ଜୟପୁର ଏଫଓବି ପକ୍ଷରୁ “କୋଭିଡ-୧୯ ସମୟରେ ଶ୍ରେଷ୍ଠ ଅଭ୍ୟାସ” ଶୀର୍ଷକ ୱେବିନାର ଆୟୋଜିତ

କୋରାପୁଟ,(ୱାଇଏନ୍ଏସ୍): ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ(ଏଫଓବି), ଜୟପୁର, କୋରାପୁଟ ପକ୍ଷରୁ “କୋଭିଡ-୧୯ ସମୟରେ ଶ୍ରେଷ୍ଠ ଅଭ୍ୟାସ” ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ବକ୍ତା ଭାବେ କୋରାପୁଟ ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମକରନ୍ଦ ବେଉରା, ଡିପିଏଚଓ ଡ. ଅରୁଣ କୁମାର ପାଢ଼ୀ, କୋରାପୁଟ ଏଡିପିଏଚଓ(ଏଫଡବ୍ଲ୍ୟୁ) ଡା. ନୀଳମାଧବ ଶତପଥୀ ପ୍ରମୁଖ ଅଂଶଗ୍ରହଣ କରି କୋଭିଡରୁ ସୁରକ୍ଷିତ ରଖିବା ଲାଗି ସତର୍କତାମୂଳକ ପଦକ୍ଷେପ ଏବଂ ସୁରକ୍ଷିତ ଅଭ୍ୟାସ ସମ୍ପର୍କରେ ଉପାଦେୟ ମତ ରଖିଥିଲେ । ସେହିପରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟ, ଭୁବନେଶ୍ୱରସ୍ଥିତ ଆରଓବିର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ମହାମାରୀ ମୁକାବିଲା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମତ ଉପସ୍ଥାପନ କରିଥିଲେ । ୱେବିନାରରେ ଅଂଶଗ୍ରହଣ କରିଥିବା ଅତିଥି ବକ୍ତା ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କରୋନା ମହାମାରୀ ଠାରୁ ସୁରକ୍ଷିତ ରହିବା ଲାଗି ବିଭିନ୍ନ ଉପାଦେୟ ପରାମର୍ଶମାନ ଦେଇଥିଲେ । ବର୍ତମାନ ରାଜ୍ୟ ଓ ଦେଶରେ କୋଭିଡ-୧୯ର ପ୍ରକୋପ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଦୂରେଇ ନାହିଁ । ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ଆଶଙ୍କା ମଧ୍ୟ ରହୁଛି । ତେଣୁ କୋଭିଡର ସାମାନ୍ୟ ଲକ୍ଷ୍ୟ ଯେପରିକି ଥଣ୍ଡା, ଛିଙ୍କ, କାଶ, ଜ୍ୱର ଆଦି ଦେଖାଦେଲେ ତୁରନ୍ତ ପୃଥକବାସରେ ରହିବା ସହିତ ଡାକ୍ତରୀ ପରାମର୍ଶ ନେବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ । ସେହିପରି ପାର୍ବଣ ଋତୁରେ ଅତିରିକ୍ତ ସତର୍କତା ଅବଲମ୍ବନ କରିବା ନିମନ୍ତେ ମଧ୍ୟ ସେମାନେ ପରାମର୍ଶ ଦେଇଥିଲେ । ବ୍ୟକ୍ତିଗତ ସ୍ୱଚ୍ଛତା ଓ ସୁରକ୍ଷା ଉପାୟ ଅବଲମ୍ବନ କଲେ କରୋନାରୁ ସୁରକ୍ଷିତ ରହିବା ସମ୍ଭବପର ବୋଲି ମଧ୍ୟ ସେମାନେ କହିଥିଲେ । ଜୟପୁର ଏଫଓବି ପକ୍ଷରୁ ଜ୍ୟୋତିରଞ୍ଜନ ପଟ୍ଟନାୟକ ୱେବିନାର ପରିଚାଳନା କରିଥିବା ବେଳେ ସହାୟକ ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ପ୍ରଧାନ ଏଥିରେ ଅଂଶଗ୍ରହଣ କରିଥିଲେ । ୱେବିନାରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ଶାଖା କାର୍ଯ୍ୟାଳୟର କର୍ମଚାରୀ, ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ