ଝଣ୍ଡା ଉଚ୍ଚାଁ ରହେ ହାମାରା…

ଭାରତରେ ଇଂରେଜ ଶାସନ ପ୍ରଚଳନ ଥିବା ବେଳେ, ଆମେ ତାଙ୍କ ଦେଶର ଜାତୀୟ ପତାକା “ୟୁନିଅନ୍ ଜ୍ୟାକ୍‌” ଓ “ତାଙ୍କ ଜାତୀୟ ସଂଗୀତ ଭଗବାନ ରାଜା/ରାଣୀଙ୍କୁ ରକ୍ଷା କରନ୍ତୁ(ଗଡ୍ ସେଭ୍ ଦି କିଙ୍ଗ/କୁଇନ୍‌)”ଙ୍କୁ ରକ୍ଷା କରନ୍ତୁ ଗାନ କରିଥିଲୁ । ଆମ ଭାରତୀୟମାନଙ୍କ ଉପରେ ଏକଥା କହିବାକୁ ସେମାନେ ଆମ ଉପରେ ବାଧ୍ୟକରି ଲଦି ଦେଇଥିଲେ । ତେଣୁ ଆମେ କଂଗ୍ରେସର ବାର୍ଷିକ ଅଧିବେଶନମାନଙ୍କରେ ‘ୟୁନିଅନ୍ ଜ୍ୟାକ୍‌’ ପତାକା ଉତ୍ତୋଳନ ଉତ୍ତୋଳିତ କଲା ପରେ ସଭାକାର୍ଯ୍ୟ ଆରମ୍ଭ କରୁଥିଲୁ । ଏକଥା ଅନେକ ବିପ୍ଲବୀ ଭାରତୀୟମାନଙ୍କୁ ଆଦୌ ସୁଖ ଲାଗିଲା ନାହିଁ ବା ପସନ୍ଦକୁ ଆସିଲା ନାହିଁ । ତେଣୁ ସେମାନେ ଇଂରେଜ ସରକାରଙ୍କୁ ନିଜର ଶକ୍ତି ଦେଖାଇବାକୁ ପ୍ରସ୍ତୁତ ହେଲେ । ୧୯୦୬ରେ ସେମାନେ ଏକ ପତାକା ପ୍ରସ୍ତୁତ କରି ସେହିବର୍ଷ କଲିକତା କଂଗ୍ରେସ ଅଧିବେଶନରେ ଅଗଷ୍ଟ ୭ରେ ସେ ପତାକାଟି ଉତ୍ତୋଳନ କଲେ । ଏ ପତାକାଟି ଏକ ତିନିରଙ୍ଗିଆ ପତାକା ଥିଲା । ଏହାର ଉପର ଭାଗଟି ନାଲିରଙ୍ଗ ଓ ତା’ ମଧ୍ୟରେ ଥିଲା ୮ଟି ପ୍ରସ୍ଫୁଟିତ ପଦ୍ମଫୁଲ; ମଝିଟି ହଳଦିଆ ରଙ୍ଗ ଏବଂ ତା’ ଭିତରେ ଦେବନାଗରୀ ଅକ୍ଷରରେ ଲେଖାଥିଲା “ବନ୍ଦେ ମାତରମ୍‌” ଏବଂ ନିମ୍ନ ଭାଗରେ ଥିଲା ସବୁଜ ରଙ୍ଗ ଓ ତାହାର ଭିତରେ ବାମପଟେ ସୂର୍ଯ୍ୟଙ୍କ ଛବି ଓ ଡାହାଣ ପଟେ ବାଙ୍କୁଲି ଜହ୍ନ ଉପରେ ତାରା ଥିବା ଗୋଟିଏ ଛବି । ପତାକାଟି ଭାରତୀୟ କପଡ଼ାରେ ନିର୍ମିତ ହୋଇଥିଲା । ‘ଉଭୟ ସୂର୍ଯ୍ୟ ଓ ତାରା ଚିହ୍ନିତ ବାଙ୍କୁଲି ଜହ୍ନ’ ହିନ୍ଦୁ ଓ ମୁସ୍‌ଲମାନ୍ ଧର୍ମର ସଙ୍କେତ ବହନ କରନ୍ତି ।
ଏହା ପରେ ଦ୍ୱିତୀୟବାର ପାଇଁ ସେହି ୧୯୦୭ ମସିହାରେ ମାଡାମ୍ ଭିକାଜୀ କାମା ସେ ପତାକାଟି ଜର୍ମାନୀର ଇଷ୍ଟିଟଗାର୍ଟ ନଗରରେ ଏକ ସମ୍ମିଳନୀରେ ଏହାକୁ ଉଡ଼ାଇଥିଲେ । ୧୯୧୭ ମସିହାରେ ଡକ୍ଟର ଆନିବେସାନ୍ତ ଓ ଲୋକମାନ୍ୟ ତିଳକଙ୍କ ଦ୍ୱାରା ଏକ ଦୁଇ ରଙ୍ଗ ବିଶିଷ୍ଟ ପତାକା ପ୍ରସ୍ତୁତ ଓ ଉତ୍ତୋଳନ କରାଯାଇଥିଲା । ପୁଣି ୧୯୨୧ରେ ଏହାର ତିନିରଙ୍ଗ ବିଶିଷ୍ଟ ପତାକା ହୋଇଗଲା । ଏହା ଥିଲା କମଳା, ଧଳା ଓ ସବୁଜ । ମଝି ଧଳାରଙ୍ଗରେ ଚରଖା ଥିଲା । ୧୯୩୦ ମସିହା ଜାନୁଆରୀ ୨୬ ତାରିଖ ଦିନ ପରାଧୀନ ଭାରତରେ ପ୍ରଥମ କରି ପ୍ରଥମ ସ୍ୱାଧୀନତା ଦିବସ ପାଳନ କରାଗଲା । ସେଦିନ ‘ଚରଖା-ତ୍ରିରଙ୍ଗ-ପତାକା’ ଉତ୍ତୋଳନ କରାଯାଇଥିଲା । ତ୍ରିରଙ୍ଗା ଆମ ଜାତୀୟ ପତାକାର ଶୁଭ ନାମ ଭାବେ ରଖାଯାଇଥିଲା । କାରଣ ଏହାର ତିନୋଟି ରଙ୍ଗ ଥିଲା ।
ଏକ ନୂଆ ତ୍ରିରଙ୍ଗା ପତାକା ଜାତୀୟ ପତାକା ଉପରେ ଗ୍ରହଣ କରାଗଲା । ସେହି ନୂଆ ତ୍ରିରଙ୍ଗାଟି ୧୯୪୭ ଜୁଲାଇ ୨୨ ତାରିଖରେ ଶାସନ ବିଧାୟକ ସଭାରେ ଗୃହୀତ ହୋଇଥିଲା । ତାହା ହେଲା ସ୍ୱାଧୀନ ଭାରତର ଜାତୀୟ ପତାକା । ଏହି ପତାକାଟି ୧୯୩୧ ମସିହାର ତ୍ରିରଙ୍ଗା ପତାକା ପରି; ମାତ୍ର ଏହାର ମଧ୍ୟ ଭାଗରେ ଚରଖା ପରିବର୍ତ୍ତେ ଅଶୋକଚକ୍ର ଚିହ୍ନ ଥିଲା । ଏହି ତ୍ରିରଙ୍ଗ ପତାକାର ଦୈର୍ଘ୍ୟ ୩:୨ । ପତାକାଟିର ଉପର ଭାଗର ରଙ୍ଗ କେଶରୀ ଅଟେ । ମଝିରେ ଧଳାରଙ୍ଗ ଓ ନିମ୍ନ ଭାଗରେ ଗାଢ଼ ସବୁଜ ରଙ୍ଗ ଅଛି । ମଝି ଧଳାରଙ୍ଗରେ ଅଶୋକଚକ୍ର ସ୍ଥାନୀତ ହୋଇଛି । ଏହାର ରଙ୍ଗ ଗାଢ଼ନୀଳ ଏବଂ ଚକଟିର ଅର ସଂଖ୍ୟା ୨୪ ଅଟେ । ପତାକାର ଉପର ଅଂଶ କେଶରୀ ରଙ୍ଗ : ତ୍ୟାଗ ଓ ସାହାସର ପ୍ରତୀକ; ମଝି ଅଂଶଟି ଧଳାରଙ୍ଗ : ସ୍ୱଚ୍ଛ, ସତ୍ୟ, ଶାନ୍ତି ଓ ବିଶ୍ୱାସର ପ୍ରତୀକ; ନିମ୍ନ ଗାଢ଼ ସବୁଜ ରଙ୍ଗ : ପ୍ରଗତି, ବିଶ୍ୱାସ, ବୀରତ୍ୱ ଓ ସବୁଜ ବିପ୍ଲବର ପ୍ରତୀକ । ଅଶୋକ ଚକ୍ରଟି ସୃଷ୍ଟି ଓ ଧର୍ମ ଚକ୍ରର ପ୍ରତୀକ । ଏ ଚକ୍ରଟି ସାରନାଥରେ ଥିବା ଅଶୋକସ୍ତମ୍ଭରୁ ଅଣାଯାଇଅଛି । ଏହା ସତ୍ୟ, ନ୍ୟାୟ, ଧର୍ମ ଓ ପରମ ବିଜୟ ସଂପର୍କରେ ସୂଚନା ଦିଏ ।
ଏହି ତ୍ରିରଙ୍ଗା ପତାକାକୁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସର ପ୍ରଥମ ଅବସରରେ ଆମ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁରୁ ଦିଲ୍ଲୀରୁ ଲାଲକିଲ୍ଲା ଦୁର୍ଗ ଉପରେ ପ୍ରଥମେ ଉତ୍ତୋଳନ କରିଥିଲେ । ଏହା ପ୍ରତିବର୍ଷ ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଏବଂ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ସର୍ବ ସାଧାରଣରେ ଉତ୍ତୋଳିତ ହୋଇଥାଏ । ଏହା ବ୍ୟତୀତ ଅନ୍ୟ ସମୟରେ ଅଥବା ସଦାକାଳେ କେତେକ ସ୍ୱୀକୃତିପ୍ରାପ୍ତ ସରକାରୀ ଭବନ ଏମିତିରେ ପାର୍ଲାମେଣ୍ଟ ସଦନ, ରାଷ୍ଟ୍ରପତି ଭବନ ଏବଂ ରାଜଭବନ ଇତ୍ୟାଦି କେତେକ ସ୍ଥାନରେ ଉତ୍ତୋଳିତ ଥାଏ । ଏ ପତାକା ଉତ୍ତୋଳନ ଏବଂ ଅବତରଣର କିଛି ବିଧିବିଧାନ ଅଛି । ତାହା ନ କଲେ ଜାତୀୟ ପତାକାର ମର୍ଯ୍ୟାଦା ଓ ସମ୍ମାନ ଉଲ୍ଲଂଘନ ହେବ । ଜାତୀୟ ପତାକା ଓ ଜାତୀୟ ସଂଗୀତ ଆମ ଜାତିର ଟେକ ।
ଆମ ଜାତୀୟ ସଂଗୀତ:
ଜାତୀୟ ପତାକା ଉତ୍ତୋଳନ ସହିତ ଆମ ଜାତୀୟ ସଂଗୀତ ବୋଲାଯାଏ । ଏହି ସଂଗୀତର ରଚୟିତା ହେଉଛନ୍ତି ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର । ଆମ ଜାତୀୟ ସଂଗୀତଟି ଏହିପରି :-
ଜନ-ଗଣ-ମନ ଅଧିନାୟକ ! ଜୟ ହେ
ଭାରତ ଭାଗ୍ୟ ବିଧାତା
ପଞ୍ଜାବ- ସିନ୍ଧୁ ଗୁଜୁରାଟ ମରାଠା-
ଦ୍ରାବିଡ଼ ଉତ୍କଳ ବଙ୍ଗ ।
ବିନ୍ଧ୍ୟ, ହିମାଚଳ, ଯମୁନା ଗଙ୍ଗା
ଉଚ୍ଛଳ ଜଳଧିତରଙ୍ଗ,
ତବ ଶୁଭ ନାମେ ଜାଗେ
ତବ ଶୁଭ ଆଶିଷ ମାଗେ,
ଗାଏ ତବ ଜୟ ଗାଥା ।
ଜନଗଣ ମଙ୍ଗଳ ଦାୟକ ! ଜୟ ହେ,
ଭାରତ ଭାଗ୍ୟ ବିଧାତା ।
ଜୟ ହେ, ଜୟ ହେ, ଜୟ ହେ
ଜୟ ଜୟ ଜୟ ହେ !
ଏହି କବିତାଟି କବି ରବୀନ୍ଦ୍ରନାଥ ଠାକୁରଙ୍କର ବ୍ରାହ୍ମ୍ୟ ସ୍ତୁତି ଭାବେ ରଚିତ କାବ୍ୟର ପ୍ରଥମ ପାଞ୍ଚଟି ପଦ । ଏହାର ମୂଳ ଭାଷା ବଙ୍ଗଳା । ୧୯୧୧ ଡିସେମ୍ବର ୨୭ ତାରିଖରେ କଲିକତାରେ ଅନୁଷ୍ଠିତ ଭାରତୀୟ କଂଗ୍ରେସ ସମ୍ମିଳନୀରେ ଏହି ସଂଗୀତଗୁଡ଼ିକୁ ସର୍ବପ୍ରଥମେ ଗାନ କରାଯାଇଥିଲା । ଭାରତ ସ୍ୱାଧୀନ ହେବାବେଳେ ଏହା ଆମର ଜାତୀୟ ସଙ୍ଗୀତ ନଥିଲା । ୧୯୫୦ ଜାନୁୟାରୀ ୨୪ ତାରିଖରେ ‘ଜନ-ଗଣ-ମନ’କୁ ଜାତୀୟ ସଙ୍ଗୀତ ରୂପେ ସାମ୍ବିଧାନିକ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଥିଲା । ସମ୍ପୂର୍ଣ୍ଣ ଜାତୀୟ ସଂଗୀତଟି ଗାଇବାକୁ ୫୨ ସେକେଣ୍ଡ ଲାଗେ । ଏବେର ଜାତୀୟ ସଂଗୀତ ସ୍ୱର ସଂଯୋଜନା ଇଂଲିଶ ସଙ୍ଗୀତକାର ହରବର୍ଟ ମୁରଲୀ କହିଛନ୍ତି । ଏହା ପଣ୍ଡିତ ନେହୁରୁଙ୍କ ଅନୁରୋଧକ୍ରମେ ସେ କରିଥିଲେ ।
ଏଥିସହିତ ଆଉ ଏକ ମାତୃବନ୍ଦନା ଜାତୀୟ ସଂଗୀତ ସହିତ ସାମିଲ କରାଯାଇଛି । ଏହା “ବନ୍ଦେ ମାତରମ୍‌” ଭାବେ ଅଭିହିତ । ଏହାର ଦୁଇଟି ପଦ ଏବଂ ଏହାର ରଚୟିତା ହେଉଛନ୍ତି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ । ସେ ଏହାକୁ ତାଙ୍କ ଉପନ୍ୟାସ ଆନନ୍ଦମଠରେ ରଚନା କରିଥିଲେ । ଏଥିରେ ଜାତୀୟତାବୋଧ ଥିବାରୁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଏହାର ସ୍ୱର ସଂଯୋଜନା କରିଥିଲେ ଏବଂ ଏହା ୧୮୯୬ ମସିହା ବମ୍ବେ କଂଗ୍ରେସ ଅଧିବେଶନରେ ଗାନ କରାଯାଇଥିଲା । ୧୯୦୫ ନଭେମ୍ବର ୧ ତାରିଖରେ କଂଗ୍ରେସର ଜାତୀୟ କାର୍ଯ୍ୟକାରିଣୀ କାଶୀ ଅଧିବେଶନ ଓ ୧୯୦୬ ମସିହା କଲିକତା ଅଧିବେଶନରେ କଂଗ୍ରେସ ବଙ୍ଗଭଙ୍ଗ ଆନ୍ଦୋଳନକୁ ସମର୍ଥନ କଲା । ବ୍ରିଟିଶ ବିରୁଦ୍ଧରେ ସେତେବେଳେ ଯେଉଁ ସ୍ୱର ଉତ୍ତୋଳନ ହେଲା, ତାର ସ୍ଲୋଗାନ ଥିଲା “ବନ୍ଦେ ମାତରମ୍‌” । ପରେ ଏ ସ୍ଲୋଗାନ ଏତେ ଲୋକପ୍ରିୟ ହୋଇଗଲା ଯେ, ତାହା ତ୍ରିରଙ୍ଗା ପତାକା ସହିତ ସାମିଲ ହୋଇଗଲା ।
ବନ୍ଦେ ମାତରମ୍‌
ବନ୍ଦେ ମାତରମ୍
ସୁଜାଲାମ୍ ସୁଫଲାମ୍ ମଲୟଜ ଶୀତଲାମ୍‌
ଶସ୍ୟ ଶ୍ୟାମଲାମ୍ ମାତରମ୍‌
ବନ୍ଦେ ମାତରମ୍ ।
ଶୁଭ୍ର ଜ୍ୟୋତ୍ସ୍ନା ପୁଲକିତ ୟାମିନିମ୍‌
ପୁଲକୁସୁମିତ ଦ୍ରୁମଦଳ ଶୋଭିନିମ୍‌
ସୁହାସିନିମ୍ ସୁମଧୁର ଭାଷିଣିମ୍‌
ସୁଖଦାମ୍ ବରଦାମ୍‌, ମାତରମ୍‌
ବନ୍ଦେ ମାତରମ୍ ।ା
ଶେଷରେ ଅନ୍ୟ ଏକ ଲୋକପ୍ରିୟ ଦେଶାତ୍ମବୋଧ ସଂଗୀତ ସମୟାନୁକ୍ରମେ ଏହା ସହିତ ଯୋଡ଼ି ହୋଇଯାଇଛି ଏବଂ ପତାକା ଉତ୍ତୋଳନ ସମୟରେ ଯାହାକି ବୋଲା ଯାଉଛି । ସେଇଟି ହେଲା :-
ଝଣ୍ଡା ଉଁଚା ରହେ ହମାରା
ବିଜୟୀ ବିଶ୍ୱ ତିରଙ୍ଗା ପ୍ୟାରା ।
ଝଣ୍ଡା ଉଁଚା ରହେ ହାମାରା ।ା
ସଦା ଶକ୍ତି ବରସାନେବାଲା
ପ୍ରେମ ସୁଧା ସରସାନେବାଲା
ବୀରୋଂ କୋ ହର୍ଷାନେବାଲା
ମାତୃଭୂମି କା ତନ ମନ ସାରା
ଝଣ୍ଡା ଉଁଚା….
ସ୍ୱତନ୍ତ୍ରତା କେ ଭୀଷଣ ରଣ ମେଂ
ରଖ (ଲଖ) କର ଜୋଶ ବଢ଼େ କ୍ଷଣ କ୍ଷଣ ମେଂ
କାଁପେ ଶତ୍ରୁ ଦେଶ କର ମନ ମେଂ
ମିଟ ଜାବେ ଭୟ ସଂକଟ ସାରା ।
ଝଣ୍ଡା ଉଁଚା…
ଇସ ଝଣ୍ଡେ କେ ନୀଚେ ନିର୍ଭୟ
ହୋ ସ୍ୱରାଜ ଜନତା କା ନିଶ୍ଚୟ
ବୋଲୋ ଭାରତ ମାତା କୀ ଜୟ
ସ୍ୱତନ୍ତ୍ରତା ହୀ ଧ୍ୟେୟ ହମାରା ।
ଝଣ୍ଡା ଉଁଚା…
ଏହା କାନ୍‌ପୁରର ଶ୍ରୀ ଶ୍ୟାମଲାଲ ଗୁପ୍ତା (ପରସାଦ)(୧୮୯୬-୧୯୭୭)ଙ୍କ ଦ୍ୱାରା ୧୯୨୪ ମସିହାରେ ରଚିତ ହୋଇଥିଲା । ସେ ଜଣେ ଭାରତୀୟ କବି ଏବଂ ଗୀତିକାର । ଏହି ସଂଗୀତଟି ୧୯୪୮ ମସିହାରେ ‘ଆଜାଦି କି ରାହ ପର’ ଚଳଚ୍ଚିତ୍ରରେ ସରୋଜିନୀ ନାଇଡୁଙ୍କ ଦ୍ୱାରା ଗାନ କରାଯାଇଥିଲା । ଏହା ପ୍ରତିବର୍ଷ ସାଧାରଣତନ୍ତ୍ର ଓ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ବେଳେ ଗାନ କରାଯାଇଥାଏ । ଏହି ଝଣ୍ଡା ଗୀତ ପାଇଁ ଶ୍ରୀ ଗୁପ୍ତାଙ୍କୁ ୧୯୬୯ ମସିହାରେ ଭାରତର ବେସାମରିକ ଆୱାର୍ଡ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା ଏବଂ ତା’ ସହିତ ୧୯୯୭ରେ ଭାରତ ସରକାରଙ୍କ ଦ୍ୱାରା ପୋଷ୍ଟାଲ ଷ୍ଟାମ୍ପ ଉପରେ ତାଙ୍କର ମୋହର ଥାଇ ଡାକଟିକଟ ପ୍ରଚଳନ ହୋଇଥିଲା ।
ଏମିତି ଆହୁରି କେତୋଟି ଦେଶାତ୍ମବୋଧ କବିତା ବିଭିନ୍ନ ଉତ୍ସରୁ ଆମର ଜାତୀୟ ପତାକା ସହ ସାମିଲ ହୋଇପାରିଛନ୍ତି । ତେବେ ୧୯୦୬ ମସିହା ଅଗଷ୍ଟ ୭ ତାରିଖରେ ଆମ ଜାତୀୟ ପତାକା ପରାଧୀନ ଭାରତରେ ଉତ୍ତୋଳନ କରିଥିଲୁ ବୋଲି ଏହା ଥିଲା ଆମର ପ୍ରଥମ ପତାକା ଦିବସ । ସେହି ମୂଳ ପତାକାର କ୍ରମ ପରିବର୍ତ୍ତନ ଏବଂ ପରିବର୍ଦ୍ଧନ ଘଟି ଆମେ ତାକୁ ଚୂଡ଼ାନ୍ତ ରୂପ ଦେଇଛୁ ୨୨ ଜୁଲାଇ ୧୯୪୭ରେ । ଏହି ଦିନ ଆମେ ଏହାକୁ ଶାସନ ବିଧାୟକଙ୍କ ସଭା ଦ୍ୱାରା ଗୃହୀତ କରାଇଛୁ । ପ୍ରଥମ କରି ଆମେ ପ୍ରଥମ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ରେ ଏହାକୁ ଲାଲକିଲ୍ଲା ଦୁର୍ଗ ଉପରେ ଫରଫର ଉଡ଼ାଇଛୁ । ହେଲେ ୧୯୦୬ର ଏ ଅଗଷ୍ଟ ୭ ତାରିଖର ସ୍ମୃତି କେବେ ଭୁଲିବାର ନୁହେଁ । ଏହାକୁ ଏବେ ଆମେ ସେହି ଅଗଷ୍ଟ ୭ରେ ଏକ ସ୍ମୃତି ଦିବସ ବା ପତାକା ଦିବସ ରୂପେ ପାଳନ କରୁଛୁ । ବନ୍ଦେ ମାରତମ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ