ଟାଟା କମ୍ପାନୀ ଫାଟକ ଆଗରେ ସପରିବାର ଆନ୍ଦୋଳନ
ଛତ୍ରପୁର, (ଦେବଦତ୍ତ ମହାରଣା):ଚମାଖଣ୍ଡି ସ୍ଥିତ ଟାଟାକମ୍ପାନୀ ଫାଟକ ନିକଟରେ ୩ଦଫା ଦାବି ନେଇ ସିନ୍ଧିଗାଁ ବିସ୍ଥାପିତ ପରିବାର ପକ୍ଷରୁ ଶୁକ୍ରବାର ଠାରୁ ଜନଆନ୍ଦୋଳନ ଆରମ୍ଭ ହୋଇଛି । ସପରିବାର ସହ ଫାଟକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୋପାଳପୁର ଟାଟା ଷ୍ଟିଲ ହେବ ଏବଂ ଆମକୁ ଚାକିରି ମିଳିବ ଏହି ଆଶା ନେଇ ୨୫ ବର୍ଷ ତଳେ ସିନ୍ଧିଗାଁ ଗ୍ରାମବାସୀ ସେମାନେ ନିଜ ନିଜ ଜମିକୁ ଟାଟା କମ୍ପାନୀକୁ ଦେଇଥିଲେ । କିନ୍ତୁ ସେମାନଙ୍କୁ ଏଯାବତ ଟାଟା କମ୍ପାନି ନିଯୁକ୍ତି ଦେଲା ନାହିଁ । ଏନେଇ ବହୁବାର ଜିଲାପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଏହାର କୈାଣସି ସମାଧନ ହୋଇପାରିଲା ନାହିଁ । ଯାହାଫଳରେ ଏମାନେ ବାଧ୍ୟ ହୋଇ ଆନ୍ଦୋଳନପନ୍ଥା ଗ୍ରହଣ କରିବା ସହ ବିଭିନ୍ନ ଦାବି କରିଛନ୍ତି । ଅଗ୍ରାଧିକାର ଭିତିରେ ବିସ୍ଥାପିତ ପରିବାର ସଦସ୍ୟଙ୍କୁ ତୁରନ୍ତ ନିଯୁକ୍ତି ଦେବା ନଚେତ କମ୍ପାନୀ ତୁରନ୍ତ ଜମି ଫେରସ୍ତ କରୁ ବୋଲି ବିସ୍ଥାପିତ ପରିବାର ପକ୍ଷରୁ ଦାବି ହୋଇଛି । ନିଯୁକ୍ତି ବାବଦରେ ୨୫ ବର୍ଷର ପରିବାର ପରିପୋଷଣ ଭତା ବାବଦରେ କ୍ଷତିପୁରଣ ପ୍ରତି ପରିବାରକୁ ୨୦ ଲକ୍ଷ ପ୍ରଦାନ ଓ ବିସ୍ଥାପିତ ମାନଙ୍କର ଆର୍ଥିକ ସ୍ଥିତିର ଉନ୍ନତି ନିମନ୍ତେ ଟାଟାଷ୍ଟିଲ କମ୍ପାନୀରେ ବିଭିନ୍ନ ସଂସ୍ଥାରେ ଅଗ୍ରାଧିକାର ଭିତିରେ ସୁଯୋଗ ଦେଇ ତାହାକୁ କାର୍ଯ୍ୟକାରୀ କରିବା ଆଦି ଦାବୀ କରାଯାଇଛି । ନଚେତ ଏହି ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି । ଏପରିକି ସପରିବାର ସେଠାରେ ଧାରଣାରେ ବସିବା ସହ ସେଠାରେ ରୋଷେଇ କରି ଖାଇବାକୁ ନିଷ୍ପତି ନେଇଛନ୍ତି କିନ୍ତୁ ଏହି ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି । ଏହି ଆନ୍ଦୋଳନରେ ସିନ୍ଧିଗାଁ ଗ୍ରାମ୍ୟ କମିଟି ସଭାପତି ପି.ନାଗେଶ୍ୱର ରେଡି, ସଂପାଦକ ପି.ଜଗନ୍ନାଥ ରେଡି, କୋଷାଧକ୍ଷ କେ.ଆନନ୍ଦ ରେଡି, ଉମାଶଙ୍କର ସାହୁ, କେ.ଜଗନ୍ନାଥ ରେଡି, ଆର.ଭାଗିରଥି ରେଡି ପ୍ରମୁଖ ଉପସ୍ଥିତଥିଲେ । ଏହି ପରିପ୍ରେକ୍ଷୀରେ ଉକ୍ତସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।