ଝିଲିର ଦୁଖଃ ଶୁଣିବ ପ୍ରଶାସନ, ଅତିରିକ୍ତ ତହସିଲଦାର ଘରକୁ ଯାଇ ଦେଲେ ପ୍ରତିଶୃତି
ହାଟଡିହି, (ବିକାଶ ବିଶ୍ୱାଳ):ଦୃଷ୍ଟିହୀନ କ୍ରିକେଟ ଖେଳାଳୀ ଝିଲିକୁ ସହାୟତାର ହାତ ବଢ଼ାଇବା ପାଇଁ ପ୍ରଶାସନ ତତ୍ପର ହୋଇ ଉଠିଛି । ଜଣେ ବାପ ମା ଛେଉଣ୍ଡ ଭିନ୍ନକ୍ଷମ ଝିଅ ଆର୍ଥôକ ଅଭାବ ଅନାଟନରେ ନିଜ ଜେଜେମା ପାଖରେ ବଢ଼ି ଭଦ୍ରକର ଏକ ଅନ୍ଧ ସ୍କୁଲରେ ପାଠପଢ଼ି ଖେଳାଖେଳି କରି ସଫଳତାର ସୋପାନ ଚଢ଼ିପାରିଛନ୍ତି । ସେ ରାଜ୍ୟ ଓ ଜାତୀୟ ସ୍ତରରେ ସଫଳ ହେବାପରେ ଏବେ ନେପାଳରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସ୍ତରର ଦୃଷ୍ଟିବାଧିତ କ୍ରିକେଟ ଖେଳିବାପାଇଁ ମନୋନୀତ ହେବାପରେ ଜିଲ୍ଲାପ୍ରଶାସନ ସହଯୋଗର ହାତ ବଢ଼ାଇଛି । ଜିଲ୍ଲାପାଳ ୩୦ହଜାର ଟଙ୍କାର ସହାୟତା ଯୋଗାଇଥିବାବେଳେ ଆଜି ହାଟଡିହିର ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ଢ଼େଙ୍କା ପଞ୍ଚାୟତସ୍ଥିତ ଝଣଝଣା ଗାଁକୁ ଯାଇ ଝିଲ୍ଲି ସହିତ ଆଲୋଚନା କରିବାପରେ ଝିଲ୍ଲୀଙ୍କ ପରିବାରର ଦୁଖଃ କାହାଣି ଶୁଣି ସମସ୍ତ ରେକର୍ଡ କରିବା ସହିତ ପ୍ରାଥମିକ ସ୍ତରରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଝିଲ୍ଲିଙ୍କ ପରିବାରର ଜମିଜମା ନଥିବାବେଳେ ଘରଡିହ ଖଣ୍ଡେ ମଧ୍ୟ ନାହିଁ । ଏକ ଭଙ୍ଗାଚାଳଘରେ ବହୁ ଦୁଖଃ କଷ୍ଟରେ ଚଳୁଥିବାରୁ ତୁରନ୍ତ ତାଙ୍କୁ ଘରଡିହ ପଟା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । ଝିଲ୍ଲିର ଯାତାୟତ ପାଇଁ ସାଇକେଲ ଟିଏ ନଥିବାରୁ ତହସିଲଦାର ତୁରନ୍ତ ସାଇକେଲଟିଏ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ସେହିପରି ତାର ଆୟ ପ୍ରମାଣପତ୍ର କରାଇଦେବା ସହିତ ତାର ଖେଳ ଅଭ୍ୟାସ ଜାରି ରଖିବାପାଇଁ ଏକ କ୍ରକେଟ ବ୍ୟାଟ ଓ ଆନୁ ସାଙ୍ଗିକ ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ସେହିପରି କିଛି ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ସହାୟତା ପାଇଁ ପ୍ରତିଶୃତି ଦେଇଛନ୍ତି ।