ଝିଅ ମାନି ବିଷଧର ସାପ ପାଳୁଛନ୍ତି ମହିଳା
ଦୁନିଆରେ ସମୟ ସମୟରେ ଅଦ୍ଭୁତ ଘଟଣା ଓ ଲୋକଙ୍କୁ ଦେଖିବାକୁ ମିଳିଥାଏ । କୁକୁର, ବିଲେଇ ଓ ଅନ୍ୟ ପୋଷା ପଶୁପକ୍ଷୀଙ୍କୁ ଅନେକ ଲୋକ ନିଜ ପୁଅ/ଝିଅ ମାନି ଲାଳନପାଳନ କରୁଥିବା ଘଟଣା ସାମ୍ନାକୁ ଆସିଛି । କିନ୍ତୁ ନିକଟରେ ଦେଖିବାକୁ ମିଳିଛି ବିହାରର ମୁଙ୍ଗେରରେ ଜଣେ ମହିଳା ବିଷଧର ସାପକୁ ନିଜ ଝିଅ ମାନି ତାକୁ ପାଖରେ ରଖିଛନ୍ତି । ସାପ ବି ଝିଅ ଭଳି ସେହି ମା\’ର ସବୁକଥା ମାନୁଥିବା କୁହାଯାଉଛି । ସାପ ଓ ମା’ ମଧ୍ୟରେ ଏହି ମଧୁର ସମ୍ପର୍କ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମୁଙ୍ଗେର ମୁଖ୍ୟାଳୟରୁ ପାଖାପାଖି ୪କି.ମି. ଦୂର କାସିମ ବଜାର ଥାନାର ହେରୁ ଦିୟାରାର ଡକରା ଗ୍ରାମରେ ଦିନ ମଜୁରିଆ ଭାବେ କାମ କରୁଥିବା କୃଷ୍ଣା ଯାଦବଙ୍କ ପତ୍ନୀ ମିଣାଦେବୀ ଏକ ବିଷଧର ସାପକୁ ନିଜ ଝିଅ ମାନି ତାହାର ଖୁବ୍ ଯତ୍ନ ନେଉଛନ୍ତି । ଏହି ସାପକୁ ନେଇ ସେ ଘରର ପ୍ରତ୍ୟେକ କାମ କରିଥାଆନ୍ତି । ମିଣା ଦେବୀଙ୍କ କହିବାନୁସାରେ ତାଙ୍କ କୋଳରେ ଏହି ସାପ ଜନ୍ମ ନେଇଛି । ଏଥିସହିତ ସେ କହିଥିଲେ ତାଙ୍କ କୋଳରେ ତିନିଟି ସାପ ଜନ୍ମ ନେଇଥିଲେ । ଯାହାଙ୍କୁ ସେ ନିଜ ସନ୍ତାନ ଭଳି ପାଳୁଥିଲେ । ତିନିଟି ସାପର ନାମ ସେ ଆନ୍ଧି, ତୁଫାନ୍ ଓ ମେଲ ରଖିଥିଲେ । ଏଥିମଧ୍ୟରୁ ଆନ୍ଧି ଓ ତୁଫାନ୍ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ମେଲ ଅର୍ଥାତ୍ ମିନୁ ଏବେ ଜୀବିତ ରହିଛି । ଆନ୍ଧି ଓ ତୁଫାନ୍ଙ୍କୁ ଘରେ ରହିଥିବା ଦେବାଦେବୀଙ୍କ ସ୍ଥାନରେ ପୋତି ଦିଆଯାଇଛି । ଯାହାଙ୍କ ପୂଜା ପ୍ରତିଦିନ କରାଯାଇଥାଏ । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମିଣା ଦେବୀଙ୍କ ମାନସିକ ସ୍ଥିତି ଠିକ୍ ନଥିବା ହେତୁ ଏପରି କଥା କହୁଛନ୍ତି ।


