ଜେଲ ଭରୋ ଆନ୍ଦୋଳନ ପାଇଁ ଆହ୍ୱାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଯେତେବେଳେ ନବନିର୍ମାଣ କୃଷକ ସଂଗଠନ ନାମରେ ସଂଗଠନ ଚାଲିଥିଲା, ସେତେବେଳେ ସରକାର ବିଭିନ୍ନ ସଭାସମିତି, ଶୋଭାଯାତ୍ରାକୁ ଅନୁମତି ଦେଉନଥିଲେ । ହେଲେ ଏବେ ଏହା ମୋ ଦଳରେ ପରିଣତ ପରେ ବି ସମାନ ଅବସ୍ଥା । ଧାମନଗର ଉପନିର୍ବାଚନ ବେଳେ ନବନିର୍ମାଣ କୃଷକ ସଂଗଠନକୁ ଗୋଟିଏ ଥର ସୁଯୋଗ ଦେଇଥିଲା ପୋଲିସ୍, ହେଲେ ପରେ ଶୋଭାଯାତ୍ରା ଅନୁମତି ଦେବାକୁ ମନା କରିଥିଲା ଏବଂ କହିଥିଲା ନାଁ, ଆପଣମାନେ ରାଜନୈତିକ ଦଳ ନୁହଁନ୍ତି, ଆପଣମାନେ ସଂଗଠନ, ତେଣୁ ଅନୁମତି ଦେଇହେବ ନାହିଁ । ପୁରା ଐତିହାସିକ ନିଷ୍ପତ୍ତି ନିଆଯାଇ ଏହି ଭିତରେ ମୋ ଦଳର କାର୍ଯ୍ୟକ୍ରମ ଗତିଶୀଳ ହେଲା । ହେଲେ ମୋ ଦଳ ଗଠନ ପରେ ବି ଆଶ୍ଚର୍ଯ୍ୟଜନକ ଭାବେ ସେହି ପ୍ରତିବନ୍ଧକ ଓ ବାରଣ ।ସୂଚନାଯୋଗ୍ୟ ଯେ, ଚାଷୀଙ୍କର ଓ ଜଗନ୍ନାଥଙ୍କର ଅମୃତମଣୋହି ଜମି ବେଦାନ୍ତ କମ୍ପାନୀ ବିଶ୍ୱବିଦ୍ୟାଳୟ ପାଇଁ ଶାଗ ମାଛ ଦରରେ ସରକାର ଦେବା ନେଇ ସୁପ୍ରିମକୋର୍ଟ ଭୀଷଣ ଅସନ୍ତୋଷ ପ୍ରକାଶ କରି ରାୟ ଦେଇଥିଲେ । ଏଭଳିକି ୧୨ ଏପ୍ରିଲ୍, ୨୦୨୩ ରାୟରେ ହାଇକୋର୍ଟ ରାୟକୁ ସମର୍ଥନ କରି ଅନିଲ ଅଗ୍ରୱାଲ ଫାଉଣ୍ଡେସନ ସହିତ ହୋଇଥିବା ୨୦୦୬ ଚୁକ୍ତି ବେଆଇନ ବୋଲି ଦର୍ଶାଇଥିଲେ । ମକଦ୍ଦମା ଲଢୁଥିବା ଭାରତର ପ୍ରଖ୍ୟାତ ଜନବାଦୀ ଆଇନଜୀବୀ ପ୍ରଶାନ୍ତ ଭୂଷଣ ପୁରୀ ଜିଲ୍ଲା ବେଲଦଳଠାରେ ଗତ ସେପ୍ଟେମ୍ବର ୯ ତାରିଖରେ ଆୟୋଜିତ ହୋଇଥିବା ବେଦାନ୍ତ ବିରୋଧୀ ବିଜୟୀ ଶୋଭାଯାତ୍ରାକୁ ସମ୍ବୋଧିତ କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନାଁରେ ଅପରାଧିକ ମାମଲା କରାଯାଇ ପାରିବ । ପ୍ରଥମରୁ ବେଦାନ୍ତ ଆନ୍ଦୋଳନରେ ସାମିଲ୍ ଥିବା ନବ ନିର୍ମାଣ ସମିତି ଓ ବର୍ତ୍ତମାନ ମୋ ଦଳ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ଏତଲା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ମାତ୍ର ଏ ନେଇ ଯେତେବେଳେ ପ୍ରାରମ୍ଭିକ ପ୍ରସ୍ତୁତି ପୂର୍ବକ କଟକ-ଭୁବନେଶ୍ୱର କମିଶନରେଟ ପୋଲିସ୍କୁ ଅନୁମତି ମଗାଗଲା, ସେତେବେଳେ ଟ୍ରାଫିକ ଶୃଙ୍ଖଳା ଓ ପୁରୁଣା ଅପରାଧିକ ମାମଲା ଦର୍ଶାଯାଇ ଏହି ଅନୁମତି ଆବେଦନକୁ ବାତିଲ୍ କରିଦିଆଗଲା । ଆଜି ଏହି ଅନୁମତି ନଦେବାକୁ ନେଇ ମୋ ଦଳ ରାଜ୍ୟ କାର୍ଯ୍ୟାଳୟରେ ଦଳର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଓଡ଼ିଶା ସରକାର ଓ ପୋଲିସ୍ ପ୍ରଶାସନ ଉପରେ ବର୍ଷିଛନ୍ତି ।ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ କୁମାର କହିଛନ୍ତି ଯେ, ଓଡ଼ିଶାରେ ତାନାସାହି ଶାସନ ଚାଲିଛି । ପୋଲିସ୍ ଲୋକଙ୍କ ଧନଜୀବନ ସୁରକ୍ଷା କରିବା ପରିବର୍ତ୍ତେ ବିଜେଡ଼ି ସରକାରର ବୋଲକରା ସାଜି ଆଇନର ବିରୁଦ୍ଧାଚରଣ କରୁଛି । ସମ୍ବିଧାନର ୧୯ ଧାରାରେ ଆମ ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଶୋଭାଯାତ୍ରାର ଅଧିକାର ପ୍ରଦାନ କରାଯାଇଛି । ହେଲେ ଆମର ସାମ୍ବିଧାନିକ ଅଧିକାରକୁ ସମ୍ପୂର୍ଣ୍ଣ ହନନ କରାଯାଉଛି । ଆମେ ଏହାର ଦୃଢ ପ୍ରତିବାଦ ଓ ପ୍ରତିରୋଧ କରିବା ସହ ନିନ୍ଦା କରୁଛୁ । ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାର ବାରମ୍ବାର ଅଗଣତାନ୍ତ୍ରିକ ନିଷ୍ପତ୍ତିମାନ ନେଉଛନ୍ତି । ଏହା ବରଦାସ୍ତ କରାଯିବ ନାହିଁ । ଜଗନ୍ନାଥଙ୍କ ଅମୃତମଣୋହି ସମ୍ପତ୍ତି ଓ ଚାଷୀଙ୍କ ସମ୍ପତ୍ତି ସହ ଦୁଇ ଦୁଇଟି ନଈ ଓ ଅଭୟାରଣ୍ୟ ଜଙ୍ଗଲ ଥିବା ଜମିକୁ ଆଇନକୁ ମୋଡ଼ି ମକଚି ରାତି ଅଧିଆ ଗୋଟିଏ ଘରୋଇ କମ୍ପାନୀକୁ ଟେକି ଦେଲାବେଳେ ରାଜ୍ୟର ଆଇନ କାନୁନ କେଉଁଟି ଥିଲା? ଏତେସବୁ କାରନାମାର ମୁଖ୍ୟ କାର୍ପଟଦାର ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏକି ବାରମ୍ବାର କହନ୍ତି, ଆଇନ ତା ନିଜ ବାଟରେ ଯିବ । କିନ୍ତୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଲିଜ୍ ମାମଲାରେ ଆଇନକୁ ବାଟବଣା କରିଦିଆଯାଇଥିଲା କାହିଁକି? ବିଗତ ଦିନର ବହୁ ପ୍ରତିବାଦ, ପ୍ରତିରୋଧରେ ଆମେ ଅହିଂସକ ଓ ଶାନ୍ତିପୂର୍ଣ୍ଣ ରାସ୍ତାର ଉପାୟକୁ ଆପଣାଇଛୁ । ଏବେ ସେହି ଅହିଂସା ଓ ଶାନ୍ତିପୂର୍ଣ୍ଣ ଉପାୟରେ ଆମେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଅକ୍ଟୋବର ୧୭ତାରିଖରେ କ୍ୟାପିଟାଲ ଥାନାରେ ଏତଲା ଦେବୁ । ମୁଖ୍ୟମନ୍ତ୍ରୀଙ୍କ ଧଳା କୂର୍ତ୍ତା ତଳେ କେତେ କଳା କାରନାମାର ଅଙ୍ଗାରସବୁ ଗଚ୍ଛିତ ହୋଇଛି ତାହା ଓଡ଼ିଶାବାସୀଙ୍କୁ ଜଣାଇବୁ ଓ ଲାଲୁ ଯାଦବ, ଜୟ ଲଳିତା ଓ ଚୌତାଲା ଯେଭଳି ଆଇନର କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସେହି ରାସ୍ତା ଦେଖାଇଦେବୁ । ସେହିଭଳି ରାଜ୍ୟର ଯେଉଁ କାନୁନ ଆମର ବିବେକ ଅନୁମୋଦିତ କାନୁନ ବା ଈଶ୍ୱରୀୟ କାନୁନକୁ ଭାଙ୍ଗିଦେଉଛି, ଆମେ ଈଶ୍ୱରୀୟ କାନୁନକୁ ସ୍ୱୀକାର କରି ସବିନୟ ଆଇନ ଅମାନ୍ୟ ମାଧ୍ୟମରେ ତାର ବିରୋଧ କରିବୁ । ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଏତଲା ଦେବାକୁ ଯାଇ ଯଦି ଆବଶ୍ୟକ ପଡ଼େ, ତେବେ ଆମ୍ଭେ ଜେଲ୍ ଭରୋ ଆନ୍ଦୋଳନ କରିବୁ । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦଳର ସଂଯୋଜକ କ୍ଷୀରୋଦ ରାଉତ, ମହାସଚିବ ପ୍ରଦୀପ ପ୍ରଧାନ, ପ୍ରଚାର କମିଟିର ଅଧ୍ୟକ୍ଷ ଶେଷଦେବ ନନ୍ଦ, ସାଧାରଣ ସମ୍ପାଦକ ଅଶୋକ ମହାନ୍ତି, ଉମାକାନ୍ତ ଭାରତ, ରଶ୍ମୀରଞ୍ଜନ ସ୍ୱାଇଁ ଓ କୋଷାଧ୍ୟକ୍ଷ ନିମାଇଁ ରାୟ ଓ ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ ଉପସ୍ଥିତ ଥିଲେ ।