ଜୱାଦ ପ୍ରଭାବରେ ଡେରାବିଶ ବ୍ଲକର ଚାଷୀକୂଳ ହତାସ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଓ ମନୋବଳକୁ ବାତ୍ୟା ଜୱାଦ ଭାଙ୍ଗି ଚୁରମାର କରିଦେଇଛି । ବିଗତ ଦୁଇଦିନ ଧରି ଲାଗି ରହିଥିବା ବାତ୍ୟା ଜନିତ ଲଗାଣ ବର୍ଷାରେ ପାଚିଲା ଧାନ ଫସଲ କିଆରିରେ ଆଣ୍ଠୁଏ ପାଣି ଛିଡା ହୋଇଛି । ଧାନକେଣ୍ଡା ଗୁଡିକ ବର୍ଷା ପାଣିରେ ବୁଡି ଯାଇ ଥିବାରୁ ଧାନ ଗଜା ହେବାକୁ ବସିଲାଣି । ଗତ ବର୍ଷ ରବି ଋତୁରେ ପ୍ରତିକୂଳ ପାଗ ଯୋଗୁଁ ମୁଗ ଓ ବିରି ଫସଲରେ ହୋଇଥିବା ଆର୍ଥିକ କ୍ଷତିକୁ ଭରଣା କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଚାଷୀ ଭାଇମାନେ ଧାନ କଟାର ଅବ୍ୟବହତି ପୂର୍ବରୁ ସଙ୍ଘନ ଚାଷ ପ୍ରଣାଳୀ ପ୍ରତି ପ୍ରଭାବିତ ହୋଇ ନଭେମ୍ବରମାସ ଶେଷ ସପ୍ତାହରେ ଶହ ଶହ ଏକର ପାଚିଲା ଧାନ କିଆରିରେ ଛଟା ବୁଣା କରିଥିବା ସୋରିଷ ଓ ବିରି ବିହନ ଗଜା ହେବା ଅବସ୍ଥାରେ ଏବେ ସଂପୂର୍ଣ୍ଣ ଗଜାଧୋଇ ହୋଇଯାଇଛି । ଚାଷୀଭାଇଙ୍କର ଏଭଳି ଦୁର୍ଦ୍ଦିନରେ ଡେରାବିଶ ବ୍ଲକ ଆତ୍ମା ଅଧ୍ୟକ୍ଷ ଗଣେଶ୍ୱର ବେହେରା ଗଭୀର ଦୁଃଖ ପ୍ରକାଶ କରିବା ସହ ସରକାରଙ୍କ ରିହାତି ବ୍ୟବସ୍ଥାରେ ଚାଷୀମାନଙ୍କୁ ରବି ଜାତୀୟ ବିହନ ସଠିକ ସମୟରେ ପର୍ଯ୍ୟାପ୍ତ ପରିମାଣର ଯୋଗାଇ ଦେବାକୁ ଜିଲ୍ଲା କୃଷି ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।