ଝିଅ ଜନ୍ମଦିନରେ ଦିବ୍ୟାଙ୍ଗ କର୍କଟ ପୀଡ଼ିତ ଶିଶୁକୁ ସାହାଯ୍ୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କଳ୍ପନା ଛକ ଟୋକା ସଂଘର ସହ ସମ୍ପାଦକ ସୁରେଶ ଚନ୍ଦ୍ର ପତ୍ରିଙ୍କ ଝିଅ ପିହୁର ତୃତୀୟ ଜନ୍ମଦିବସ ପାଳିତ ହୋଇଥିଲା ସଂଗ୍ରାମ ଭବନଠାରେ । ଜନ୍ମରୁ ଦୁଇ ଦିବ୍ୟାଙ୍ଗ ଅନ୍ଧ ଦମ୍ପତି । ତାଙ୍କର ଷୋଳ ମାସର ଶିଶୁଟିକୁ ହୋଇଛି ମାରାତ୍ମକ କର୍କଟ ରୋଗ । ବୋଝ ଉପରେ ନଳିତା ବିଡ଼ା ପରି ବହୁ ଦୁଃଖ ଯନ୍ତ୍ରଣାରେ ଦିନ କାଟୁଛନ୍ତି । ଏହିଭଳି ସ୍ଥିତିରେ କଳ୍ପନା ଛକ ଟୋକା ସଂଘର ପ୍ରତିଷ୍ଠାତା ବାପୁ ଓଝା ସୁରେଶ ଚନ୍ଦ୍ର ପତ୍ରୀଙ୍କ ସହ ଆଲୋଚନା କରିଥିଲେ ଓ ସୁରେଶ ଏ କଥା ଶୁଣି ତୁରନ୍ତ ତାଙ୍କୁ ତାଙ୍କ ଝିଅ ଜନ୍ମଦିନକୁ ଡାକିଥିଲେ । ବାପୁ ଓଝାଙ୍କ ନେତୃତ୍ୱରେ ସଂଗଠନର ଧୀରେନ ରାଉତରାୟ, ପବିତ୍ର ଗଜେନ୍ଦ୍ର, ଶିବ ଶଙ୍କର ଡାକୁଆ, ତନ୍ମୟ ସାମନ୍ତରାୟ, ରୋହିତ କୁମାର ନାୟକ, ଶିବ ସାହୁ, ଲିଟୁ ଓଝା, ସୁବାଶିଷ ଚକ୍ରବର୍ତ୍ତୀ ପ୍ରମୁଖଙ୍କ ଉପସ୍ଥିତିରେ କର୍କଟ ପୀଡ଼ିତ କୁନିଝିଅର ବାପା ଅଶୋକ ନାୟକଙ୍କୁ ପାଞ୍ଚ ହଜାର ଟଙ୍କା ବଢ଼ାଇ ଦେଇଥିଲେ । ଏହି ମହାନ୍ କାର୍ଯ୍ୟ ପାଇଁ ସୁରେଶ ଚନ୍ଦ୍ର ପତ୍ରି ଓ ତାଙ୍କ ଧର୍ମପତ୍ନୀ ବହୁ ଖୁସି ବ୍ୟକ୍ତ କରିଛନ୍ତି । ଅଶୋକ ନାୟକ ସୁରେଶ ଚନ୍ଦ୍ର ପତ୍ରି ଓ ତାଙ୍କ ପତ୍ନୀଙ୍କ ବଦାନ୍ୟତା ପାଇଁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


