ଜୀବିତ ଶ୍ରମିକ ନାଁରେ ୨ଲକ୍ଷ ମୃତ୍ୟକାଳୀନ ସହାୟତା ଶ୍ରମବିଭାଗରେ ଦଲାଲଙ୍କ ପ୍ରାଦୁର୍ଭାବ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତ ନରସିଂହ ଗୁଡା ଗାଁରେ ଜଣେ ଜୀବିତ ଶ୍ରମିକଙ୍କୁ ମିଳିଛି ମୃତ୍ୟୁକାଳୀନ ସହାୟତା । ଶ୍ରମିକ ଜଣଙ୍କ ହେଲେ ଲୁକେଶ ନାୟକ । ତାଙ୍କ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରି ଶ୍ରମବିଭାଗରୁ ୨ଲକ୍ଷ ଟଙ୍କାର ସହାୟତା ମଞ୍ଜୁର୍ କରାଯାଇଛି । ଏହାକୁ ନେଇ ଗାଁରେ ନେଇ ଚର୍ଚ୍ଚା ହେବା ପରେ ଜଣେ ଜୀବିତ ବ୍ୟକ୍ତିଙ୍କୁ କିପରି ମୃତ୍ୟୁକାଳୀନ ସହାୟତା ମିଳିଲା ତାହା ଏବେ ଲୋକଲୋଚନକୁ ଆସିଛି। ଶ୍ରମବିଭାଗ ଏହା ଜାଣିବା ପରେ ଲୁକେଶଙ୍କ ଆକାଉଣ୍ଟ୍‌କୁ ଫ୍ରିଜ୍ କରିବା ପାଇଁ ବ୍ୟାଙ୍କକୁ ଅନୁରୋଧ କରିଛି। ଲୁକେଶ କହିବା ଅନୁଯାଇ ଜଣେ ଦଲାଲ ତାଙ୍କୁ ରଣ ଏବଂ ଶ୍ରମିକ ପ୍ରମାଣପତ୍ର କରାଇ ଦେବାକୁ କହି ତାଙ୍କଠାରୁ ସମସ୍ତ କାଗଜପତ୍ର ନେଇଥିଲା। କିଛି ମାସ ପରେ ତାଙ୍କ ଆକାଉଣ୍ଟ୍‌କୁ ମନରେଗା ଟଙ୍କା ଚଢ଼ିଥିବା ନେଇ କେତେକ ଶ୍ରମିକ ତାଙ୍କୁ କହିଥିଲେ। ଲୁକେଶ ବ୍ୟାଙ୍କକୁ ଯାଇ ବୁଝିବାରୁ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟ୍‌କୁ ୨ଲକ୍ଷ ଟଙ୍କା ଜମା ହୋଇଥିବା ଜାଣିବାକୁ ପାଇଥିଲେ।ଏହା ପରେ ଦଲାଲଙ୍କୁ ଯୋଗାଯୋଗ କରିବାରୁ ଦଲାଲ ଜଣକ ତାଙ୍କୁ ବ୍ୟାଙ୍କରୁ ଟଙ୍କା ଉଠାଇ ଦେବାକୁ କହିଥିଲେ। ଏହାପରେ ଲୁକେଶ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଉଠେଇଥିଲେ । ଅନ୍ୟପକ୍ଷରେ ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ କହିଛନ୍ତି ଯେ ମୃତ୍ୟୁ ପ୍ରମାଣପତ୍ରକୁ ଆଧାର କରି ଶ୍ରମବିଭାଗ ଲୁକେଶଙ୍କ ଶ୍ରମିକ କାର୍ଡକୁ ନିଷ୍କ୍ରିୟ କରିଥିଲା । ଶ୍ରମିକ କାର୍ଡ ନିଷ୍କ୍ରିୟ ହେବା ଜାଣିବା ପରେ ଲୁକେଶ ତାଙ୍କୁ ମୃତ୍ୟୁକାଳୀନ ସହାୟତା ମିଳିଥିବା ଶ୍ରମବିଭାଗ କୁ ଜଣାଇଥିଲେ। ପରେ ଶ୍ରମବିଭାଗ ପକ୍ଷରୁ ବ୍ୟାଙ୍କକୁ ସୂଚନା ଦେଇ ଆକାଉଣ୍ଟ୍‌ ଫ୍ରିଜ୍‌ କରାଇଥିଲେ।ଏହା ପରେ ଶ୍ରମବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି।ତେବେ ଦୀର୍ଘ ୬ ମାସ ଧରି ବିଭାଗ ଏହି ଘଟଣାରେ କୌଣସି ପଦକ୍ଷେପ ଗ୍ରହଣ ନ‌କରି କାହିଁ କି ନିରବ ରହିଥିଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଜିଲ୍ଲା ଶ୍ରମଧିକାରୀ ଶ୍ରୀ ଟୁଡୁ କହିଛନ୍ତି, ମୃତ୍ୟୁକାଳୀନ ସହାୟତା ୨୦୨୩ ର ଘଟଣା। ସେତେବେଳେ ଜିଲ୍ଲାରେ ୧୦ ଜଣ ଜୀବିତ ଶ୍ରମିକଙ୍କୁ ମୃତ ଦର୍ଶାଇ ଟଙ୍କା ହଡ଼ପ୍ କରାଯାଇଥିଲା। ଏନେଇ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା‌ଯିବ । ବିଭାଗ କହିଛି ୨୦୨୩ ପରଠୁ ମୃତ ଶ୍ରମିକଙ୍କ ପରିବାରକୁ ସହାୟତା ପାଇଁ ବିଭାଗ ଟିକିନିଖି ତଦନ୍ତ କରିବା ସହ ଶ୍ରମିକଙ୍କ ଅଜ୍ୟେଷ୍ଟିକ୍ରିୟାର ପ୍ରମାଣ ରଖି ସହାୟତା ପ୍ରଦାନ କରୁଛି।ଏହା ପୂର୍ବରୁ ମଧ୍ୟ ୨୦୨୩ରେ ୧୦ଜଣ ଜୀବିତ ଶ୍ରମିକ ନାଁରେ ନକଲି ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରି ଦଲାଲ ମାନଙ୍କ ଦ୍ଵାରା ମୃତ୍ୟୁକାଳୀନ ସହାୟତା ରାଶି ହଡ଼ପ୍ କରାଯାଇଥିଲା। ସେତେବେଳେ ଘଟଣାର ତଦନ୍ତ କରି ପୋଲିସ ୩ ଜଣ ଦଲାଲଙ୍କ ଗିରଫ କରିଥିଲା । ବର୍ତମାନ ପୁଣିଥରେ ସେହିପରି ନରସିଂହଗୁଡ଼ାର ଜଣେ ଜୀବିତ`ଶ୍ରମିକଙ୍କ ନାଁରେ ମୃତ୍ୟୁକାଳୀନ ସହୟତା ମଞ୍ଜୁର ହୋଇଛି । ଏଥିରୁ ଜଣାପଡୁଛି ଯେ ଜିଲ୍ଲାରେ ଦଲାଲଙ୍କ ପ୍ରାଦୁର୍ଭାବ କମି ନାହିଁ । ଜିଲ୍ଲା ଶ୍ରମବିଭାଗ କାର୍ଯ୍ୟାଳୟରେ ଦଲାଲଙ୍କ ପ୍ରାଦୁର୍ଭାବ ଲାଗିରହିଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ