ଜୈବିକ ପ୍ରଣାଳୀରେ ତାଷକାର୍ଯ୍ୟ ପାଇଁ ଏକ ଅନନ୍ୟ ଉଦାହରଣର ପ୍ରତୀକ ସରପଞ୍ଚ ସଂଜୟ

ଆସିକା, (ଯୁଗାବ୍ଦ ନ୍ୟୁଜ):ମୃତ୍ତିକା ସଂରକ୍ଷଣ ଚାଷଜମିର ଉର୍ବରତା ବୃଦ୍ଧି ନିମନ୍ତେ ଜୈବିକ ପଦାର୍ଥର ଆବଶ୍ୟକତା ଅତ୍ୟନ୍ତ ଜରୁରୀ । ପ୍ରକୃତିମାତାଙ୍କୁ ସୁନ୍ଦର ଓ ସୁସ୍ଥସବଳ ରଖିବା ପାଇଁ ନିଜ ଚାଷଜମିରେ ଫୁଲ, ପନିପରିବା, ତୈଳ ଓ ଡାଲିଜାତୀୟ ଫସଲ ଜୈବିକ ପ୍ରଣାଳୀରେ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମ ପଂଚାୟତର ଯୁବ ସରପଞ୍ଚ ସଂଜୟ କୁମାର ନାୟକ । ତାଙ୍କର ଏହି ଜୈବିକ ପ୍ରଣାଳୀରେ ଚାଷକାର୍ଯ୍ୟ ଅନ୍ୟ ଚାଷୀମାନଙ୍କ ପାଇଁ ଏକ ପ୍ରେରଣା ଉତ୍ସ ପାଲଟିଛି । ଯୁବ ସରପଞ୍ଚ ସଂଜୟ କୁମାର ନାୟକଙ୍କ ମତରେ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଚାଷ, କୀଟନାଶକ ଔଷଧ ଓ ରାସାୟନିକ ସାରର ବହୁଳ ପ୍ରୟୋଗ ଦ୍ୱାରା ମାନବ ସମାଜ ବିଭିନ୍ନ ରୋଗର ଶୀକାର ହୋଇଆସୁଛି ଓ କୃଷିକୁ ସହଯୋଗ କରୁଥିବା ଜିଆ, ଗେଣ୍ଡା, ଶାମୁକା ଓ ଉପକାରୀ ଅଣୁଜୀବମାନଙ୍କୁ ହତ୍ୟା କରାଯାଇ ପାନୀୟ ଜଳ ଓ ଖାଦ୍ୟକୁ ବିଷରେ ପରିଣତ କରିବା ଦ୍ୱାରା ଜଳବାୟୁ ମଧ୍ୟ ଦିନକୁ ଦିନ ଦୂଷିତ ହେବାରେ ଲାଗିଛି । ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ସଂଜୟ କୁମାର ନାୟକ ପାରମ୍ପରିକ ଓ ଜୈବିକ ଚାଷକୁ ଗୁରୁତ୍ୱ ଦେଇ ଗୋପାଳନ କରିବା ସହିତ ଜିବାମୃତ ମାଧ୍ୟମରେ ସମସ୍ତ ଚାଷୀକୁଳକୁ ଜୈବିକ ପଦ୍ଧତିରେ ଚାଷକାର୍ଯ୍ୟ କରିବା ପାଇଁ ମାର୍ଗଦର୍ଶନ କରୁଥିବା ଜଣାପଡିଛି । ତା ସାଙ୍ଗକୁ ଆବଶ୍ୟକତା ଅନୁଯାୟୀ ରାସାୟନିକ ସାରକୁ ବ୍ୟବହାର କରିବା ପାଇଁ ଆହ୍ୱାନ ଦେବା ସହ ଜୈବିକ ଉପାୟରେ ଉତ୍ତମ ଧାନଚାଷ କରି ସେ ଉଦାହରଣ ସୃଷ୍ଟି କରିପାରିଥିବା ଜଣାପଡିଛି । ଜୈବିକ ସାର ମାଧ୍ୟମରେ ନିରୋଗ ଓ ଅଧିକ ଧାନ ଅମଳ ହେଉଥିବା ଯୋଗୁଁ ଯୁବ ସରପଂଚ ସଂଜୟ କୁମାର ନାୟକଙ୍କ ଏହି ମହନୀୟ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ