ଜୁଳୁଜୁଳିଆ ଗୁମ୍ଫା
ନିଉଜିଲ୍ୟାଣ୍ଡ୍ର ଉତ୍ତର ଦ୍ୱୀପାଞ୍ଚଳ ବିଚିତ୍ର ବିଭବରେ ଭରା । ସେଥିରୁ ଗୋଟିଏ ହେଲା ୱତୋମୋ ଗୁମ୍ଫା । ରାତି ଅନ୍ଧାରରେ ତାରା ଭଳି ଗୁମ୍ଫା ଭିତରେ ଝଲମଲ ହେଉଥାଏ ଜୁଳୁଜୁଳା ବଢ଼ିଆଣୀ । ନିଉଜିଲ୍ୟାଣ୍ଡ୍ରେ ଦିଶୁଥିବା ୩ ସେଣ୍ଟିମିଟର ଲମ୍ବର ଏଇ ଜୁଳୁଜୁଳିଆ ବିଭିନ୍ନ ପର୍ଯ୍ୟାୟ ଦେଇ ବଢ଼ିଥାଏ । ପ୍ରଥମେ ଅଣ୍ଡା, ତା’ପରେ ଶୂକ-କୀଟ (ଲାର୍ଭା), ପ୍ୟୁପା ଓ ଶେଷରେ ବଡ଼ ଜୁଳୁଜୁଳିଆ । କେବଳ ଅଣ୍ଡା ଅବସ୍ଥାକୁ ଛାଡ଼ିଦେଲେ ବାକି ସବୁବେଳେ ଏହା ଝଲସୁଥାଏ । ମାତ୍ର ଶୂକ-କୀଟ ଅବସ୍ଥାରେ ଏହା ଖୁବ୍ ଉଜ୍ଜ୍ୱଳ ଦେଖାଯାଏ । ଏଇ ଉଜ୍ଜ୍ୱଳତା ଯୋଗୁଁ ଶୂକ-କୀଟ ପାଖକୁ ଶିକାର ଚାଲିଆସେ । ଏହାକୁ ଯେତେ ଜୋର୍ ଭୋକ ଲାଗେ ସେ ସେତେ ଅଧିକ ଉଜ୍ଜ୍ୱଳ ହୋଇଯାଏ । ଶିକାର ଧରିବାକୁ ଶୂକ-କୀଟ ଅଠାଳିଆ ଲାଳ ବୋଳା ପଶମ ପରି ସୂତାଖିଅ ଓହଳାଇଥାଏ । ତା’ର ଉଜ୍ଜ୍ୱଳ ଆଲୁଅ ଦେଖି କୀଟମାନେ ଆକୃଷ୍ଟ ହେଇ ତା’ ଆଡ଼କୁ ଚାଲିଯାଆନ୍ତି । ଶୂକ-କୀଟ ପାଖକୁ ଗଲା ମାତ୍ରେ ସେମାନେ ଲାଳ ବୋଳା ସୂତାଖିଅରେ ଲାଖିଯାଆନ୍ତି । ତା’ପରେ ସୂତାଖିଅକୁ ଉପରକୁ ଟାଣିନେଇ ଶିକାରକୁ ଆନନ୍ଦରେ ଗିଳିପକାଏ ସେ । ଖାଲି ସେତିକି ନୁହେଁ ଜୁଳୁଜୁଳିଆ ବୁଢ଼ଆଣୀମାନେ ବେଶ୍ ଚାଲାକ୍ ମଧ୍ୟ । ସାମାନ୍ୟ ଶବ୍ଦ ଶୁଭିଲେ କିମ୍ବା ବିପଦର ଆଭାସ ପାଇଲେ ସେମାନେ ନିଜର ଆଲୁଅ ଲିଭାଇ ଦିଅନ୍ତି । ଅନେକ ଦେଖଣାହାରୀ ଛୋଟ ଛୋଟ ଡଙ୍ଗାରେ ବସି ଏ ଗୁମ୍ଫା ଭିତରେ ପ୍ରବେଶ କରିଥାନ୍ତି । ଗୁମ୍ଫା ଭିତର ଘନ ଅନ୍ଧାରରେ ତାରାଟିଏ ଚକମକ ହେଲା ଭଳି ଜୁଳୁଜୁଳା ବୁଢ଼ିଆଣୀ ଝଲସି ଉଠୁଥାଏ । ଏ ଦୃଶ୍ୟ ବେଶ୍ ଆକର୍ଷଣୀୟ ।


