ଜୁନ୍ ୫ରେ କେରଳ ଛୁଇଁବ ମୌସୁମୀ !
ନୂଆଦିଲ୍ଲୀ: ଚଳିତ ବର୍ଷର ମୌସୁମୀ ଚାଷୀମାନଙ୍କ ପାଇଁ ବିଶେଷ କିଛି ଚିନ୍ତାଜନକ ଖବର ନ ଆଣିବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। କାରଣ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍ ୫ ତାରିଖରେ କେରଳ ଛୁଇଁବ। ସାଧାରଣତଃ ପ୍ରତି ବର୍ଷ ମୌସୁମୀ ଜୁନ୍ ୧ ତାରିଖରେ କେରଳ ଛୁଇଁବାର ଆକଳନ କରାଯାଇଥାଏ। ତେବେ ଚଳିତ ବର୍ଷ ଏହା ୪ ଦିନ ବିଳମ୍ବରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ମୌସୁମୀ ମେ’ ୨୬ ତାରିଖରେ ଆଣ୍ଡାମାନ୍ ଓ ନିକୋବର ଦ୍ବୀପପୁଞ୍ଜରେ ପହଞ୍ଚିବ। ଅର୍ଥାତ୍ ସ୍ବାଭାବିକ ସମୟଠାରୁ ୬ ଦିନ ପୂର୍ବରୁ ମୌସୁମୀ ଆଣ୍ଡାମାନ୍ ଓ ନିକୋବରରେ ପହଞ୍ଚିଯିବ। ବଙ୍ଗୋପ ସାଗରରେ ସ୍ଷ୍ଟି ହୋଇଥିବା ଲଘୁଚାପ କାରଣରୁ ସାମାନ୍ୟ ସଅଳ ମୌସୁମୀ ଏଠାରେ ପହଞ୍ଚିବ। ସେହିପରି ଜୁଲାଇ ୧୯ ତାରିଖ ସୁଦ୍ଧା ମୌସୁମୀ ସମଗ୍ର ଦେଶକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ମୌସୁମୀର ଆଗମନ ପରେ ଜୁନ୍ ଓ ସେପ୍ଟେମ୍ବର ୪ ମାସ ମଧ୍ୟରେ ସ୍ବାଭାବିକ ବର୍ଷା ହେବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି। ବର୍ଷା ଋତୁରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଭାରତରେ ସ୍ବାଭାବିକ ତୁଳନାରେ ପାଖାପାଖି ୭୫ ପ୍ରତିଶତ ବର୍ଷା ହୋଇଥାଏ। ବର୍ଷା ଋତୁ ଦେଶର ଚାଷୀମାନଙ୍କ ସକାଶେ ସବୁଠାରୁ ଅଧିକ ମହତ୍ତ୍ବ ରଖୁଥିବା ବେଳେ ବିଭିନ୍ନ ଜଳଭଣ୍ଡାର ମଧ୍ୟ ସ୍ବାଭାବିକ ବର୍ଷା ଉପରେ ନିର୍ଭରଶୀଳ ଥାନ୍ତି। ତା’ଛଡ଼ା ଦେଶର ଅଧିକାଂଶ ଅଞ୍ଚଳରେ ଚାଷୀମାନେ ବର୍ଷା ଉପରେ ନିର୍ଭରଶୀଳ ଥିବାରୁ ଏହାର ମହତ୍ତ୍ବ ଯଥେଷ୍ଟ ଅଧିକ ରହିଆସିଛି। ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରଭାବରେ ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ତାମିଲନାଡ଼ୁ, ପୁଡୁଚେରୀ, କେରଳ ଓ ଆନ୍ଧ୍ର ପ୍ରଦେଶରେ କେତେକ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଥାଏ। ଚଳିତ ବର୍ଷ ଦେଶର ଅଧିକାଂଶ ସ୍ଥାନରେ ମୌସୁମୀର ଆଗମନ ଓ ପ୍ରତ୍ୟାବର୍ତ୍ତନର ତାରିଖରେ ପାଣିପାଗ ବିଭାଗ ପକ୍ଷରୁ ସଂଶୋଧନ କରାଯାଇଛି। ଗତ ୧୯୬୦ରୁ ୨୦୧୯ ମଧ୍ୟରେ ମୌସୁମୀ ବାୟୁର ଆଚରଣକୁ ଆଧାର କରି ପାଣିପାଗ ବିଭାଗ ଏପରି ପୂର୍ବାନୁମାନ କରିଛି। ମହାରାଷ୍ଟ୍ର, ଗୁଜରାଟ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର ଓ ଉତ୍ତର ପ୍ରଦେଶର କେତେକ ଅଞ୍ଚଳ ପାଇଁ ମୌସୁମୀର ଆଗମନ ୩ରୁ ୭ ଦିନ ପର୍ଯ୍ୟନ୍ତ ବିଳମ୍ବିତ ହୋଇପାରେ। ସେହିପରି ରାଜଧାନୀ ନୂଆଦିଲ୍ଲୀରେ ମୌସୁମୀ ୪ ଦିନ ବିଳମ୍ବ ଅର୍ଥାତ୍ ଜୁନ୍ ୨୩ ପରିବର୍ତ୍ତେ ଜୁନ୍ ୨୭ ତାରିଖରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।


