ଝୁଲଣ ଯାତ୍ରା ପାଇଁ ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର
ନିମାପଡ଼ା, (ସନ୍ତୋଷ ଦାଶ):ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ତ୍ରୟୋଦଶ ଯାତ୍ରା ମଧ୍ୟରେ ଝୁଲଣ ଯାତ୍ରା ଅନ୍ତର୍ଭୁକ୍ତ ନ ହେଲେ ମଧ୍ୟ ଉପଯାତ୍ରା ମାନଙ୍କ ମଧ୍ୟରେ ଏହା ଏକ ପ୍ରମୁଖ ଯାତ୍ରା ଅଟେ । ଏହି ଯାତ୍ରା ସାତ ଦିନ ବ୍ୟାପୀ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ , ଆଶ୍ରମ ଓ ବ୍ୟକ୍ତି ବିଶେଷ ଙ୍କ ଗୃହ ରେ ଅନୁଷ୍ଠିତ ହୋଇଥାଏ। ବର୍ଷା ରିତୁ ର ଭାବମୟ ଉତ୍ସବ ଝୁଲଣ ଯାତ୍ରା। ଷୋଡ଼ଷ ଶତାବ୍ଦୀ ର କବି ମାନଙ୍କର ରଚନାବଳୀ ରେ ଝୁଲଣ ଯାତ୍ରା ସମ୍ପର୍କ ରେ ବର୍ଣ୍ଣନା କରାଯାଇଛି। ଚୈତନ୍ୟ ଦେବ ଙ୍କ ପ୍ରଭାବ ଗୌଡ଼ୀୟ ବୈଷ୍ଣବ ମାନଙ୍କ ଉପରେ ପଡ଼ିବା ପରେ ସେମାନଙ୍କ ଦ୍ଵାରା ଝୁଲଣ ଯାତ୍ରା ଆରମ୍ଭ ହୋଇଥିବା ଅନୁମେୟ ହୁଏ।ଗବେଷକ ଙ୍କ ମତ ରେ ଏହି ଯାତ୍ରା ୧୫୫୦-୧୫୬୦ମସିହା ମଧ୍ୟରେ ଶ୍ରୀମନ୍ଦିର ଭିତର ବେଢ଼ାସ୍ଥ ଦେବସଭା ମଣ୍ଡପ ଠାରେ ଆରମ୍ଭ ହୋଇଥିଲା । ଆଉ କେହି ମତ ଦିଅନ୍ତି କି ଏହା ଶ୍ରୀ ଚୈତନ୍ୟ ଓ ଅନ୍ୟ ବୈଷ୍ଣବ ଙ୍କ ଆନୁକୂଲ୍ୟରେ ଝୁଲଣ ଯାତ୍ରା ଆରମ୍ଭ ହୋଇଥିଲା। କିଛି ଗବେଷକ କୁହନ୍ତି ଏହା ଗଜପତି ଶ୍ରୀ ଦିବ୍ୟସିଂହ ଦେବ(୨ୟ) ଙ୍କ ସମୟରେ ଆରମ୍ଭ ହୋଇଥିଲା । ସେ ଯାହା ହେଉ, ଶ୍ରୀ ମନ୍ଦିର ରେ ଝୁଲଣ ଯାତ୍ରା ଆରମ୍ଭ ହେବାପରେ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ପ୍ରାଚୀ ଉପତ୍ୟକା ର ମଠ, ମନ୍ଦିର, ଆଶ୍ରମ ରେ ଶ୍ରାବଣ ମାସ ରେ ଅନୁଷ୍ଠିତ ହୋଇଆସୁଛି ଝୁଲଣ ଯାତ୍ରା। ପ୍ରାଚୀ ଉପତ୍ୟକା ର ଅନ୍ତର୍ବେଦି ମଠ, ରାଧାକାନ୍ତ ମଠ, ଅର୍କ ମଠ, ଆହ୍ମୁଣିଆଁ ମଠ, ସିଦ୍ଧ ମଠ,ଗୋପାଳ ମଠ, ରୋହିଣୀ କୁଣ୍ଡ ମଠ,ବିଶ୍ଵାମିତ୍ର ମଠ, ଚକିଆ ମଠ, ଦେଉଳି ମଠ, ଅତିବଡ଼ି ମଠ, ପଞ୍ଚବଟି ମଠ, ବନ୍ତ ମଠ, ଅପସରା ମଠ, ନୂଆମଠ, ମୁଦୁଗଲ ମୁନି ଆଶ୍ରମ, ଭରଦ୍ୱାଜ ଆଶ୍ରମ, କର୍ଣ୍ଣମୁନି ଆଶ୍ରମ, ଶୁକଦେବ ମଠ, ଦଧିଚି ଆଶ୍ରମ, ମାର୍କଣ୍ଡେୟ ଆଶ୍ରମ, ରାଧାକାନ୍ତ ମନ୍ଦିର ପ୍ରଭୃତି ସ୍ଥାନ ମାନଙ୍କ ରେ ପାରମ୍ପରିକ ପ୍ରଥାନୁସାରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ସୁନ୍ଦର କୁଞ୍ଜ ନିର୍ମିତ ହୋଇ ପ୍ରତି ସଂଧ୍ୟାରେ ରାଧା କୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ଙ୍କୁ ସେଠାରେ ଉପବେଷନ କରାଯାଇ ରାହାସ ଗୀତ ଗାନ କରଜଯିବାପରେ ଠାକୁର ମାନଙ୍କୁ ବନ୍ଦାପନା, ଭୋଗ ଲାଗି କରାଯାଉଛି। ଗତ ୬ତାରିଖ ରୁ ଏହା ଆରମ୍ଭ ହୋଇଥିବା ବେଳେ ୧୨ତାରିଖ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ରେ ଶେଷ ହେବ ବୋଲି କହିଛନ୍ତି ପଣ୍ଡିତ ତ୍ରିଲୋଚନ ମିଶ୍ର। ଏଥିପାଇଁ କୁହାଯାଇଥାଏ “ଆଷାଢ଼େ ଗୁଣ୍ଡିଚା ଯାତ୍ରା ଶ୍ରାବଣେକୁଞ୍ଜମନ୍ଦିରଂ”। ଝୁଲଣ ଯାତ୍ରା ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇଉଠିଛି।