ଜୀବନ ପାଇଁ ଜୀବିକା ସହିତ ସଂଘର୍ଷ କରୁଛନ୍ତି ଅସହାୟ ମହିଳା
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ସରକାର ଯୋଜନା ପରେ ଯୋଜନା ଲୋକଙ୍କ ହିତ ପାଇଁ ପ୍ରସ୍ତୁତ କରିଛନ୍ତି,ଏହା କାର୍ଯ୍ୟକାରୀ ହେଉଥିବା ଡିଣ୍ଡିମ ପିଟା ଚାଲିଛି ହେଲେ ଏଠାରେ ଏହାର ବାସ୍ତବ ଚିତ୍ର କିନ୍ତୁ ଓଲଟା ଦେଖିବାକୁ ମିଳିଛି ।ଏପରି ଘଟଣା ଏବେ ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲାର କରଂଜିଆ ବଜାର ରୁ ।କରଂଜିଆ ବ୍ଲକ ଅନ୍ତର୍ଗତ ତାଟ ଅଞ୍ଚଳର ଜୈନେକ ଅସହାୟ ମହିଳା ନିଜର ତିନି ମାସର ଏକ ଛୁଆକୁ ଧରି ନିଜର ପେଟ ପାଟଣା ପାଇଁ ଶୀତ କାକରରେ କରଂଜିଆ ର ମୁଖ୍ୟ ବଜାର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଲାଗି କଚେରୀ ଛକ ନିକଟ ସୂଚନା କେନ୍ଦ୍ର ସମ୍ମୁଖ ରେ ପନିପରିବା ବ୍ୟବସାୟ କରୁଛନ୍ତି । ଯାହା ସହ ସାତ ଜନମ ଲାଗି ରହିବେ ବୋଲି ଭରସା କରିଥିଲେ ସେ ଧୋକା ଦେବା ପରେ ଯେମିତି ସେ ଆଜି ଅସହାୟ, ସେପଟେ କୋଳରେ କୁନି ଛୁଆଟିଏ ।ଯାହା ମୁହଁରେ ଦାନା ଗଣ୍ଡାଏ ଦେବା ଲାଗି ଦିନ ରାତି ଏକ କରିଦେଇଛନ୍ତି ସେ। ଯୋଉ ରାସ୍ତାରେ ପ୍ରତ୍ୟେକ ଦିନ ଉପଖଣ୍ଡ ସମସ୍ତ ବଡ଼ ବଡ଼ ସରକାରୀ ଅଧିକାରୀ ଓ ନିଜକୁ ବଡ଼ ସମାଜସେବୀ ବୋଲାଉଥିବା ଲୋକେ ଯା ଆସ କରୁଥିଲେ ବି କାହାରି ଦୃଷ୍ଟି ପଡି ନ ଥାଏ ଏହି ଅସହାୟ ମହିଳା ଓ ତାଙ୍କ କୋଳରେ ଥିବା ତିନିମାସ ର ଶିଶୁ ଉପରେ ।ବ୍ୟବସାୟ ସମୟରେ ନିଜ ୩ମାସର ଛୁଆ କୁ ସୂଚନା କେନ୍ଦ୍ର ବାରଣ୍ଡା ରେ ଶୁଆଇ ଦେଇ ବ୍ୟବସାୟ କରନ୍ତି ଗୋଟେ ହାତରେ ଓଜନ ଦଣ୍ଡି ଅନ୍ୟ ହାତରେ ନିଜ ଛୋଟ ଛୁଆ ସେ ନିଜର ପେଟପାଟଣା ପାଇଁ କାହାରି ପାଖରେ ହାତ ନ ପୋତାଇ ନିଜେ ଏବେ ୩ମାସର ଛୁଆଙ୍କୁ ଧରି ଛତୁ ଏବଂ ପନିପରିବା ବ୍ୟବସାୟ କରୁଛନ୍ତି ।ତାଙ୍କୁ ନା କୌଣସି ସରକାରୀ ସହାୟତା ମିଳି ପାରୁଛି ନା କାହାର ସାହାଯ୍ୟ, ସେ ଅସହାୟ ହୋଇଥିଲେ ମଧ୍ୟ କାହାରି ପାଖରେ ହାତ ପୋତାଇ ନାହାନ୍ତି ନିଜେ ନିଜର ତିନି ମାସର ଛୁଆକୁ କୋଳରେ ଧରି ଏପରି ବିପଦ ସଙ୍କୁଳ ଅବସ୍ଥାରେ ବେପାର କରୁଥିବା ଦେଖିବାକୁ ମିଳିଛି । ଦେଖିବାକୁ ବାକି ରହିଲା କେବେ ତାଙ୍କ ଓ ତାଙ୍କ ର ତିନି ମାସର ଏକ ଛୁଆ ଉପରେ ବଡ଼ ଅଧିକାରୀ ବା ସମାଜ ସେବି ଙ୍କ ଦୃଷ୍ଟି ପଡୁଛି ।


