ଗୋଛିଆ ପଞ୍ଚାୟତରେ ଏସ.ଇ.ସି.ସି ତାଲିକାରେ ଅନିୟମିତତା କରି ହିତାଧିକାରୀ ଚୟନ
ଅଯୋଗ୍ୟଙ୍କୁ ମିଳୁଛି ଘର : ଯୋଗ୍ୟଙ୍କୁ ପଚାରେ କିଏ
ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଏସ.ଇ.ସି.ସି ତାଲିକା କ୍ରମାନୁଯାୟୀ ହିତାଧିକାରୀ ଚୟନ କରାନଯାଇ ମନମୁଖୀ ଭାବେ ଚୟନ କରାଯାଉଥିବାରୁ ପ୍ରକୃତ ହିତାଧିକାରୀ ମାନେ ଆବାସ ଯୋଜନାରୁ ବଞ୍ଚିତ ହେଉଥିବା ନେଇ ଉକ୍ତ ପଞ୍ଚାୟତର ସମିତିସଭ୍ୟା ବିଜୟଲକ୍ଷ୍ମୀ ସାହୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ଆଡ ହୁରିଆ ଗ୍ରାମର ଅକ୍ଷୟ ଯେନା ତାଙ୍କର ଆଇଡି ନଂ ୨୦୯୭୨୧୪ । ସେ ବାରମ୍ବାର ଘର ଖଣ୍ଡିଏ ପାଇଁ ଆବେଦନ କରିବାପରେ ତାଙ୍କୁ ଘର ଯୋଗାଇଦେବାର ପ୍ରତିଶୃତି ଦେବାପରେ ସେ ତାଙ୍କ ଭଙ୍ଗା ଚାଳଘରଟିକୁ ଭାଙ୍ଗି ନୁତନ ଘର ଆରମ୍ଭ କରିଥିଲେ । ମାତ୍ର ସେ ବ୍ଲକକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି । ତାଲିକାନୁଯାଇ ତାଙ୍କ ତଳେ ଥିବା ଲୋକମାନେ ଘର ପାଇସାରିଥିବାବେଳେ ସେ ଏବେ ପରଘରେ ଆଶ୍ରୟ ନେଇଛନ୍ତି । ସେହିପରି ଆଡହୁରିଆ ଗ୍ରାମର କୋଦଣ୍ଡଧର ଜେନା ଆଇଡିନଂ ୨୨୦୨୫୦୬ ଓ ଆନନ୍ଦ ଚନ୍ଦ୍ର ଜେନା ତାଙ୍କ ଆଇଡିଂ ୨୦୬୭୫୨୧ ହୋଇଥିବାବେଳେ ଅତ୍ୟନ୍ତ ଦୁଖଃ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ପୟ୍ରଧାନମନ୍ତ୍ରୀ ଆବାସ ପାଇଁ ଏସଇସିସି ତାଲିକାରେ ନାମ ଥିଲେବି ତାଙ୍କୁ ଘର ଯୋଗାଇ ଦିଆଯାଉ ନାହିଁ । ବାରମ୍ବାର ସେ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡୁଥିଲେବି କେହି ତାଙ୍କ ଦୁଖଃ ଶୁଣୁ ନାହାନ୍ତି । ସେହିପରି ବଳଭଦ୍ରପୁର ଗ୍ରାମର ବୃନ୍ଦାବନ ମଲ୍ଲିକ ଏସଇସିସି ତାଲିକାରେ ନାମଥାଇ ଏକ ଭଙ୍ଗା ଚାଳଘରେ ବସବାସ କରୁଥିଲେବି କେହି ଆଜିପର୍ଯ୍ୟନ୍ତ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉ ନାହାନ୍ତି । ସେହିପରି ଯଶୋବନ୍ତପୁର ଗ୍ରାମର ରୁକ୍ମଣୀ ରାମ, ପଞ୍ଚୁଗୋଛିଆର ଅମରେନ୍ଦ୍ର ଘୋଷ, କୃଷ୍ଣଚନ୍ଦ୍ର ସେଠୀ, ବିଦ୍ୟାଧର ବରାଳ, ତରଭାର କଳାକାର ପଣ୍ଡା, ଅଜୟ ପଣ୍ଡା, ରବିନ୍ଦ୍ର ପଣ୍ଡା, ମଦନ ମୋହନ କରଙ୍କ ସମେତ ଶହଶହ ହିତାଧିକାରୀ ଘର ଖଣ୍ଡିଏ ନପାଇ ବହୁତ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି । ଏହି ପଞ୍ଚାୟତରେ ଅନେକ ଅଯୋଗ୍ୟ ଲୋକମାନେ ମୋଟା ଅଙ୍କର ହାତଗୁଞ୍ଜାଦେଇ ବାସଗୃହ ପାଇପାରି ଥିବାବେଳେ ବାସ୍ତବ ଓ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆକ୍ରୋଶ ମୁଳକ ବାଦ ଦିଆଯାଉଛି ବୋଲି ସମିତିସଭ୍ୟା ଅଭିଯୋଗ କରିଛନ୍ତି । ଏପରିକି କିଛି ସରକାରୀ ଚାକିରିଆ, କୋଠାଘର ବାଲା ଓ ପୁର୍ବରୁ ଘର ପାଇଥିବା ଲୋକମାନେ ଘର ପାଉଥିବାବେଳେ ଏହି ଗରିବ ଲୋକଙ୍କ କଥା କେହି ବୁଝୁନାହାନ୍ତି । ବ୍ଲକର ଜଣେ କର୍ମଚାରୀ, ପଞ୍ଚାୟତର ପିଇଓ, ଜିଆରଏସ ଏପରି ଅନିୟମିତତାରେ ସଂପୃକ୍ତି ଥିବାନେଇ ସେ ଅଭିଯୋଗ କରିଛନ୍ତି । ଏନେଇ ସେ ବିଡିଓ, ପି.ଡି ପ୍ରମୁଖଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ସେ ବାଧ୍ୟହୋଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।


