ଝୁଲଣ ଉତ୍ସବର ଦ୍ଵିତୀୟ ସଂଧ୍ୟା: ମନ ମୋହିଲା ଓଡ଼ିଶୀ ନୃତ୍ୟ-ସଙ୍ଗୀତ ଓ କଥକ
କୋଣାର୍କ (ଗଣେଶ ବେହେରା): ପଦ୍ମଶ୍ରୀ ସ୍ୱର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ “କୋଣାର୍କ ନାଟ୍ୟ ମଣ୍ଡପ” ରେ ପାରମ୍ପରିକ ଝୁଲଣ ଉତ୍ସବ ଉପଲକ୍ଷେ ଅଗଷ୍ଟ ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଅନ୍ ଲାଇନ୍ ସାଂସ୍କୃତିକ କାର୍ଯ୍ୟକ୍ରମର ଆଜି ଥିଲା ଦ୍ଵିତୀୟ ସଂଧ୍ୟା। ବୟୋଜ୍ୟେଷ୍ଠ ଗୋଟିପୁଅ ଗୁରୁ ଜୟକୃଷ୍ଣ ନାୟକ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଝୁଲଣ ଗୀତ ଓ ଭଜନ ଗାୟନ ଜରିଆରେ ନିଜର ଭକ୍ତି ଅର୍ଘ୍ୟ ଅର୍ପଣ କରି ଏହି ସାଂସ୍କୃତିକ ସଂଧ୍ୟା ର ଶୁଭାରମ୍ଭ କରିଥିଲେ। ଭୁବନେଶ୍ଵରର ଉଦୀୟମାନ ଯୁବ କଣ୍ଠଶିଳ୍ପୀ ସୁଶ୍ରୀ ବିଜୟଲକ୍ଷ୍ମୀ ରାଉତରାୟ ଓଡ଼ିଶୀ କଣ୍ଠ ସଙ୍ଗୀତ ରେ ଜୟଦେବଙ୍କ ଗୀତଗୋବିନ୍ଦ ଓ ରାଗ ପରିବେଷଣ କରି ଶ୍ରୋତାଙ୍କୁ ଭକ୍ତିଭାବରେ ବିଭୋର କରିଥିଲେ। ଦ୍ଵିତୀୟ ପ୍ରସ୍ତୁତିରେ ଭୁବନେଶ୍ଵରର ସାଗରିକା ମହାନ୍ତିଙ୍କ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟରେ ମୋହନା ପଲ୍ଲବୀ ଓ ପରେ ପରେ ମଧୁର ବଚନ ଅଭିନୟ ଏହି ସାଂସ୍କୃତିକ ସଂଧ୍ୟା କୁ ରୁଦ୍ଧିମନ୍ତ କରିଥିଲା। ଅନ୍ତିମ ଚରଣରେ କୋଲକାତାର ଅଭିଷିକ୍ତା ମୁଖୋପାଧ୍ୟାୟ କୃଷ୍ଣ ବନ୍ଦନା, ତିନ୍ ତାଲ ଓ ଅଭିନୟ ଉପସ୍ଥାପନାରେ ରାଧାକୃଷ୍ଣଙ୍କ ଇଶ୍ଵରୀୟ ପ୍ରେମ ଲୀଲା କୁ ଜୀବନ୍ତ ଭାବେ ପ୍ରଦର୍ଶନ କରି ଫେସବୁକ ମାଧ୍ୟମରେ ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରୁଥିବା ଦର୍ଶକଙ୍କୁ ଅଭିଭୂତ କରିଥିଲେ। କୋଣାର୍କ ନାଟ୍ୟ ମଣ୍ଡପର ଯୁଗ୍ମ ସମ୍ପାଦକ ଗୁରୁପଦ ବଳିଆରସିଂହଙ୍କ ଆବାହକତ୍ବରେ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଇଂରାଜୀ ରେ ସିନ୍ଧୁ ବ୍ରାଉନ୍ ସଂଯୋଜନା କରିଥିଲେ। ପୁରୀର ବରିଷ୍ଠ ଆଇନଜୀବି ଅଶୋକ ଦାସ, ସୋଲାର ର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶ, ବିଶିଷ୍ଟ ସମାଜସେବୀ ରାଜକିଶୋର ମହାପାତ୍ର , କୋଣାର୍କ ନାଟ୍ୟ ମଣ୍ଡପ ସଭାପତି ଖଗେଶ୍ବର ଖଣ୍ଡାୟତରାୟ, କାର୍ଯ୍ୟ ନିର୍ବାହୀ ସଭାପତି ଡ଼ ରମଣୀ ରଞ୍ଜନ ଜେନା, ଉପସଭାପତି ପ୍ରସନ୍ନ ବେଉରିଆ, ସମ୍ପାଦକ ଶିବାଶିଷ ପ୍ରଧାନ ଓ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସହଧର୍ମିଣୀ ସୁଲୋଚନା ପ୍ରଧାନ ଏହି ଫେସବୁକ ଲାଇଭ୍ କାର୍ଯ୍ୟକ୍ରମରେ ଯୋଗ ଦାନ କରିଥିଲେ। ପ୍ରତି ବର୍ଷ ଏହି ଉତ୍ସବ ଅବସରରେ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ରାଧାକୃଷ୍ଣଙ୍କ ରାସଲୀଳା ର ଝୁଲଣ ଝାଙ୍କି ପ୍ରଦର୍ଶିତ ହୋଇ ବିଧି ପରମ୍ପରାକୁ ପାଥେୟ କରି ଝୁଲଣ ଉତ୍ସବ ର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଗାରିମାକୁ ଲୋକାଭିମୁଖୀ କରାଯାଇଥାଏ ।


