ଟଙ୍କା ଦାନ କଲେ ଚା ଦୋକାନୀ ଶିବଶଙ୍କର ଜେନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସମାଜସେବୀ ତଥା ଚା ଦୋକାନୀ ଶିବ ଶଙ୍କର ଜେନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୮ ହଜାର ୩୫୦ ଟଙ୍କା ଦାନ କରିଛନ୍ତି । ଏଠାରେ ପ୍ରକାଶ ଥାଉକି କି ଗତ କିଛିଦିନ ତଳେ ବିଏମ୍‌ସି ଏବଂ ବିଡ଼ିଏ କର୍ତ୍ତୃପକ୍ଷ ମିଳିତ ଭାବେ ଶିବଶଙ୍କରଙ୍କ ଆଚାର୍ଯ୍ୟ ବିହାର ଆରଟିଓ ଅଫିସ୍ ନିକଟରେ ଥିବା ଚା ଦୋକାନଟିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ । ଚା ଦୋକାନକୁ ହରାଇବା ପରେ ଶିବଶଙ୍କର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀ ଶିବଶଙ୍କରଙ୍କ ବିଷୟରେ ଶୁଣିବା ପରେ ତାଙ୍କୁ ଚା ଦୋକାନ କରିବାକୁ ବିଏମ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଶିବଶଙ୍କର ପୁନର୍ବାର ଆରଟିଓ ଅଫିସ୍ ନିକଟରେ ନୂତନ ଚା ଦୋକାନ କରିଥିଲେ ଏବଂ ତାଙ୍କ ମନରେ ଗୋଟିଏ ଅବଶୋଷ ଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଚା ଦୋକାନ ଫେରିପାଇଥିବାରୁ, ଚା ଦୋକାନରୁ ଲାଭ କରୁଥିବା ଅର୍ଥକୁ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବେ । ଏଥିସହିତ ମହାମାରୀ କରୋନା ଯୋଗୁ ଶିବଶଙ୍କରଙ୍କୁ ୯ ମାସର କୋଭିଡ଼ ସହାୟତା ମିଳିଥିବା ୬ ହଜାର ୭ଶହ ଟଙ୍କା ଏବଂ ନିଜ ଚା ଦୋକାନରୁ ଆୟ କରିଥିବା ଅର୍ଥକୁ ମିଶାଇ ମୋଟ ୧୮ ହଜାର ୩୫୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶିବଶଙ୍କର ଶୁକ ବିହାର ବସ୍ତିରେ ଦୀର୍ଘଦିନ ରହି ଆଚାର୍ଯ୍ୟ ବିହାର ଆରଟିଓ ଅଫିସ୍ ସମ୍ମୁଖରେ ଚା ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଇବା ସହିତ ଗରିବ ଅସହାୟ ଲୋକମାନଙ୍କୁ ସହଯୋଗର ହାତ ବଢାଇ ଆସୁଥିଲେ । ଶିବଶଙ୍କର ରହୁଥିବା ବସ୍ତି ସମେତ ରାଜଧାନୀର ଅନ୍ୟାନ୍ୟ ବସ୍ତିମାନଙ୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଧାରାରେ ପ୍ରଭାବିତ ହୋଇ ଶିବଶଙ୍କର ଜଣେ ଚା ଦୋକାନୀ ତଥା ଜଣେ ବାସ୍ତିବାସନ୍ଦା ଭାବେ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଟଙ୍କା ଦାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ବସ୍ତିନେତା ପ୍ରତାପ ସାହୁ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, କଟକ ଉଚ୍ଚ ନ୍ୟାୟାଳୟର ଆଡ଼ଭୋକେଟ ଲକ୍ଷ୍ମୀଧର ପଣ୍ଡା, ଗାନ୍ଧୀଆନ ନେତା ସନାତନ ବେହେରା, ଲକ୍ଷ୍ମୀଧର ମହାଭୋଇଙ୍କ ସମେତ ବହୁ ସମାଜସେବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶିବଶଙ୍କରଙ୍କ ଏତାଦୃଶ କାର୍ଯ୍ୟକଳାପକୁ ଭୂୟସୀ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ