ଟଙ୍କା ପାଇଁ ଗର୍ଭବତୀ ପତ୍ନୀ ସମ୍ମୁଖରେ ଶଶୁରଙ୍କୁ ମାଡମାରି ଜ୍ୱାଇଁ ଥାନାରେ ଅଟକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗର୍ଭବତୀ ପତ୍ନୀ ସମ୍ମୁଖରେ ଶଶୁରଙ୍କୁ ମାଡ ମାରି ଥାନାରେ ସ୍ୱାମୀ ଅଟକ ରହିଥିବା ଭଳି ଘଟଣା ଦେଖିବାକୁ ମିଳିଛି । ଶଶୀଭୂଷଣ ତାଙ୍କ ୬ମାସର ଗର୍ଭବତୀ ଝିଅ ଶୁଭଶ୍ରୀଙ୍କୁ ସାଙ୍ଗରେ ଧରି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ଗ୍ରାମସ୍ଥିତ ଝିଅ ଶାଶୁଘରେ ପହଞ୍ଚିଥିଲେ । ପୂର୍ବରୁ ଲାଗିରହିଥିବା ଯୈାତୁକ ଜନିତ ବିବାଦର ସମାଧାନ କରିବା ଉଦେଶ୍ୟରେ ବାପା ଶଶୀଭୂଷଣ ଓ ଝିଅ ଶୁଭଶ୍ରୀ ପହଞ୍ଚିବା ପରେ ଶୁଭଶ୍ରୀଙ୍କ ସ୍ୱାମୀ ମିହିର ଉଭୟଙ୍କୁ ଦେଖି ଗାଳିଗୁଲଜ କରିବା ସହ ଘରୁ ବାହାରି ଆସି ଫାଟକ ନିକଟରେ ଶଶୁର ଶଶୀଭୂଷଣଙ୍କୁ ଗୋଇଠା, ଚାପୁଡା ଓ ମାଡ ମାରିଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତ ମିହିର ପୋଲିସ ଉପସ୍ଥିତିରେ ଶଶୀଭୂଷଣଙ୍କୁ ମାଡ ମାରିଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ଅଭିଯୋଗ ଅନୁଯାଇ ମହାକାଳପଡା ଥାନା ଅନ୍ତର୍ଗତ ବିଜୟ ନଗର ଗ୍ରାମର ଶଶୀଭୂଷଣ ପଟ୍ଟନାୟକଙ୍କ ଝିଅ ଶୁଭଶ୍ରୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ଗ୍ରାମର ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ଜ୍ୟେଷ୍ଠପୁତ୍ର ମିହିର କୁମାର ମହାନ୍ତିଙ୍କୁ ଗତ ୨୦୧୮ମସିହା ମଇମାସ ୨ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ମିହିରଙ୍କ ପରିବାର ପକ୍ଷରୁ ୩ଲକ୍ଷ ୫୦ହଜାର ଟଙ୍କା ସହିତ ସୁନା ଓ ଅନ୍ୟାନ୍ୟ ଆସବାବପତ୍ର ଦାବି କରାଯାଇଥିଲା । ଶୁଭଶ୍ରୀଙ୍କ ବାପା ଶଶୀଭୂଷଣ ନଗଦ ୨ଲକ୍ଷ ୮୦ହଜାର ଟଙ୍କା, ସୁନା ଚେନ, ବ୍ରେସଲେଟ, ମୁଦି ପ୍ରଭୃତି ସମେତ ଅନ୍ୟାନ୍ୟ ଆସବାବପତ୍ର ଜ୍ୱାଇଁଙ୍କୁ ଦେଇଥିଲେ । କିନ୍ତୁ ବିବାହର କିଛି ଦିନ ପରେ ବାକି ୭୦ହଜାର ଟଙ୍କା ବାପଘରୁ ଆଣିବା ପାଇଁ ଶୁଭଶ୍ରୀ ଉପରେ ସ୍ୱାମୀ ମିହିର, ଶାଶୁ ସୁନନ୍ଦା, ଓ ନଣଦ ଶୁଭଦର୍ଶିନୀ ବାରମ୍ବାର ଚାପ ପକାଉଥିଲେ । ସେମାନଙ୍କ ଦାବି ପୁରଣ ନହେବାରେ ଗତ ଜୁନମାସ ୮ତାରିଖରେ ଶୁଭଶ୍ରୀଙ୍କ ସ୍ୱାମୀ ତାଙ୍କୁ ମାଡ ମାରି ଘରୁ ବାହାର କରି ଦେଇଥିଲେ । ଶୁଭଶ୍ରୀ ନିଜ ୨ବର୍ଷର ଝିଅକୁ ସାଙ୍ଗରେ ନେଇ ବାପଘର ବିଜୟ ନଗରକୁ ଚାଲିଯାଇଥିଲେ । ତେବେ ତାଙ୍କୁ ଶାଶୁଘର ପକ୍ଷରୁ ଯୈାତୁକ ନିର୍ଯ୍ୟାତନା ଦିଆଯାଇଥିବା ନେଇ ଶୁଭଶ୍ରୀ କେନ୍ଦ୍ରାପଡା ସଦର ଥାନାରେ ଗତ ଜୁଲାଇ ୨୧ତାରିଖରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତି ପୋଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବାରୁ ଶଶୀଭୂଷଣ ବୁଧବାର ଝିଅ ଶୁଭଶ୍ରୀକୁ ସଙ୍ଗରେ ନେଇ କପାଳେଶ୍ୱରସ୍ଥିତ ଝିଅ ଶାଶୁଘରକୁ ଆସିଥିବା ବେଳେ ତାଙ୍କ ଜ୍ୱାଇଁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ମିହିରକୁ ଥାନାରେ ଅଟକ ରଖିଛି । ଶୁଭଶ୍ରୀଙ୍କର ଏକ ୨ବର୍ଷର ଝିଅ ଥିବା ବେଳେ ସେ ୬ମାସର ବର୍ଘବତୀ ଅଛନ୍ତି । ଏହି ଘଟଣାରେ ଝିଅକୁ ନ୍ୟାୟ ଦେବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗକାରୀ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।