ଜୀବନ ବୀବିକା ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ପାଇଁ ସର୍ବଭାରତୀୟ ମହିଳା ସଂଗଠନମାନଙ୍କର ଆହ୍ୱାନରେ ଦାବି ଦିବସ ପାଳିତ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : ମହିଳାମାନଙ୍କ ଉପରେ ହେଉଥିବା ସମସ୍ତ ପ୍ରକାର ଅତ୍ୟାଚାର ବନ୍ଦ କର ଏବଂ ଦୋଷୀମାନଙ୍କ ବିରୁଦ୍ଧରେ ଦୃଷ୍ଟାମନ୍ତମୂଳକ ଶାସ୍ତିକୁ ସୁନିଶ୍ଚିତ କରିବା,ସମସ୍ତଙ୍କ ପାଇଁ ମାଗଣାରେ ଶିକ୍ଷା ଓ ଆଗ୍ରହ୍ରୀ ମହିଳାମାନଙ୍କ ପାଇଁ ନିଯୁକ୍ତିର ଗ୍ୟାରେଂଟି ପ୍ରଦାନ,ସମସ୍ତ ଅଭାବୀ ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା,ସଂଗଠିତ ଓ ଅସଂଗଠିତ କ୍ଷେତ୍ରରେ କର୍ମରତ ମହିଳାମାନଙ୍କର ନିଯୁକ୍ତିର ସୁରକ୍ଷା ପ୍ରଦାନ କରିବା,କୃଷି କ୍ଷେତ୍ରରେ କର୍ମରତ ମହିଳାଙ୍କୁ କୃଷକର ମର୍ଯ୍ୟାଦା ପ୍ରଦାନ,ୟୁ.ଏ.ପି.ଏ.କୁ ବାତିଲ କରି ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପ୍ରଦାନ ଏବଂ ଆଇନ ବଳରେ ଗିରଫ ହୋଇଥିବା ସମସ୍ତ ନାଗରିକଙ୍କୁ ନିସର୍ତ୍ତରେ ଖଲାସ କରାଯିବା,ଶିକ୍ଷା,ସ୍ୱାସ୍ଥ୍ୟସେବା,ରେଳବାଇ,ବ୍ୟାଙ୍କ ପ୍ରଭୃତିର ଘରୋଇକରଣ ବନ୍ଦ କରିବା,ମଦ ଓ ମାଦକଦ୍ରବ୍ୟ ତଥା ଅପସଂସ୍କୃତି – ଅଶ୍ଳୀଳତାର ପ୍ରସାର ବନ୍ଦ କରିବା,କରୋନାର ପ୍ରଶିକ୍ଷଣ ଓ ଚିକିତ୍ସାକୁ ସଂପୂର୍ଣ୍ଣ ଦେୟମୁକ୍ତ କରିବା,କରୋନା ସହ ଅନ୍ୟାନ୍ୟ ରୋଗରେ ଉପଯୁକ୍ତ ଚିକିତ୍ସା ନପାଇ ମୃତ୍ୟୁ ବରଣ କରୁଥିବା ରୋଗୀଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ପ୍ରମୁଖ ଦାବୀରେ ଶୁକ୍ରବାର ସର୍ବଭାରତୀୟ ସ୍ତରରେ ୬ଟି ମହିଳା ସଂଗଠନ ମିଳିତ ଡାକରାରେ ଦାବି ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଦୀର୍ଘବର୍ଷ ଧରି କ୍ରମାଗତ ଭାବେ ଚରମ ଆର୍ଥିକ ମାନ୍ଦାବସ୍ଥା ,ଛଟେଇ,ଖାଦ୍ୟାଭାବ,ଦରବୃଦ୍ଧି ଆଦିରେ ସଢୁଥିବା ସାଧାରଣ ମଣିଷର ଅବସ୍ଥା ମହାମାରୀ କରୋନା ଓ ତତ୍ଜନିତ ଲକଡାଉନ ଯୋଗୁଁ ଅତ୍ୟନ୍ତ କରୁଣ ଓ ଗମ୍ଭୀର ହୋଇ ପଡିଛି । ଜନଅସନ୍ତୋଷର ବସବର୍ତ୍ତୀ ହୋଇ କେନ୍ଦ୍ର ସରକାର ପରିସ୍ଥିତିର ମୁକାବିଲା ପାଇଁ ଯାହା ସାମାନ୍ୟ ପ୍ରତିଶୃତି ଦେଇଛନ୍ତି,ତାହା ପାଣିରେ ଗାର ସଦୃଶ । କରୋନା ଲକଡାଉନ ଯୋଗୁଁ ନାରୀ ପୁରୁଷ ନିର୍ବିଶେଷରେ କୋଟି କୋଟି ଲୋକ ଜୀବିକା ହରାଇବା ସହ ଲକ୍ଷ ଲକ୍ଷ ଲୋକ ଜୀବନ ହରାଇଛନ୍ତି । ରୋଗର ସଂକ୍ରମଣ ଭୟଙ୍କର ଭାବେ ବଢିବାରେ ଲାଗିଛି । ଏପରିସ୍ଥିତିରେ ଜନସାଧାରଣ ସଚେତନ ସଂଗଠିତ ହୋଇ ଗଣଆନ୍ଦୋଳନ ଗଢି ତୋଳିବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଜିଲ୍ଲାପାଳଙ୍କୁ ଭେଟିଥିବା ପ୍ରତିନିଧି ମଣ୍ଡଳୀରେ ଏ.ଆଇ.ଏମ.ଏସ.ଏସ.ଜିଲ୍ଲା ନେତ୍ରୀ ହୀରାମଣୀ ରାଉତ, ଏଲିନା ସାମନ୍ତରାୟ,ୟୁ.ଏମ.ଏସ.(ଏନ.ଏଫ.ଆଇ.ଡବ୍ଲୁ.)ର ଜିଲ୍ଲା ସମ୍ପାଦିକା ସୁଭାସିନୀ ଭଦ୍ର, ସୁସ୍ମିତା ବେହେରା, ନିରୂପମା ମହାନ୍ତି, କାନ୍ତିପ୍ରଭା ନାୟକ, ନନ୍ଦିନୀ ସ୍ୱାଇଁ, ଦ୍ରୈାପଦୀ ରାଉତ, ନିର୍ମଳା ସିଂ, ବିମଳା ମାହାଳି, ଜୟନ୍ତୀ ଜେନା, ସରୋଜିନୀ ପ୍ରଧାନ, ପ୍ରତିଜ୍ଞା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।