ଜୁନ ୧୦ରେ ଦୂରଦର୍ଶନ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ସମ୍ପର୍କିତ ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଆୟୁଷ ମନ୍ତ୍ରଣାଳୟ ଓ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ଦୂରଦର୍ଶନ ଏକ ପ୍ରାକ ପ୍ରସ୍ତୁତି କାର୍ଯ୍ୟକ୍ରମ ବା କର୍ଟନ ରେଜର ପ୍ରସାରଣର ଆୟୋଜନ କରୁଛି । ଆସନ୍ତା ୧୦ ତାରିଖ ଦିନ ଦୂରଦର୍ଶନ ସମାଚାର ପକ୍ଷରୁ ସନ୍ଧ୍ୟା ୭ ଟାରୁ ୮ ମଧ୍ୟରେ ଏହା ପ୍ରସାରିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ଆୟୁଷ ମନ୍ତ୍ରଣାଳୟର ଫେସବୁକ ପୃଷ୍ଠାରେ ମଧ୍ୟ ଉପଲବ୍ଧ ହେବ । ଆନ୍ତର୍ଜାତିକ ଯୋଗ ଦିବସ ୨୦୨୦ର ୧୦ ଦିନିଆ କାଉଣ୍ଟ ଡାଉନ ଏହି ପ୍ରାକ ପ୍ରସ୍ତୁତି କାର୍ଯ୍ୟକ୍ରମ ପ୍ରସାରଣ ଜରିଆରେ ପ୍ରଦର୍ଶିତ ହେବ । କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ, ରାଷ୍ଟ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡଃ ଜିତେନ୍ଦ୍ର ସିଂହ ଏବଂ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ସଭାପତି ଡଃ ବିନୟ ସହଶ୍ରବୁଦ୍ଧେ ଏହି ଅବସରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେବେ । ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା ମଧ୍ୟ ଏଥିରେ ଉପସ୍ଥିତ ରହିବେ । ଚଳିତ ବର୍ଷ କୋଭିଡ-୧୯ବୈଶ୍ଵିକ ମହାମାରୀ ଯୋଗୁଁ ଏବର୍ଷର ଆନ୍ତର୍ଜାତିକ ଯୋଗ ଦିବସକୁ ଅନଲାଇନରେ ପାଳନ କରିବାକୁ ଆନ୍ତର୍ଜାତିକ ସ୍ତରରେ ସ୍ଥିର ହୋଇଛି । କରୋନା ଭୂତାଣୁର ଭୟଙ୍କର ସଂକ୍ରମଣ ସ୍ଥିତି ଯୋଗୁଁ ଜନସାଧାରଣଙ୍କୁ ମନ୍ତ୍ରଣାଳୟ ନିଜ ଘରେ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଜନସାଧାରଣଙ୍କ ନିମନ୍ତେ ମାଈ ଲାଇଫ ମାଈ ଯୋଗ ଭିଡିଓ ବ୍ଲଗ ପ୍ରତିଯୋଗିତାର ଘୋଷଣା କରିଛନ୍ତି । ପ୍ରାକ ପ୍ରସ୍ତୁତି ପ୍ରସାରଣ ପରେ ଜୁନ ୧୧ ରୁ ୨୦ ତାରିଖ ମଧ୍ୟରେ ଡିଡି ଭାରତୀ ଓ ଡିଡି ସ୍ପୋର୍ଟ୍ସରେ ସକାଳ ୮ ଟାରୁ ୮.୩୦ ପର‌୍ୟ୍ୟନ୍ତ ଏକ ଯୋଗ ତାଲିମ ଅଧିବେଶନ ପ୍ରସାରିତ ହେବ । ନୂଆଦିଲ୍ଲୀସ୍ଥିତ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ପକ୍ଷରୁ ଏହା ପରିଚାଳନା କରାଯିବ । ଯୋଗ ଗୁରୁ ସ୍ଵାମୀ ରାମଦେବ ଜୀ, ଶ୍ରୀ ଶ୍ରୀ ରବି ଶଙ୍କର ଜୀ, ସଦଗୁରୁ ଜାଗି ବାସୁଦେବ ଜୀ, ଡଃ ଏଚ ଆର ନଗେନ୍ଦ୍ର ଜୀ, ଶ୍ରୀ କମଳେଶ ପଟେଲ ଜୀ, ସିଷ୍ଟର ଶିବାନୀ ଏବଂ ସ୍ଵାମୀ ଭରତ ଭୂଷଣ ଜୀ ଆମ ଜୀବନରେ ଯୋଗର ଗୁରୁତ୍ଵ, ରୋଗ ପ୍ରତିଷେଧକ ଓ ମାନସିକ ସ୍ୱାସ୍ଥ୍ୟ ବୃଦ୍ଧିରେ ଯୋଗର ଭୂମିକା ନେଇ ଉପଦେଶମାନ ଦେବେ । ମନ୍ତ୍ରଣାଳୟର ଅଧିକାରିଗଣ କରୋନା ଭଳି ବୈଶ୍ଵିକ ମହାମାରୀ କାଳରେ ଘରେ ଯୋଗ ଅଭ୍ୟାସ ନେଇ କେତେକ ତଥ୍ୟ ପ୍ରଦାନ କରିବେ । ଚଳିତ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ସଂକ୍ରାମକ ରୋଗ କରୋନାର ଭୟାବହତା ମଧ୍ୟରେ ପଡିଛି । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଯୋଗର ଉପାଦେୟତା ଖୁବ ଗୁରୁତ୍ଵପୂର୍ଣ୍ଣ । ସାମାଜିକ ଦୂରତ୍ଵ ରକ୍ଷା କରି ଜନସାଧାରଣ ନିଜ ନିଜ ଘରେ ଯୋଗାଭ୍ୟାସ କରିବା ପାଇଁ ବର୍ତ୍ତମାନର ପରିସ୍ଥିତି ଏକ ସୁଯୋଗ ପ୍ରଦାନ କରିଛି । ଆୟୁଷ ମନ୍ତ୍ରଣାଳୟ ସମେତ ଏଥିସହ ସଂଶ୍ଳିଷ୍ଟ ଅନେକ ଅନୁଷ୍ଠାନ ବିଭିନ୍ନ ପୋର୍ଟାଲ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟମାନ ଦେଉଛନ୍ତି । ବିଶ୍ଵବ୍ୟାପୀ ଯୋଗ ଅନୁଗାମୀମାନେ୨୧ ଜୁନ ସକାଳ ୭ ବେଳେ ନିଜ ନିଜ ଘରେ ଏହାର ଅଭ୍ୟାସ କରି ଯୋଗକୁ ଅଧିକ ପ୍ରୋତ୍ସାହିତ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ