ଟଙ୍କା ଦେଇ ଫେରସ୍ତ ମାଗୁଛି ପ୍ରଶାସନ, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପୁଅ କହିଲେ ଆତ୍ମାହୁତି ଦେବୁ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାକୁ ୧୨ ବର୍ଷ ପୂରି ସାରିଥିବା ବେଳେ ଏବେ ପୁଣି ଥରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ମୃତ୍ୟୁ ବେଳେ ତାଙ୍କ ପରିବାରକୁ ରାଜ୍ୟ ଓ କେନ୍ଦ୍ର ସରକାର ଅନୁକମ୍ପାମୂଳକ ରାଶି ପ୍ରଦାନ କରିଥିବା ବେଳେ କନ୍ଧମାଳ ଏସ୍‌ପି ଅଫିସ୍‌ରୁ ମଧ୍ୟ ୨ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା । ମାତ୍ର ଭୁଲରେ ଏହି ଚେକ୍ ଦିଆଯାଇଥିବା ଦର୍ଶାଇ ତୁରନ୍ତ ସମସ୍ତ ଟଙ୍କା ଫେରସ୍ତ କରିବାକୁ ଲକ୍ଷ୍ମଣାନନ୍ଦଙ୍କ ପୁଅ ଲୋକନାଥଙ୍କ ନିକଟକୁ ଆସିଛି ନୋଟିସ୍। ଅନୁକମ୍ପା ରାଶି ଖର୍ଚ୍ଚ କରିଦେଇଥିବା ଓ ଦାରଦ୍ର୍ୟ କାରଣରୁ ସଂପୂର୍ଣ୍ଣ ଟଙ୍କା ଫେରାଇବାର ସାମର୍ଥ୍ୟ ତାଙ୍କର ନ ଥିବା କହିଛନ୍ତି ଲକ୍ଷ୍ମଣାନନ୍ଦଙ୍କ ପୁଅ ଲୋକନାଥ। ଟଙ୍କା ଫେରାଇବାକୁ ଦାବି କଲେ ଏସ୍‌ପିଙ୍କ ଅଫିସ୍ ଆଗରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ଲୋକନାଥ। ସୂଚନା ଯୋଗ୍ୟ ଯେ,୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ମଣାନନ୍ଦଙ୍କ ପତ୍ନୀଙ୍କୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଥିଲା । ଏହାର ୧ ବର୍ଷ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ପତ୍ନୀଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ତେବେ ୨୦୧୫ରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପୁଅ ଲୋକନାଥଙ୍କୁ କନ୍ଧମାଳ ଏସ୍‌ପି ପୁଣି ୨ ଲକ୍ଷର ସହାୟତା ପ୍ରଦାନ କରିଥିଲେ ।ଚେକ୍ ଦେବାର ୪ ମାସ ପରେ କନ୍ଧମାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଲୋକନାଥଙ୍କୁ ଟଙ୍କା ଫେରସ୍ତ ପାଇଁ ନୋଟିସ କରାଯାଇଥିଲା । ତେବେ ସେ ସମୟରେ ଲୋକନାଥ ଟଙ୍କା ଫେରାଇ ନ ଥିଲେ। ଏହାପରେ ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଫୁଲବାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍ ହୋଇଥିଲା । ଇତି ମଧ୍ୟରେ ସେ ଲକ୍ଷେ ଟଙ୍କା ଫେରସ୍ତ କରି ସାରିଛନ୍ତି। ନୋଟିସ୍ ଅନୁଯାୟୀ ଲୋକନାଥ ଓ ତାଙ୍କ ପତ୍ନୀ ବାସନ୍ତୀ ଫୁଲବାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହୋଇଥିଲେ । ଏହି ଅବସରରେ ଲୋକନାଥ କହିଥିଲେ, “୧ ଲକ୍ଷ ଟଙ୍କା ଯୋଗାଡ଼ କରି ଫେରସ୍ତ କରିଛି । ଦାରିଦ୍ର୍ୟ କାରଣରୁ ଆଉ ଲକ୍ଷେ ଟଙ୍କା ଫେରସ୍ତ କରିବାର କ୍ଷମତା ନାହିଁ। ଯଦି ଏହି ଟଙ୍କା ଫେରସ୍ତ ପାଇଁ ବାଧ୍ୟ କରାଯାଏ, ତେବେ ଉଭୟ ପତିପତ୍ନୀ କନ୍ଧମାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବୁ।” ଲକ୍ଷ୍ମଣାନନ୍ଦଙ୍କ ବୋହୂ କହିଛନ୍ତି, “ଆମକୁ ଯାଚିକି ଟଙ୍କା ଦେଲେ। ବାବାଙ୍କ କିଏ ଉତ୍ତରାଧିକାରୀ ଅଛି ପଚାରିକି ଦେଲେ। ଆଉ ଆମେ ଫେରାଇ ପାରିବୁନି। ଆମେ ଲକ୍ଷେ ଫେରାଇ ଦେଇଛୁ। ଯୋଉ ପ୍ରଶାସନ ଦେଇଛି, ସେ ଲକ୍ଷେ ବହନ କରୁ। ଆଉ ଆମର ସାମର୍ଥ୍ୟ ନାହିଁ। ରୋଜଗାର ନାହିଁ। କିପରି ଶୁଝିବୁ।” ଏନେଇ ଫୁଲବାଣୀ ଉପଜିଲ୍ଲାପାଳ ଦେବେନ୍ଦ୍ର ନନ୍ଦ କହିଛନ୍ତି, “ବର୍ତ୍ତମାନ ଘଟଣା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବନି। ଲକ୍ଷ୍ମଣାନନ୍ଦଙ୍କ ପୁଅ ଟଙ୍କା ଫେରାଇବାକୁ ଅସାମର୍ଥ୍ୟ ପ୍ରକାଶ କରୁଛନ୍ତି। ଟଙ୍କା ଫେରାଇବା ସଂପର୍କରେ ପରବର୍ତ୍ତୀ ସମୟରେ କୋର୍ଟ ଯାହା ନିଷ୍ପତ୍ତି ନେବେ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ