ଜ୍ୟୋତି ହସପିଟାଲ ନିର୍ଦ୍ଦେଶକ ଫାଦର ପଲଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସହର ଉପକଣ୍ଠରେ ଥିବା ଜ୍ୟୋତି ହସପିଟାଲର ନିର୍ଦ୍ଦେଶକ ଫାଦର ଡ. ପଲ କୁନମ ପରମପଥଙ୍କର ମିତ୍ରପୁର ଚର୍ଚ୍ଚକୁ ଯାଜକ ଭାବେ ବଦଳିକୁ ନେଇ ଏକ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ହସପିଟାଲ ପେକ୍ଷାଳୟରେ ୭ ତାରିଖ ସଂଖ୍ୟାରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୋଭିଡ ସମୟରେ ଜିଲା ପ୍ରଶାସନକୁ ଫାଦର ପଲଙ୍କ ସହଯୋଗକୁ କେବେ ମୂଲ୍ୟାଙ୍କନ କରାଯାଇ ନପରେ ବୋଲି କହିଥିଲେ । ଜିଲାର ଅନ୍ୟାନ୍ୟ କୋଭିଡ ହସପିଟାଲ ମଧ୍ୟରେ ଜ୍ୟୋତି ହସପିଟାଲ ସବୁଠାରୁ ଉତ୍କୃଷ୍ଟ ସେବା ଯୋଗାଇଥିବା ବେଳେ ଏଥିପାଇଁ ନିର୍ଦ୍ଦେଶକ ଫାଦର ପଲ ହିଁ ପ୍ରଶଂସାର ପାତ୍ର ବୋଲି ସେ ମତ ପ୍ରକାଶ କରିଥିଲେ । ନୂତନ ଭାବେ ଦାୟିତ୍ୱ ନେଇଥିବା ଫାଦର ପିଟର ଅର୍କେଲଠାରୁ ମଧ୍ୟ ଜିଲା ପ୍ରଶାସନ ଅନୁରୂପ ଭାବେ ସହଯୋଗ ଆଶା କରୁଛି ବୋଲି ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପ୍ରକାଶ କରିଥିଲେ । ବାଲେଶ୍ୱର ରୋମାନ କ୍ୟାଥଲିକ ଡାୟୋସିସର ଅବସରପ୍ରାପ୍ତ ବିଶପ ତଥା ଜ୍ୟୋତି ହସପିଟାଲର ପ୍ରତିଷ୍ଠାତା ଥୋମାସ ଥିରୁଥାଲିଲ ଏଥିରେ ବିଶେଷ ଅତିଥି ଭାବେ ଯୋଗଦେଇ ଫାଦର ପଲଙ୍କ କାର୍ଯ୍ୟାବଳୀକୁ ଭୂୟସୀ ପ୍ରଶଂସା କରିଥିଲେ । ଫାଦର ପଲଙ୍କ ପ୍ରଚେଷ୍ଟାରୁ ମାତ୍ର ୪୦ ଶଯ୍ୟାକୁ ନେଇ ଆରମ୍ଭ ହୋଇଥିବା ହସପିଟାଲ ଏବେ ଡାୟୋଲିସିସ ଓ ଟ୍ରମା କେୟାର ସହିତ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶିଆଲିଟି ହସପିଟାଲରେ ପରିଣତ ହୋଇପାରିଛି ବୋଲି ସେ କହିଥିଲେ । ଡାୟୋସିସର ଭାରପ୍ରାପ୍ତ ବିଶପ ତଥା ପ୍ରଶାସନିକ ଅଧିକାରୀ ଫାଦର ଆଇଜାକ ଏଥିରେ ଯୋଗଦେଇ ଫାଦର ପଲଙ୍କ ସେବା ଓ ତ୍ୟାଗପୂର୍ଣ୍ଣ କାର୍ଯ୍ୟଧାରା ଅନ୍ୟାମନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ । ସେଂଟ ଥୋମାସ ନର୍ସିିଂ ସ୍କୁଲର ଉପାଧ୍ୟକ୍ଷା ସିଷ୍ଟର ଜିଷ୍ଣା, ଜ୍ୟୋତି ହସପିଟାଲର ଅଧୀକ୍ଷକ ସିଷ୍ଟର ସୁମାରାଣୀ ପ୍ରମୁଖ ଏଥିରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଜ୍ୟୋତି ହସପିଟାଲ ଡାକ୍ତର, ନର୍ସିଂ ଷ୍ଟାଫ, ନର୍ସିଂ ସ୍କୁଲର କର୍ମଚାରୀ, ଛାତ୍ରୀ ତଥା ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଫାଦର ପଲଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରାଯାଇ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସମ୍ବର୍ଦ୍ଧନାର ଉତରରେ ଫାଦର ପଲ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡ଼ିଥିଲେ । ମିତ୍ରପୁର ଚର୍ଚ୍ଚକୁ ବଦଳିକୁ ନେଇ ସନ୍ତୋଷ ପ୍ରକାଶ କରିବା ସହିତ ସେ ହୃଦୟ ସହକାରେ ଲୋକଙ୍କ ସେବା କରୁଥିବାରୁ ଯେଉଁଠାକୁ ଗଲେ ବି ଭଗବାନଙ୍କର ଆଶୀର୍ବାଦ ତାଙ୍କ ଉପରେ ରହିବ ବୋଲି କହିଥିଲେ । ଏଠାରେ ୨୦ ବର୍ଷ ଧରି ତାଙ୍କ କାର୍ଯ୍ୟକାରିତା ସମୟରେ ଜ୍ୟୋତି ହସପିଟାଲର ସମସ୍ତ ପରିଚାଳନା ସଦସ୍ୟ, ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ସହଯୋଗ ମିଳି ଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ନୂତନ ନିର୍ଦ୍ଦେଶକ ଫାଦର ପିଟରଙ୍କୁ ସେମାନେ ମଧ୍ୟ ଅନୁରୂପ ସହଯୋଗ କରିବେ ବୋଲି ସେ ଆଶାପ୍ରକାଶ କରିଥିଲେ । ନବନିଯୁକ୍ତ ନିର୍ଦ୍ଦେଶକ ଫାଦର ପିଟର ଆର୍କେଲ ପ୍ରାରମ୍ଭରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ଡାକ୍ତର କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଡକ୍ଟର ଅର୍ଚ୍ଚନା, ଜ୍ୟୋତି ହସପିଟାଲର କର୍ମଚାରୀ, ନର୍ସିଂ ସ୍କୁଲର ଛାତ୍ରୀ ପ୍ରମୁଖଙ୍କ ଦ୍ୱାରା ବିବିଧ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।