ଜ୍ୱାଇଁଙ୍କୁ ଛୁରା ମାରି ଶ୍ୱଶୁର ଫେରାର୍ , ଅଭିଯୁକ୍ତର ଟେର୍ ପାଉନି ପୋଲିସ
ଦିଗପହଣ୍ଡି ସହର ପୁଞ୍ଜିକୟାଁ ଛକରେ ଗତ ଜୁଲାଇ ୧୮ ସନ୍ଧ୍ୟାରେ ଜ୍ୱାଇଁଙ୍କୁ ଛୁରା ମାରି ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତ ଶ୍ୱଶୁର ଫେରାର୍ ରହିଥିବା ବେଳେ ରବିବାର ଘଟଣାକୁ ୩୮ ଦିନ ବିତିଥିବା ଜଣାପଡିଛି । ଦୀର୍ଘ ଏକ ମାସରୁ ଉଦ୍ଧ୍ୱର୍ ଦିନ ଅତିବାହିତ ହୋଇଯାଇଥିଲେ ହେଁ ଘଟଣାରେ ପୋଲିସକୁ କୌଣସି ପ୍ରକାର ସପଳତା ମିଳିନଥିବା ଜଣାପଡିଛି । ଅଭିଯୁକ୍ତଙ୍କୁ ଧରି ଜେରା କରିବାତ ଦୂରର କଥା ସେମାନଙ୍କ ସମ୍ପର୍କରେ କୌଣସି ଠୋସ୍ ସୁରାକ୍ ମଧ୍ୟ ଏଯାବତ୍ ପୋଲିସର ହସ୍ତଗତ ହୋଇନଥିବା ଜାଣିବାକୁ ମିଳିଛି । ଏନେଇ ଦିଗପହଣ୍ଡି ଥାନାରେ କେସ ନଂ ୧୨୯ା୧୯ରେ ଏକ ସୁପରିକଳ୍ପିତ ହତ୍ୟା ଉଦ୍ୟମ ମକଦ୍ଦମା ପୁଲିସ ରୁଜୁ କରି ଚୁପ୍ ବସିଥିବା ବେଳେ ଆକ୍ରମଣରେ ଗୁରୁତର ଆହତଙ୍କ ପରିବାର ଏବେ ଭୟାଶଙ୍କରେ ଦିନ ବିତାଉଥିବା ଜଣାଇଛନ୍ତି । ଅଭିଯୁକ୍ତ ଫେରାର୍ ରହିଥିବାରୁ ସେମାନଙ୍କ ଜୀବନକୁ ବିପଦ ରହିଛି ବୋଲି ଗୁରୁତର ଆହତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା ଜ୍ୱାଇଁ ସଞ୍ଜୟ ଗୌଡ ଏବଂ ତାଙ୍କ ପତ୍ନୀ ଜୟନ୍ତୀ ଗୌଡ ଗଣମାଧ୍ୟମଙ୍କୁ କହିଛନ୍ତି । ସେପଟେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ଅସଫଳତା ହୋଇଥିବା ବେଳେ ଅଭିଯୁକ୍ତ ଦ୍ୱାରା ଗୁରୁତର ଆହତ ପରିବାରଙ୍କୁ ମଧ୍ୟ ସୁରକ୍ଷା ଦେବା ନେଇ ସେତେଟା ଗୁରୂତ୍ୱାରୋପ ଦେଉନଥିବାରୁ ପୋଲିସ ଏବଂ ଦିଗପହଣ୍ଡି ଥାନା ଉପରୁ ନ୍ୟାୟ ଭିକ୍ଷା ନେଇ ଆସ୍ଥା ତୁଟାଇଦେଇଛନ୍ତି ବୋଲି କହିଛନ୍ତି ।ଦଦ୍ଭପ୍ରକାଶଯେ, ଦିଗପହଣ୍ଡି ଥାନା କଲ୍ୟାଣପୁର ଗ୍ରାମର ଉମାକାନ୍ତ ଗୌଡଙ୍କ ଝିଅ ଜୟନ୍ତୀ ଏବଂ ମହେଶୁ ଗୌଡଙ୍କ ପୁଅ ସଞ୍ଜୟ ପରସ୍ପରକୁ ଭଲ ପାଇ ଆସୁଥିଲେ । ଗତ ଜୁନ୍ ୩୦ରେ କୁଳ ରିତୀନିତୀରେ କାଶୀବିଶ୍ୱନାଥ ଶୈବ ପୀଠରେ ପରସ୍ପରକୁ ବିବାହ କରି ଦିଗପହଣ୍ଡି ସହର ଅଞ୍ଚଳ କଲୋନୀରେ ରହିଆସୁଥିଲେ । ଉକ୍ତ ବିବାହକୁ ଉମାକାନ୍ତ ସହମତି ପ୍ରକାଶ କରୁନଥିବା ବେଳେ ସର୍ବଦା ଆକ୍ରୋଷ ମନୋଭାବ ପୋଷଣ କରିଆସୁଥିଲେ ବୋଲି ସଞ୍ଜୟ କହିଛନ୍ତି । ସଞ୍ଜୟ ପୁଞ୍ଜିକୟାଁ ଛକର ଏକ ଗାର୍ମେଣ୍ଟ୍ ଷ୍ଟୋର୍ରେ କାର୍ୟ୍ୟ କରିଆସୁଥିବା ବେଳେ ଘଟଣା ଦିନ ଦୋକାନ କାମ ସାରି ଘରକୁ ଫେରିବା ପାଇଁ ବାହାରିଥିଲେ । ସେହି ସମୟରେ ସଞ୍ଜୟଙ୍କ ଶ୍ୱଶୁର ଉମାକାନ୍ତ ହାତରେ ଏକ ଛୁରା ଧରି ସଞ୍ଜୟଙ୍କ ଆକ୍ରମଣ କରିଥିଲେ । ଛୁରା ମାଡରେ ସଞ୍ଜୟଙ୍କ ଶରୀର ସାରା କ୍ଷତବିକ୍ଷତ ହୋଇଯାଇଥିବା ବେଳେ ପେଟରୁ ଅନ୍ତବୁଜୁଳା ବାହାରିଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସର୍ଜରୀ ବିଭାଗରେ ସେ ଭର୍ତ୍ତି ହୋଇ ସଙ୍କଟାପନ୍ନ ସ୍ଥିତିରେ ଚିକିତ୍ସିତ ହେଉଥିଲେ । ସମ୍ପ୍ରତ୍ତି କିଛି ଦିନ ହେଲା ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ହେଁ ରୋଜଗାର ଏବଂ ଅର୍ଥ ଉପାର୍ଜନ ନେଇ କୌଣସି ସ୍ଥାନକୁ ଯିବା ଆସିବା ନେଇ ସେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ବୋଲି କହିଛନ୍ତି ।ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି, ତଦନ୍ତରେ ବାଧା ସୃଷ୍ଟି ନେଇ କୌଣସି ତଥ୍ୟ ଦେବାକୁ ମନା କରିଦେଇଛନ୍ତି ଆଇଆଇସି ଗୌରାଙ୍ଗ ଚରଣ ସାହୁ ।