ଜୋର ଜବରଦସ୍ତି କାର୍ଯ୍ୟ ଆରମ୍ଭ ନେଇ ଜିଲ୍ଲାପାଳ ଓ ଏସ୍ପି ଙ୍କୁ ଭେଟିବେ କାଳୀପଲ୍ଲୀ ଗ୍ରାମବାସୀ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଂଜାମ ଜିଲ୍ଲା ଛତ୍ରପୁର ତହସିଲ ଅନ୍ତର୍ଗତ କାଳୀପଲ୍ଲୀ ଗ୍ରାମ ନିକଟରେ ସ୍ମାର୍ଟ କେମ୍ ଟେକନୋଲୋଜି ନାମକ ଏକ ସାର କାରଖାନା ପ୍ରକଳ୍ପ ନିର୍ମାଣ କୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି l ଗଂଜାମ ପ୍ରଶାସନ,ପୋଲିସ ପ୍ରଶାସନ ଓ କାଳୀପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ବହୁବାର ଏହି ପ୍ରକଳ୍ପକୁ ନେଇ ଆଲୋଚନା ଓ ଉତେଜନା ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନର ବାଟ ଫିଟିନାହିଁ l ଏହି ପରିସ୍ଥିତିକୁ ନେଇ ପ୍ରକଳ୍ପ ନିର୍ମାଣ ଅନିଶ୍ଚିତ ଘେରରେ ଚାଲିଛି l ମଙ୍ଗଳବାର କମ୍ପାନୀ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ବିନା ସୂଚନାରେ ତରବରିଆ ଭାବେ ପୋଲିସ ଛାଉଣୀରେ ପାଚେରୀ କାମ ଆରମ୍ଭ ହୋଇଛି l ଏହା ସହ ବେରିକେଟ୍ ପକାଇ ପୋଲିସ କଡା ସୁରକ୍ଷାରେ ରହି କମ୍ପାନୀ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳୁଛି l ଏହାକୁ ଆନ୍ଦୋଳନକାରୀ ତଥା କାଳୀପଲ୍ଲୀବାସୀ ଦୃଢ ନିନ୍ଦା କରିବା ସହ ବେଆଇନ ଭାବେ ଏପରି କାର୍ଯ୍ୟକୁ ବିରୋଧ କରିଛନ୍ତି l ଏ ନେଇ ଗ୍ରାମରେ ଚାପା ଉତେଜନା ଦେଖିବାକୁ ମିଳିବା ସହ ଗ୍ରାମର କୋଠାଘର ଠାରେ ଏକ ଜରୁରୀ ବୈଠକ ସଭାପତି ବି.ମୋହନ ପାତ୍ର ଙ୍କ ନେତୃତ୍ୱରେ ହୋଇଥିଲା l ଏଥିରେ ଗ୍ରାମର ବହୁ ଭଦ୍ରବ୍ୟକ୍ତି ,ଯୁବକ ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ରହି କମ୍ପାନୀର ଏଭଳି କାର୍ଯ୍ୟ ବିରୋଧରେ ଆଗାମୀ ଦିନରେ ଉଚିତ ଜବାବ ଦିଆଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଏହା ସହିତ ବିନା ସୂଚନାରେ କମ୍ପାନୀ ପକ୍ଷରୁ କାର୍ଯ୍ୟ ଆରମ୍ଭକୁ ନେଇ ଗ୍ରାମବାସୀ ଗଂଜାମ ଜିଲ୍ଲାପାଳ ଓ ଏସ୍ପି ଙ୍କୁ ଭେଟିବେ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି l ସେପଟେ ୨୧ ପ୍ଲାଟୁନ ପୋଲିସ ମୁତୟନ ରହି କମ୍ପାନୀ ପକ୍ଷରୁ ପାଚେରୀ ନିର୍ମାଣ କାର୍ଯ୍ୟ ଜାରି ରହିଛି l ଶାନ୍ତି ସୁଙ୍ଖଳା ବଜାଇ ରଖିବା ନିମନ୍ତେ ଛତ୍ରପୁର ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିବା ବେଳେ ଗଂଜାମ ପୋଲିସ ଜିଲ୍ଲାର ଦୁଇ ଜଣ ଅତିରିକ୍ତ ଏସ୍ପି ,୬ ଜଣ ଡ଼ିଏସପି ,୧୮ ଜଣ ଇନ୍ସପେକ୍ଟର ,କମ୍ପାନୀ ପାଚେରୀ ନିର୍ମାଣ ସ୍ଥଳରେ ଉପସ୍ଥିତ ରହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ