ଟାଏକୋଣ୍ଡା ପ୍ରତିଯୋଗିତାରେ ଭାଗନେଇ ଚର୍ଚ୍ଚାରେ ଗଞ୍ଜାମର ଦୁଇଭାଇ : ଶିଵପ୍ରସାଦକୁ ସ୍ୱର୍ଣ୍ଣ , କାଳୀପ୍ରାସାଦକୁ ରୋପ୍ୟ
ଗଂଜାମ, (ବିନୋଦ ପଲାଇ) :-ଜିଲ୍ଲାସ୍ତରୀୟ ଟାଏକୋଣ୍ଡା ପ୍ରତିଯୋଗିତାରେ ଗଞ୍ଜାମ ସହରର ଦୁଇ ଭାଇ ଭାଗନେଇ ସ୍ୱର୍ଣ୍ଣ ଓ ରୋପ୍ୟ ପଦକ ବିଜୟୀ ହେବା ସହ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ମନୋନିତ ହୋଇ ଚର୍ଚ୍ଚାକୁ ଆସିଛନ୍ତି । ଯାହାକୁ ନେଇ ଅଞ୍ଚଳରେ ଓ କ୍ରୀଡାପ୍ରେମୀ ମହଲରେ ଅନନ୍ଦର ଲହରୀ ଖେଳିଯାଇଛି । ଗଞ୍ଜାମ ସହରର ଦୂର୍ଗାଦେବୀ ସାହି ବାସିନ୍ଦା ପଦ୍ମିନୀ ଜେନା ଓ ଭଗବାନଙ୍କ ବଡ଼ପୁଅ ଶିବପ୍ରସାଦ ଜେନା ଓ ସାନପୁଅ କାଳୀପ୍ରସାଦ ଜେନା ଛତ୍ରପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଟାଏକୋଣ୍ଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ୧୪ଟି ଏକାଡେମିର ୩୦୪ ପ୍ରତିଯୋଗି ଭାଗନେଇଥିଲେ । ଅତିଥିରୂପେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଓଡିଶା ଟାଏକୋଣ୍ଡା ସଙ୍ଘ ସମ୍ପାଦକ ମନମୋହନ ଭଞ୍ଜ , ଜିଲ୍ଲାସଭାପତି ଶ୍ରୀକାନ୍ତ ମହାନ୍ତି ଅତିଥିଭାବେ ଯୋଗଦେଇ ବଡ଼ଭାଇ ଶିବପ୍ରସାଦ ସ୍ୱର୍ଣ୍ଣ ପଦକ ଓ ସାନଭାଇ କାଳୀପ୍ରସାଦକୁ ରୋପ୍ୟପଦକ ପ୍ରଦାନ କରିଥିଲେ । ଏହି ସଫଳତାପରେ ଉଭୟ ଭାଇ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଗଂଜାମ ସହରର ହୋପ ଟାଏକୋଣ୍ଡା ଏକାଡ଼ମି ତରଫରୁ ପ୍ରତିନିଧିତ୍ବ କରୁଥିବା ଶିଵ ପ୍ରସାଦ ଯୁକ୍ତତିନି ପାଠ ଶେଷ କରିଥିବା ବେଳେ ସାନଭାଇ କାଳୀପ୍ରସାଦ ଯୁକ୍ତତିନି ପ୍ରଥମ ବର୍ଷ ପଡୁଛନ୍ତି । ପିଲାବେଳୁ କ୍ରୀଡାପ୍ରତି ଦୁର୍ବଳତା ଥିବା ବେଳେ ପରିବାର ତରଫରୁ ସହଯୋଗ ମିଳୁଥିବା କହିଛନ୍ତି। ଭବିଷ୍ୟତରେ ଏହି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।


