ଜୟ ଯବାନ-ଜୟ କିସାନ ସମ୍ମିଳନୀରେ ଅଗ୍ନିପଥକୁ ଦୃଢ଼ ବିରୋଧ

ବାଲେଶ୍ୱର, (ସରୋଜ ପଣ୍ଡା):‘ଜୟ ଯବାନ୍‌-ଜୟକିଷାନ୍‌’ ସମ୍ମିଳନୀ ଅବସରରେ ସେନାବାହିନୀରେ ୪ବର୍ଷିଆ ‘ଅଗ୍ନିପଥ ଯୋଜନା’ ନିଯୁକ୍ତି ପ୍ରତିବାଦରେ ଏକ ଆଲୋଚନାଚକ୍ର ଶନିବାର ବାଲେଶ୍ୱର ଷ୍ଟେସନ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ‘ଅଗ୍ନିପଥ ଯୋଜନାରେ ସେନା ନିଯୁକ୍ତି ଦେଶକୁ ଦୁର୍ବଳ କରିବ’ ଶୀର୍ଷକ ଆଲୋଚନାଚକ୍ରରେ ପୂର୍ବତନ ବିଧାୟକ ତଥା ଟିୟୁଏସିସିର ଅଧ୍ୟକ୍ଷ ପ୍ରଦୀପ୍ତ ପଣ୍ଡା ସଭାପତିତ୍ୱ କରିଥିଲେ । କେନ୍ଦ୍ର ସରକାର ତଥା ପ୍ରତିରକ୍ଷା ବିଭାଗର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଦେଶ ପାଇଁ ଆଗାମୀ ଦିନରେ ମହା ବିପଦ ଭାବେ ଉଭାହେବ ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ । ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ ରାଜ୍ୟ ନେତା ମହେଶ୍ୱର ବେହେରା, ସୁବେଦାର ମେଜର ଗିରୀଶ ଚନ୍ଦ୍ର ଷଡ଼ଙ୍ଗୀ, କ୍ୟାପଟେନ୍ ପ୍ରଶାନ୍ତ ପଣ୍ଡା, ହାବିଲଦାର ପ୍ରଭାତ ପଣ୍ଡା, ପ୍ରତିରକ୍ଷା ବିଭାଗ କର୍ମଚାରୀ ନେତା ରବିନାରାୟଣ ମିଶ୍ରଙ୍କ ସମେତ ବିଭିନ୍ନ କୃଷକ ଓ ଗଣସଂଗଠନ ପକ୍ଷରୁ ରବୀନ୍ଦ୍ର ବେହେରା, ସୀତାଂଶୁ ସେନାପତି, ଜୟନ୍ତ ଦାସ, ଆଇନଜୀବୀ ସେକ୍ ଅବଦୁଲ ରଫିକ୍‌, ରତନ ରାଜ, ଇଂ. ହୃଷିକେଶ ସାହୁ, ବିକାଶ ଦାସ, ଶାନ୍ତନୁ ଦାସ, ସୁରେଶ ଚନ୍ଦ୍ର ବେହେରା, ବନ୍ଦନା ବିଶ୍ୱାସ ଓ ବାସନ୍ତୀ ସାମଲ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କର ଅଦୂରଦର୍ଶୀ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ନିର୍ମଳ ନାୟକ ଆଲୋଚନାର ଭିତ୍ତିପତ୍ର ଆଗତ କରିଥିବାବେଳେ ଟିୟୁଏସିସି ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଆସନ୍ତା ସେପ୍ଟେମ୍ବର ମାସ ୩ୟ ସପ୍ତାହରେ ବାଲେଶ୍ୱର ଜିଲାପାଳଙ୍କ ଦପ୍ତର ସମ୍ମୁଖରେ ପ୍ରତିବାଦ ସମାବେଶ ଓ ଯୋଜନା ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ନେଇ ଏହି ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିଲା । ବିଜୟ ପାତ୍ର, ନିରାକାର ପାଣ୍ଡବ, ରାଜକିଶୋର ଲେଙ୍କା, ଶରତ ଚନ୍ଦ୍ର ଦଳାଇ ପ୍ରମୁଖ ବିଭିନ୍‌ନ ପ୍ରସ୍ତାବ ଆଗତ କରି ସମସ୍ତ ବ୍ଲକ୍ ଓ ପଞ୍ଚାୟତସ୍ତରରେ ଏହିପରି ଆଲୋଚନାଚକ୍ର ଓ ଜନସଚେତନତା ପାଇଁ ମତ ଦେଇଥିଲେ । ଭରତ ଚନ୍ଦ୍ର ସେଠୀ, ଶ୍ୟାମସୁନ୍ଦର ଜେନା, ସର୍ବେଶ୍ୱର ମିଶ୍ର, ବିଷ୍ଣୁପ୍ରସାଦ ମହାନ୍ତି, ଶଶିକାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଜୀବନବୀମା କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ