ଜୀବିକା ମିଶନର ତୃଣମୂଳ ସ୍ତରୀୟ କର୍ମଚାରୀ ମାନେ ରାଜନୀତିକରଣ ଅଭିମୁଖୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଅଧିନ ଓଡିଶା ଜୀବିକା ମିଶନ ଗ୍ରାମାଞ୍ଚଳ ମହିଳା ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଇ ଆର୍ଥିକ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟ ସାଧିତ ହେବାରେ ଗ୍ରାମାଞ୍ଚଳରେ ନିୟୋଜିତ ତୃଣମୂଳ ସ୍ତରୀୟ କର୍ମଚାରୀ ମାନେ ରାଜନୀତିକରଣ ଅଭିମୁଖୀ ବାଧକ ସାଜିପାରେ ବୋଲି ସାଧାରଣ ମହଲରେ ଆଲୋଚନା ହେଉଛି । ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ମାଧ୍ୟମରେ ତୃଣମୂଳ ସ୍ତରୀୟ କର୍ମଚାରୀ ନିୟୋଜନ ସମୟରେ ଆବେଦନକାରୀ କୌଣସି ରାଜନୈତିକ ଦଳର ସଭ୍ୟା କିମ୍ବା କର୍ମୀ ହୋଇନଥିବେ ବୋଲି ସର୍ତ୍ତ ଥାଏ । ଏହି ସର୍ତ୍ତରେ ଆବେଦନକାରୀ ମାନେ ଆବେଦନ କରି ସରକାରୀ ପ୍ରକ୍ରିୟାରେ ନିୟୋଜିତ ହୋଇଥାନ୍ତି । କିନ୍ତୁ ବର୍ତ୍ତମାନ ବନ୍ତ ବ୍ଲକରେ ସଂଖ୍ୟାଧିକ ଗ୍ରାମ ପଞ୍ଚାୟତରେ ତୃଣମୂଳ ସ୍ତରୀୟ କର୍ମଚାରୀ ମାନେ ଦଳୀୟ କର୍ମୀ ଭାବେ କାର୍ଯ୍ୟ କରୁଥିବା ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ରାଜନୈତିକ ଦଳ ତୃଣମୂଳ ସ୍ତରୀୟ କର୍ମଚାରୀ ମାନଙ୍କୁ ନିଜ ନିଜ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରି ମହିଳା ଭୋଟର ମାନଙ୍କୁ ସେମାନଙ୍କ ଦ୍ୱାରା ପ୍ରଭାବିତ କରିବାକୁ ପ୍ରୟାସ କରୁଥିବା ଦେଖାଯାଉଛି । ଏହାଦ୍ୱାରା ଜୀବିକା ମିଶନର ମୂଳ ଲକ୍ଷ୍ୟ ସାଧିତ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିସହିତ ମହିଳା ମାନଙ୍କ ମଧ୍ୟରେ ସଂହତି ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି । ବିଭିନ୍ନ ସରକାରୀ ଯୋଜନାର ଫାଇଦା ଆଗଧାଡିର ମହିଳା ମାନେ ହାତେଇବା ସହିତ ପ୍ରକୃତ ହିତାଧିକାରୀ ମାନେ ବିଭିନ୍ନ ଯୋଜନାରୁ ବଞ୍ôଚତ ହେଉଥିବା ଅଭିଯୋଗ ହେଉଛି । ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।


