ଝାଡ଼ଖଣ୍ଡରେ ଶାହାଙ୍କ ନିର୍ବାଚନୀ ସଭା

ପାଲାମୁ/ ଝାଡଖଣ୍ଡ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବିରୋଧୀ କଂଗ୍ରେସ ଅନେକ ସମାଲୋଚନା କରୁଛି, ପ୍ରଶ୍ନ କରୁଛି । କିନ୍ତୁ ମୋଦିଙ୍କ ଶାସନ କାଳରେ ପାକିସ୍ତାନକୁ ଯେପରି କଡା ଜବାବ ଦିଆଯାଇଛି, ସେହିପରି କଂଗ୍ରେସ ସରକାର ସମୟରେ କାହିଁକି ଦିଆଯାଇନଥିଲା? ଦେଶବାସୀଙ୍କୁ ଏପ୍ରଶ୍ନର ଉତ୍ତର କଂଗ୍ରେସ କେବେବି ଦବାକୁ ସତ୍ସାହସ କରିପାରିବ ନାହିଁ । ସତ କଥା ହେଲା ପ୍ରଧାନମନ୍ତ୍ରୀ ଭାବେ ମୋଦି ଦୈନିକ ୧୮ଘଣ୍ଟା ପରିଶ୍ରମ କରୁଥିବା ବେଳେ ରାହୁଲ ଏହାର ଏକ ଚତୁର୍ଥାଂଶ ମଧ୍ୟ ସମୟ ଦେଶପାଇଁ ଦେଶବାସୀଙ୍କ ପାଇଁ ଦେବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ରାହୁଲ ପ୍ରତି ୨/୩ ମାସରେ ଥରେ ବିଦେଶ ଗସ୍ତରେ ଯାଇ ଛୁଟି କାଟିବା ଜାଣନ୍ତି । ଏପରିକି ସେ ସଂସଦ ଭବନରେ ମଧ୍ୟ ଉପସ୍ଥିତ ରହିନଥାନ୍ତି । ଏବେ କେବଳ ନିର୍ବାଚନ ସମୟ ଥିବାରୁ ରାହୁଲ ଚାରିଆଡକୁ ଯାଇ ପ୍ରତିଶ୍ରୁତି ବର୍ଷା କରୁଛନ୍ତି । କିନ୍ତୁ କଂଗ୍ରେସ କେବେ ବି ନିଜ ପ୍ରତିଶ୍ରୁତି ରଖି ନାହିଁ ଏହା ଦେଶବାସୀ ବେଶ୍ ଭଲଭାବେ ଅବଗତ ହୋଇସାରିଛନ୍ତି । ଶନିବାର ଝାଡଖଣ୍ଡର ପାଲାମୁ ଠାରେ ପ୍ରଚାର କରିବା ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ବିରୋଧୀ କଂଗ୍ରେସ ଉପରେ ଏପ୍ରକାର ବର୍ଷିଛନ୍ତି ।
ଶାହା କହିଛନ୍ତି, କଂଗ୍ରେସ ଏବେ ଯୁବଗୋଷ୍ଠୀଙ୍କୁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ଦେବ ବୋଲି ଦାବି କରୁଛି । କିନ୍ତୁ ୨ଠଠ୪ରୁ ୨ଠ୧୪ ମଧ୍ୟରେ ଯେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା, ସେତେବେଳେ ଏଦିଗରେ କ’ଣ କରିଛି, ତା’ର ପ୍ରଥମେ ହିସାବ ଦେବା ଉଚିତ୍ । ଶାହାଙ୍କ କହିବାନୁସାରେ ସେ, ମୋଦିଙ୍କ ସହ ଗୁଜରାଟରୁ ରହିଆସିଛନ୍ତି । ଇତି ମଧ୍ୟରେ ୨ଠବର୍ଷ ବିତିଗଲାଣି, କିନ୍ତୁ ମୋଦି କଦାପି ଦିନକ ପାଇଁ ଛୁଟିରେ ରହିଥିବା ସେ ଜାଣିନାହାନ୍ତି । କିନ୍ତୁ ରାହୁଲ ପ୍ରତି ୨/୩ ମାସରେ ଥରେ ବିଦେଶ ଗସ୍ତରେ ଯାଉଥିବା ସମସ୍ତେ ଜାଣିଛନ୍ତି । ଏପ୍ରକାର ନେତା ଦେଶକୁ କ’ଣ ଦୃଢ଼ ନେତୃତ୍ୱ ଦେଇପାରିବେ ବୋଲି ଶାହା ପ୍ରଶ୍ନ କରିଛନ୍ତି । ଏହି ଅବସରରେ ଶାହା ପୁଲୱାମା ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ ଏବଂ ପରେ ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟ୍ ଅଞ୍ଚଳରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ ସମ୍ପର୍କରେ ବଖାଣିଥିଲେ । ବିଜେପି ସରକାର ପାକିସ୍ତାନ ଓ ଆତଙ୍କବାଦ ବିରୋଧରେ କରୁଥିବା କାର୍ଯ୍ୟକ୍ରମ ଏବଂ କଂଗ୍ରେସ ପକ୍ଷରୁ ଆତଙ୍କବାଦୀଙ୍କୁ ସମର୍ଥନ ଓ ସହଯୋଗ କରୁଥିବା ଜାମ୍ମୁକାଶ୍ମୀରର ବିଚ୍ଛିନ୍ନତାବାଦୀଙ୍କ ପ୍ରତି ଦେଖାଯାଉଥିବା ଦରଦ ସମ୍ପର୍କରେ ଏକ ତୁଳନାତ୍ମକ ବିଶ୍ଳେଷଣ ଶାହା ଉପସ୍ଥିତ ଜନତାଙ୍କ ସମ୍ମୁଖରେ ରଖିଥିଲେ । ଏହି ଅବସରରେ ଶାହା କହିଥିଲେ ଯେ, ବିଜେପି ଯଦି ଦ୍ୱିତୀୟ ଥର କ୍ଷମତାକୁ ଆସେ ତାହେଲେ ଜାମ୍ମୁ କାଶ୍ମୀରରେ ପ୍ରଚିଳତ ସମ୍ବିଧାନ ଧାରା ୩୭ଠକୁ ହଟାଇଦିଆଯିବ । ଶାହା, ସମଗ୍ର ଝାଡଖଣ୍ଡବାସୀଙ୍କୁ ବିଜେପି ପ୍ରାର୍ଥୀଙ୍କୁୂ ଭୋଟ୍ ଦେବାକୁ ନିବେଦନ କରିଥିଲେ । ପ୍ରକାଶ ଯେ, ଆଗାମୀ ୪ ପର୍ଯ୍ୟାୟ (୨୯, ୬,୧୨,୧୯) ମତଦାନ ପ୍ରକ୍ରିୟାରେ ଝାଡଖଣ୍ଡରେ ଭୋଟ୍ ଅନୁଷ୍ଠିତ ହେବାକୁ ଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ