ଟାଉନ ପୋଲିସ ଦ୍ୱାରା ଅବକାରୀ ସବଇନିସପେକ୍ଟର ଗିରଫ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ଜନୈକ ମୃତବ୍ୟକ୍ତିଙ୍କ ନାମରେ ମଦ ଦୋକାନ ଲାଇସେନ୍ସ ପ୍ରଦାନ ମାମଲାରେ ରିପୋର୍ଟ ଦେଇଥିବା ଅବକାରୀ ସବଇନିସପେକ୍ଟରଙ୍କୁ ବୁଧବାର ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗତ ୨୦୧୮ମସିହା ଜୁଲାଇମାସ ୧୬ତାରିଖରେ ତତକାଳିନ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ରାହାସବିହାରୀ ପାତ୍ର ଟାଉନ ଥାନା ଅନ୍ତର୍ଗତ ଇଶ୍ୱରପୁର ଗ୍ରାମର ଅଧିକାରୀ ପ୍ରହଲ୍ଲାଦ ଚନ୍ଦ୍ର ଦାସଙ୍କ ପୁଅ ମଦ ବେପାରୀ ପ୍ରତାପ ଚନ୍ଦ୍ର ଦାସ ଓରଫ ହାଲୁ ନାମରେ ଅଭିଯୋଗ କରିଥିଲେ ଯେ ତାଙ୍କ ଭଉଣୀ ସାବିତ୍ରୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ ଦାସ ଗତ ୨୦୧୬ ମସିହାରୁ ମୃତ୍ୟୁ ବରଣ କରିଥିଲେ ମଧ୍ୟ ସେହି ମୃତକଙ୍କ ନାମରେ ଗୋପଛକରେ ଗୁଡୁ ବାର ଆଣ୍ଡ ରେଷ୍ଟୁରାଂଟ ନାମକ ବିଦେଶୀ ଠିପି ଖୋଲା ମଦ ଦୋକାନର ଲାଇସେନ୍ସକୁ ବେଆଇନ ଭାବେ ନବୀକରଣ କରାଇନେଇଛନ୍ତି । ସେହି ଅଭିଯୋଗକୁ ଭିତିକରି ଟାଉନ ଥାନା ପୋଲିସ ୧୦୨/୨୦୧୮ରେ ଆଇ.ପି.ସି.ର ଦଫା ୪୨୦,୪୬୭,୪୬୮,୪୭୧ ଓ ୪୭୪ ଧାରାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା । ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରତାପ ଚନ୍ଦ୍ର ଦାସଙ୍କୁ ପୋଲିସ ଗିରଫ କରିନଥିବା ବେଳେ ସେ ଓଡିଶା ଉଚ୍ଚ ନ୍ୟାୟାଳୟରୁ ଅନ୍ତରୀଣ ଜାମିନରେ ଆସିଥିଲେ । ସେହି ମୃତକଙ୍କ ନାମରେ ଉପରୋକ୍ତ ବିଦେଶୀ ମଦ ଦୋକାନ ଲାଇଇସେନ୍ସ ପ୍ରଦାନ କରାଯିବାକୁ ଅବକାରୀ ସବଇନିସପେକ୍ଟର ପୂଣ୍ଣେନ୍ଦୁ କୁମାର ରାଉତ ମୃତକଙ୍କ ସପକ୍ଷରେ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ । ତେଣୁ ଟାଉନ ଥାନା ପୋଲିସ ସବଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲି ଆଜି ସହ ଅଭିଯୁକ୍ତ କେଉଁଝର ଜିଲ୍ଲାର କେଉଁଝର ଟାଉନ ଥାନା ଅନ୍ତର୍ଗତ ପୋଡାସାହି ଗ୍ରାମର ଅବକାରୀ ସବଇନିସପେକ୍ଟର ପୂଣ୍ଣେନ୍ଦୁ କୁମାର ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସବଇନିସପେକ୍ଟର ଶ୍ରୀ ଜାଲି ସୂଚନା ଦେଇଛନ୍ତି ।