ଝୋଟ ଅଖାରେ ବାଧ୍ୟତାମୂଳକ ପ୍ୟାକେଜିଂ ନିୟମ ସମ୍ପ୍ରସାରଣକୁ କ୍ୟାବିନେଟ ମଞ୍ଜୁରି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ୨୦୧୯-୨୦ ବର୍ଷ ଲାଗି ଝୋଟ ଅଖାରେ ଖାଦ୍ୟଶସ୍ୟ ଓ ଚିନିର ବାଧ୍ୟତାମୂଳକ ପ୍ୟାକେଜିଂ ନିୟମ ସମ୍ପ୍ରସାରଣକୁ ଅନୁମୋଦନ କରିଛନ୍ତି । ସରକାର ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଝୋଟ ଅଖାରେ ସାମଗ୍ରୀ ପ୍ୟାକେଜିଂ ଆଇନ, ୧୯୮୭ ଅନୁଯାୟୀ ବାଧ୍ୟତାମୂଳକ ପ୍ୟାକେଜିଂ ନିୟମ ସମ୍ପ୍ରସାରଣକୁ ବଜାୟ ରଖିଛନ୍ତି । କ୍ୟାବିନେଟ ନିଷ୍ପତି ଅନୁଯାୟୀ ୧୦୦ ପ୍ରତିଶତ ଖାଦ୍ୟଶସ୍ୟ ଏବଂ ୨୦ ପ୍ରତିଶତ ଚିନିର ପ୍ୟାକେଜିଂ ବାଧ୍ୟତାମୂଳକ ଭାବେ ଝୋଟ ଅଖାରେ କରାଯିବ । ଲାଭ : ଝୋଟ ଅଖାରେ ଚିନି ଓ ଖାଦ୍ୟଶସ୍ୟ ପ୍ୟାକେଜିଂ କରାଯିବା ଦ୍ୱାରା ଝୋଟ ଉଦ୍ୟୋଗ ଲାଭାନ୍ୱିତ ହେବ । କ୍ୟାବିନେଟ ଏହି ନିଷ୍ପତି ମଧ୍ୟ ନେଇଛନ୍ତି ଯେ ଝୋଟ ଅଖାର ୧୦ ପ୍ରତିଶତ ଜେଇଏମ ପୋର୍ଟାଲରେ ନିଲାମୀ ଜରିଆରେ ହାସଲ କରାଯିବା ଆବଶ୍ୟକ । ଏହି ମଞ୍ଜୁରି ଫଳରେ ଦେଶର ପୂର୍ବ ଏବଂ ଉତରପୂର୍ବାଂଚଳ କ୍ଷେତ୍ର ବିଶେଷ କରି ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ମେଘାଳୟ ଓ ତ୍ରିପୁରାର ଝୋଟ ଚାଷୀ ଓ ଶ୍ରମିକମାନେ ଲାଭବାନ ହୋଇପାରିବେ ।


