ଜେଇଇ ମେନ୍ ଆବେଦନ ଅବଧି ୨୦ ପର୍ଯ୍ୟନ୍ତ ବୃଦ୍ଧି
ଭୁବନେଶ୍ୱର: ଜେଇଇ ମେନ୍ ୨୦୨୧ର ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ଜୁଲାଇ ୨୭ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା ଏବେ ଅଗଷ୍ଟ ୨୬,୨୭, ୩୧ ଏବଂ ସେପ୍ଟେମ୍ବର ୧ ଓ ୨ରେ ଅନୁଷ୍ଠିତ ହେବ। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ସୂଚନା ଦେଇଛନ୍ତି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ମଧ୍ୟରେ ଅବଧି ବୃଦ୍ଧି ପାଇଁ ବହୁ ଛାତ୍ରୀଛାତ୍ର ଅନୁରୋଧ କରିଥିଲେ। ଏହାପରେ ଦୁଇ ପର୍ଯ୍ୟାୟ ପରୀକ୍ଷା ମଧ୍ୟରେ ୪ ସପ୍ତାହ ଅବଧି ରଖିବା ପାଇଁ ଏନ୍ଟିଏକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏବେ ଏନ୍ଟିଏ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଛି। ଏଥିସହ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ପାଇଁ ଆବେଦନ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ପରୀକ୍ଷା ପାଇଁ ଗତ ୯ରୁ ୧୨ ତାରିଖ ମଧ୍ୟରେ ଆବେଦନ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ନୂଆ ଘୋଷଣା ଅନୁସାରେ, ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ। ତେବେ ଏ ପର୍ଯ୍ୟନ୍ତ ୭.୩୨ଲକ୍ଷ ଛାତ୍ରୀଛାତ୍ର ଆବେଦନ କରିଥିବା ଜଣାପଡିଛି।


