ଟାଟାଷ୍ଟିଲ ଡ଼ାକ୍ତରଖାନାରେ ଆଦିବାସୀ ଗର୍ଭବତୀ ମହିଳାଙ୍କୁ ମିଳିଲାନି ଚିକିତ୍ସା,ରାସ୍ତାରେ ପ୍ରସବ, ଚିକିତ୍ସ୍ୟା ଅଭାବରୁ ଶିଶୁପୁତ୍ରର ମୃତ୍ୟୁ
ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ପଶ୍ଚିମ ଯୋଡା ସ୍ଥିତ ମଙ୍ଗଳାମନ୍ଦିର ନିକଟସ୍ତ ରାସ୍ତାରେ ଜନ୍ମ ହୋଇଛି ଏକ ଶିଶୁପୁତ୍ର । ଭୂମିଷ୍ଠ ହେବା ପରେ ଶିଶୁପୁତ୍ରଟିର ମୃତ୍ୟୁ ମଧ୍ୟ ହୋଇଯାଇଛି । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସର୍ବାଧିକ ଖଣି ରାଜସ୍ୱ ଦେଉଥିବା ଖଣି ଉପତ୍ୟକା ଯୋଡା ସହରରେ । ପ୍ରତ୍ୟେକ୍ଷ ସୂତ୍ରରୁ ପ୍ରକାଶ ଯେ ସୋମବାର ରାତ୍ର ପ୍ରାୟ ସାଢେ ୧୦ଟା ସମୟରେ ଜଲହରୀ ପଞ୍ଚାୟତ ଅଧୀନ ଆଇଟିସି କଲୋନୀ ନିବାସୀ କପିଳାସ ନାଏକ ତାଙ୍କ ପତ୍ନୀ ସୁକମତୀ ପୂର୍ତ୍ତୀ ଏବଂ ତାଙ୍କ ଶାଶୂ ଘାସ ନାଏକ ସୁକୁମତୀଙ୍କୁ ଦୁଇ କାନ୍ଧର ସାହାରାରେ ମଙ୍ଗଳାମନ୍ଦିର ରାସ୍ତା ଦେଇ ସରକାରୀ ଡାକ୍ତରଖାନାକୁ ନେଉଥିବା ବେଳେ ପ୍ରସବ ବେଦନା ସହିନପାରି ସୁକୁମତୀ ରାସ୍ତାରେ ଉପରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ହେଲେ ଶିଶୁପୁତ୍ରଟିର କିଛିକ୍ଷଣ ପରେ ମୃତ୍ୟୁ ଘଟିଥିଲା । ପ୍ରସବ ବେଦନାର ଚିତ୍କାର ଏବଂ ମୃତ ଶିଶୁପୁତ୍ରର ଦୁଃଖରେ ମ୍ରିିୟମାଣ ମୃତ ଶିଶୁର ମା’ଙ୍କର କ୍ରନ୍ଦନ ବସ୍ତିବାସିନ୍ଦାଙ୍କ ନିଦ ହଜାଇ ଦେଇଥିଲା । ଏସମ୍ପର୍କରେ ବିଦ୍ଧିବଦ୍ଧ ଭାବେ ସୁକୁମତୀଙ୍କ ସ୍ୱାମୀ କପିଳାସଙ୍କ ଠାରୁ ଜାଣିବାକୁ ମିଳିଥିଲା ଯେ ସୋମବାର ଅପରାହ୍ନ ୨ଟା ବେଳେ ସେ ଓ ତାଙ୍କ ପରିବାର ସୁକୁମତୀଙ୍କୁ ପ୍ରସବ ପାଇ ଯୋଡା ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଜଟିଳ ଥିବାରୁ ତାଙ୍କୁ ଡାକ୍ତରଖାନା ପକ୍ଷରୁ କେନ୍ଦୁଝର କିମ୍ବା ଚମ୍ପୁଆ ନେବା ପାଇଁ କୁହାଯାଇଥିଲେ ହେଁ ସମ୍ବଳ ଅଭାବରୁ ସେ ଟାଟା କମ୍ପାନୀ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ଚିକିତ୍ସା କରାଯିବା ପରିବର୍ତ୍ତେ କେବଳ କୋଭିଡ ଟେଷ୍ଟ କରାଇ କୌଣସି ରିପୋର୍ଟ ନଦେଇ ତାଙ୍କୁ ପୁନଃ ସରକାରୀ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ସେଠାରୁ ସରକାରୀ ଡାକ୍ତରଖାନାକୁ ଆସିବା ପାଇଁ କୌଣସି ଗାଡି କିମ୍ବା ଆମ୍ବୁଲେନସର ସୁବିଧା ନମିଳିବାରୁ ଶେଷରେ ସୁକୁମତୀ ପୂର୍ତ୍ତୀଙ୍କ ସ୍ୱାମୀ ଓ ଶାଶୂ ଦୁଇ କାନ୍ଧରେ ଆଶ୍ରା କରି ପାଦରେ ଚାଲି ଚାଲି ମଙ୍ଗଳାମନ୍ଦିର ଦେଇ ରାସ୍ତା ଅତିକ୍ରମ କରୁଥିବା ବେଳେ ଗର୍ଭବତୀ ମହିଳା ସୁକୁମତୀଙ୍କ ରାସ୍ତାରେ ପ୍ରାୟ ରାତ୍ର ୧୧ଟା ବେଳେ ସନ୍ତାନ ପ୍ରସବ ହୋଇଯାଇଥିଲା । ଶିଶୁପୁତ୍ରଟିର ଜନ୍ମ ହେବାର କିଛି ସମୟ ପରେ ମୃତ୍ୟୁ ହୋଇଯାଇଥିଲା । କ୍ରନ୍ଦନ ଏବଂ ଚିତ୍କାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଆସି ଦେଖିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । କାରଣ ଶିଶୁପୁତ୍ର ଜନ୍ମ ହେବା ପରେ ଶିଶୁପୁତ୍ରଟିର ନାଭି ମା’ ସହିତ ସଂଯୋଗ ହୋଇ ରହିଥିଲା । ମାଙ୍କର ଜୀବନ ପ୍ରତି ବିପଦ ଥିବାରୁ ତୁରନ୍ତ ସ୍ଥାନୀୟ ଲୋକ ୧୦୮ ଆମ୍ବୁଲେନସକୁ ଖବର ଦେବା ସହିତ ଟାଟାକମ୍ପାନୀ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ । ତେବେ ବଡବିଲରୁ ୧୦୮ ଆମ୍ବୁଲେନସଟି ପହଂଚି ସୁକୁମତୀଙ୍କୁ ମୃତ ଶିଶୁପୁତ୍ର ସହ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ଜନସାଧାରଣଙ୍କ ମନରେ ଘରୋଇ ଡାକ୍ତରଖାନା ପ୍ରତି ପ୍ରବଳ ଆକ୍ରୋଶ ଦେଖାଯାଇଥିଲା । ଯୋଡା ବିକାଶ ପରିଷଦ ପକ୍ଷରୁ ସଭାପତି ନିରଞ୍ଜନ ବହିଦାର କ୍ଷୋଭର ସହ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ଟାଟା ଖଣି ଖାଇ ପାଣି ଖାଇଲା ହେଲେ ପ୍ରଭାବିତ ଲୋକଙ୍କର ସେବାକୁ ନିଜର ଦାୟିତ୍ୱ ବଦଳରେ ଦୟା ବୋଲି ଭାବିଲା । ଏସମ୍ପର୍କରେ ଟାଟା କମ୍ପାନୀ ଡାକ୍ତରଖାନା ମୁଖ୍ୟ ଚିକିତ୍ସାଧିକାରୀ ଏମ.କେ.ତ୍ରିପାଠୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ମହିଳା ଜଣକ ଚିକିତ୍ସା ନିମନ୍ତେ ଏଠାକୁ ଆସିଥିବା ସେ ଜାଣିଛନ୍ତି । ଏବଂ ତାଙ୍କର କୋଭିଡ ଟେଷ୍ଟ ମଧ୍ୟ କରାହେବା ପରେ କରୋନା ପଜିଟିଭ ରିପୋର୍ଟ ଜଣାପଡିଛି । ରୋଗୀ ଏଠାରୁ ଚାଲିଯିବା ସମ୍ପର୍କରେ ସେ ତଦନ୍ତ କରିବେ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠନ ମଧ୍ୟ ଗ୍ରହଣ କରାଯିବ ବୋଲି ସେ କହିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଟାଟାଷ୍ଟିଲ ଡାକ୍ତରଖାନା ପରିସର ମଧ୍ୟରେ କୋଭିଡ ଡାକ୍ତରଖାନା ଥିବା ସତ୍ତ୍ୱେ କିପରି ମହିଳାଙ୍କୁ ଚିକିତ୍ସା କରାନଯାଇ କିପରି ଦାୟିତ୍ୱହୀନ ଭାବେ ପଠାଇ ଦିଆଗଲା ଓ ଆମ୍ବୁଲେନସଟିଏ ମଧ୍ୟ ତାଙ୍କୁ ଦିଆଗଲା ନାହିଁ ଏହା ଜନସାଧାରଣଙ୍କ ପ୍ରଶ୍ନ । ସରକାରୀ ଡାକ୍ତରଖାନାରୁ ପ୍ରସବ ଚିକିତ୍ସା ହେବା ପରେ ମହିଳା ଓ ତାଙ୍କ ପରିବାର ଜଲହରୀ ସ୍ଥିତ ଆଇଟିସି ଗ୍ରାମକୁ ଚାଲି ଯାଇଛନ୍ତି । ଯାହାକୁ ସଂକ୍ରମଣର ଆଶଙ୍କାକୁ ବଢାଇ ଦେଇଛି । ଏନେଇ ଟାଟା କମ୍ପାନୀ କର୍ପୋରେଟ ଅଧିକାରୀ ଆଶିଷ ଆଚାର୍ଯ୍ୟ ପ୍ରେସ ବିବୃତ୍ତି ଦେଇ ସୂଚନା ଦେଇଛନ୍ତି ଯେ ସୁକୁମତୀ ପୂର୍ତ୍ତୀଙ୍କୁ ଅକ୍ଟୋବର ୫ ତାରିଖ ରାତି ପ୍ରାୟ ୮.୪୦ ମିନିଟରେ ଟାଟାଷ୍ଟିଲ ହସ୍ପିଟାଲକୁ ଅଣାଯାଇଥିଲା । ହସ୍ପିଟାଲରେ ୨ଜଣ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ବିଶେଷଜ୍ଞ ଅଛନ୍ତି । ଜଣେ ଡାକ୍ତର ସଙ୍ଗରୋଧରେ ଥିବାରୁ ସେ ରୋଗୀଙ୍କୁ ଦେଖି ପାରିବେ ନାହିଁ । ଦ୍ୱିତୀୟ ଡାକ୍ତର କୋଭିଡରୁ ଏବେ ସୁସ୍ଥ ହୋଇଛନ୍ତି ଓ ସେହି ସମୟରେ ସେ ଅସୁସ୍ଥତା ଅନୁଭବ କରିବାରୁ ଡାକ୍ତରଖାନାକୁ ଆସିପାରିନଥିଲେ । ଏପରିସ୍ଥିତିରେ ରୋଗୀଙ୍କୁ ଏଠାରେ ଭର୍ତ୍ତି କରିବା ସମ୍ଭବପର ନଥିବାରୁ ନିକଟସ୍ଥ ହସ୍ପିଟାଲକୁ ନେବା ପାଇଁ ପରାମର୍ଶ ଦିଆଯାଇଥିଲା ।