗଇ ମତେ ଲାଜ,
ଖବରକାଗଜ ପତ୍ର ପତ୍ରିକା ବିତରଣ କଲି ମୁହିଁ,
ଆଜି ଯାଏଁ ତାହା ଚାଲୁଛି ସମ୍ମାନେ ପରିବାର କେତେ ନେଇ,
ମାମୁଁମାନେ ଏଠି କୋଟିପତି ଥିଲେ ନ ଥିଲା ସାହାଯ୍ୟ କିଛି,
ହାତ ପତାଇବା ଜାତକେ ନ ଥିଲା ସଜାଡିଲି ନିଜ ସ୍ଥିତି,
ଭଡାଘରେ ଥିଲୁ ନିଜ ଘର ହେଲା କଠିନ ପରିଶ୍ରମରେ,
ପରିଶ୍ରମ ଫଳ ଲାଗେ ଏତେ ମିଠା
ଜାଣିନଥିଲି ମନରେ,
ବିବାହ ବୟସ ହେବାରୁ ମୋହର ଅଥୟ ହୋଇଲେ ବାପା,
ମୋ ପାଇଁ ଗୋଟିଏ ଝିଅ ଦେଖିବାକୁ ଯାଇଥିଲେ ନିଜେ ଏକା,
ସେ କାଳେ ପିଲାଏ ବାହା ହେଉଥିଲେ ଗୁରୁଜନ ଇଚ୍ଛା ନେଇ,
ମନା କରିବାକୁ ସାହସ ନ ଥିଲା ବେଦୀରେ ବସଇ ଯାଇ,
ସେହିପରି ଭାବେ ବାପା ଦେଖିଗଲେ ସୁଦୂର ସାରଙ୍ଗଗଡକୁ,
ସେଇଠି ପ୍ରସ୍ତାବ ଦେଇଆସିଥିଲେ ବାହା କରିବି ମୋ ପୁଅକୁ,
କାହାକୁ କହନ୍ତି କ’ଣ ବା କରନ୍ତି, ରଖିଲି ବାପାଙ୍କ କଥା,
ଶୁଭଲଗ୍ନ ଦେଖି ବାହା ହୋଇଥିଲି ସାଥେ ନେଇ ବନ୍ଧୁ ସଖା,
ବାହାହେଲା ପରେ ପରିଶ୍ରମ ମୋର ହୋଇଲା ଦ୍ବିଗୁଣିତ,
ଭାଇଭଉଣୀଙ୍କ ବିବାହରେ ଖର୍ଚ୍ଚ ଦେଲି ମୋ ନିଜ ଅର୍ଜିତ,
ପୁଅଝିଅ ହେଲେ ସମ ବ୍ୟବଧାନେ ପାଠ ପଢାଇଲି ତାଙ୍କୁ,
ସରସ୍ଵତୀଙ୍କର ଆଶୀର୍ବାଦେ ପୁଅ ଗଲା ନବୋଦୟକୁ,
ନବୋଦୟରୁ ଶିକ୍ଷାଲାଭ କରି ପଢିଲା ଭୁବନେଶ୍ବରେ,
ଇଂଜିନିୟରିଂ ପାଠ ପଢ଼ିବା ପାଇଁ କି ଗଲା ପୁଣି ବ୍ରହ୍ମପୁରେ,
ଡିଗ୍ରୀ ପାଇ ସିଏ ଚାକିରି ପାଇଲା ୱିପ୍ରୋ ଭଳି କମ୍ପାନୀରେ,
ଝିଅ ମଧ୍ୟ ଏଣେ ଡିଗ୍ରୀ କରିଅଛି ପଢ଼ି ଇଂଜିନିୟରିଂରେ,
ଝିଅଟି ଆମର ନିରିହ ସୁନ୍ଦର ସର୍ଵଗୁଣ ଓ ସମ୍ପନ୍ନ,
ବିବାହ ବୟସ ହେବାରୁ ତାହାର ଆସିଲା ପ୍ରସ୍ତାବମାନ,
ବାପାଙ୍କ କଥାରେ ଭଲ ଘର ଦେଖି ବିବାହ ମୁଁ କରାଇଲି,
ଝିଅ ଶାଶୁଘର ଭଲଲୋକ ପୁଣି ଜ୍ବାଇଁଟି ସୁଧାର ପାଇଲି,
ବାପା ମାଆଁ ଆଉ ନାହାନ୍ତି ସଂସାରେ ଗଲେଣି ସରଗପୁର,
ତାଙ୍କ ଆଶିର୍ବାଦେ ଚଳୁଅଛୁ ଆମେ ଆଉନାହିଁ କିଛି ଡର,
ପୁଅ ବାହାକଲି ବିବାହ ବୟସେ ବୋହୂଟି ମୋ ଗୁଣବତୀ,
ରୂପରେ ଗୁଣରେ ପାଠରେ ତାହାର ଆସିବେନି କେ ତାକତି,
ଏପରି ଭାବରେ ସଂସାର ଚାଲୁଛି ଆମ ଦୁଇ ପ୍ରାଣୀଙ୍କର,
ପୁଅଝିଅମାନେ ତାଙ୍କରି ବାଟରେ କରିଲେ ଘରସଂସାର,
କରିଅଛୁ ଆମେ ପତିପତ୍ନୀ ଦ୍ୱୟ ସମ୍ପୂର୍ଣ୍ଣ ଶରୀର ଦାନ,
ମୃତ୍ୟୁ ପରେ ଯଦି କାହାକାମେ ଆସୁଁ ସାର୍ଥକ ହେବ ଏ ଜୀବନ.
ତୁଳସୀ ଚରଣ ଦାଶ
୯୮୬୧୩୮୪୮୨୧
ବରଗଡ଼