ଜୁଲାଇରୁ ଆରମ୍ଭ ହୋଇପାରେ ପାଠପଢ଼ା !
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପାଇଁ ଏବେ ସ୍କୁଲ, କଲେଜ ଛୁଟି ଅଛି । ଆସନ୍ତା ଜୁଲାଇ ମାସରୁ ବିଦ୍ୟାଳୟ ଗୁଡ଼ିକ ଖୋଲିବା ପାଇଁ ଯୋଜନା ହେଉଛି । ସାମାଜିକ ଦୂରତା ନିୟମ ବଜାୟ ରଖିବା ପାଇଁ ୩୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଥମେ ବିଦ୍ୟାଳୟ ଖୋଲିବ । ବୟସ୍କ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଥମେ ବିଦ୍ୟାଳୟକୁ ଆସିବାକୁ ଅନୁମତି ଦିଆଯିବ । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଆସିବାକୁ ପ୍ରଥମେ ଅନୁମତି ଦିଆଯିବ ନାହିଁ । ସେମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । ପ୍ରଥମେ ଗ୍ରୀନ ଓ ଅରେଞ୍ଜ ଜୋନ ଘୋଷିତ ଜିଲ୍ଲାରୁ ଏହା ଆରମ୍ଭ ହେବ । କେନ୍ଦ୍ର ସରକାର ଏଭଳି ଯୋଜନା କରୁଛନ୍ତି ବୋଲି ଜଣାପଡ଼ିଛି । ଛୋଟ ପିଲାମାନେ ସାମାଜିକ ଦୂରତା ନିୟମ ପାଳନ କରିପାରିବେ ନାହିଁ । ସେମାନେ ପରସ୍ପର ସହିତ ମିଶିବେ । ତେଣୁ ଏଥିପାଇଁ ସେମାନଙ୍କୁ ପ୍ରଥମେ ବିଦ୍ୟାଳୟକୁ ଆସିବାକୁ ଦିଆଯିବ ନାହିଁ ।
୩୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ପାଠପଢ଼ା ଆରମ୍ଭ ହେବ ବୋଲି ଗତ ମେ ମାସରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଇଙ୍ଗିତ କରିଥିଲେ । ସେହି ସମୟରେ ମନ୍ତ୍ରୀ କହିଥିଲେ, ୟୁଜିସି ଓ ଏନସିଇଆରଟି ଟାସ୍କଫୋନ ସ୍କୁଲ, କଲେଜ ଖୋଲିବା ପାଇଁ ନୂଆ ନିୟମାବଳୀ ଜାରି କରିବା କାର୍ଯ୍ୟରେ ଲାଗିଛନ୍ତି । ୟୁଜିସି ପକ୍ଷରୁ ସ୍କୁଲ ପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଇଛି । ତେଣୁ ସ୍କୁଲ ଠାରୁ ଆରମ୍ଭ କରି ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ନିୟମାବଳୀ ଅଲଗା ଅଲଗା ରହିବ ବୋଲି ଆଶା କରାଯାଉଛି । ଉଲ୍ଲେଖଯୋଗ୍ୟ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଯୋଗୁଁ ଦେଶରେ ମାର୍ଚ୍ଚ ୧୬ ରୁ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା । ଦୁଇ ମାସରୁ ଅଧିକ ସମୟ ହେଲା ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଲାଣି ।


